ରୋଟାରୀ କ୍ଳବ ଇଷ୍ଟ ପକ୍ଷରୁ ଦେଶ ଗଠନ ପାଇଁ ଶିକ୍ଷକ ଗଗନ ଗୌଡ ସମ୍ମାନିତ…

ବ୍ରହ୍ମପୁର/ଶେରଗଡ (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ରୋଟାରୀ କ୍ଳବ ଇଷ୍ଟ ପକ୍ଷରୁ ବିଶ୍ୱ ଗୁରୁ ଦିବସ ଅବସରରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାର ୯ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ସଂପାଦକ କାମରାଜୁ ମହାରଣା କ୍ଳବର ବିଭିନ୍ନ ସମାଜସେବୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଦେଶ ଗଠନରେ ଶିକ୍ଷା ଓ ଶିକ୍ଷକ ହେଉଛନ୍ତି ପ୍ରମୁଖ ମାଧ୍ୟମ । ଯାହାର ସହଯୋଗ ଓ ପରିଶ୍ରମରେ ସମାଜରୁ ଅଶିକ୍ଷା ଦୂର ହେବା ସହ ବିକାଶ ସର୍ବସ୍ପର୍ଶୀ ହୋଇ ପାରିଥାଏ । ଏହି ପରିପ୍ରେକ୍ଷୀରେ ସମାରୋହରେ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସକାଶେ ଉତ୍ତମ ଶିକ୍ଷାଦାନ, ସହଯୋଗ, ମେଳାପୀ ଓ ନୂତନ ଜ୍ଞାନ ପ୍ରଦାନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଶେରଗଡ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ଅଧିନ ପୁନାନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଗନ କୁମାର ଗୌଡ ସମ୍ମାନିତ ହୋଇ ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିବାରେ ସଫଳ ହୋଇ ପାରିଛନ୍ତି । ଶିକ୍ଷକ ଶ୍ରୀ ଗୌଡଙ୍କ ଏଭଳି ସମ୍ମାନ ପରେ ବ୍ଲକ ଓ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା