ରେଳ ଧାରଣା କଡ଼ରୁ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ୩ କିମି ଦୂର ଖୋଡା ସିଂ ରେଳ ଧାରଣା କଡରେ ଜଣେ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ଯୁବକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭)ବୋଲି ଜଣାପଡିଛି । ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ଝାଂସିରାଣୀ ମହିଳା ହଷ୍ଟେଲରେ ଚୌକିଦାର ଭାବେ କାଯ୍ୟରତ ଅଛନ୍ତି । ଗଣପତି ନିଜ ପରିବାର ସହ ହଷ୍ଟେଲ ଭିତରେ ରହି ଆସୁଛନ୍ତି । ଗତକାଲି ଭୁବନେଶ୍ୱର ରାତି ୯ ଟା ବେଳେ ଘରକୁ ଫୋନ କରିଥିଲେ ଓ କିଛି ସମୟ ପରେ ଯାଉଛି ବୋଲି କହିଥିଲେ । ହେଲେ ଆଉ ଫେରି ନ ଥିଲେ । ରାତି ସାରା ଫୋନ କଲା ପରେ ମଧ୍ୟ ଉଠାଇ ନ ଥିଲେ। ସକାଳୁ ତାଙ୍କ ଶବ ଏଠାରେ ପଡିଥିଲା । ଖବର ପାଇ ସରକାରୀ ରେଳବାଇ ପୋଲିସ ଓ ବୈଦ୍ୟନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ନିକଟରେ ଏକାଧିକ ମଦ ବୋତଲ ପଡିଛି । ଏପଟେ ଭୁବନେଶ୍ୱରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା