ରେଳସେବାର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ରେଳ ଷ୍ଟେସନ୍ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ରେଳସେବାର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ରେଳ ଘରୋଇକରଣ ବିରୋଧୀ ଜନ ଅଭିଯାନ ଓଡ଼ିଶା, ଗଞ୍ଜାମ ପକ୍ଷରୁ ଆଠ ଦଫା ଦାବି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଷ୍ଟେସନ୍ ମ୍ୟାନେଜରଙ୍କ ଜରିଆରେ ଏକ ଆଠ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ରେଳ ହେଉଛି ଆମ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ରେଳପଥ ହେଉଛି ଦେଶର ଜୀବନ ରେଖା । ଜନସାଧାରଣଙ୍କ ଗମନାଗମନ ଠାରୁ ଆରମ୍ଭ କରି ଖଣିଜ ସମ୍ପଦ, ଶିଳ୍ପ ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟଶସ୍ୟ ଆଦି ମାଲ ପରିବହନ କ୍ଷେତ୍ରରେ ରେଳସେବା ପ୍ରମୁଖ ଭୂମିକା ପାଳନ କରିଆସୁଛି । ବଡ଼ ବଡ ସହରର ଅଫିସ ଦପ୍ତର, ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟରତ ସ୍ଵଳ୍ପ ବେତନଭୋଗୀ ଶ୍ରମିକ କର୍ମଚାରୀଙ୍କ ପ୍ରତିଦିନ ଯାତାୟତର ଏକମାତ୍ର ସୁଲଭ ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି ଭାରତୀୟ ରେଳସେବା । ବଡ ବଡ ସହରକୁ ପ୍ରତିଦିନ ପରିବା, ମାଛ, ଦୁଗ୍ଧ ଯୋଗାଣ ପାଇଁ ଗରିବ କ୍ଷୁଦ୍ର ବ୍ୟବସାୟୀ ଏବଂ ହଜାର ହଜାର ସଂଖ୍ୟରେ ସଫେଇ କର୍ମଚାରୀ, ପରିଚାରିକା, ଦିନମଜୁରିଆ ଓ ନିର୍ମାଣ ଶ୍ରମିକ ବହୁ କମ୍ ରେଳଭଡା ଦେଇ ଦୈନନ୍ଦିନ ଯାତାୟତ କହିଥାଆନ୍ତି ତାକୁ ବ୍ୟବହାର କରି ଘରୋଇ ଶିଳ୍ପପତି ମାଲିକମାନଙ୍କ ଲାଭ ପାଇଁ କେନ୍ଦ୍ରର ବିଜେପି ସରକାର ରେଳସେବାର ଘରୋଇକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ୧୦୯ ରେଳ ରୁଟରେ ୧୫୧ଟି ଘରୋଇ ଟ୍ରେକ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରି ପଦକ୍ଷେପ ନେଇଛନ୍ତି । ଏହି ଘରୋଇ ଟ୍ରେନର ଯାତ୍ରାଭଡ଼ା ଘରୋଇ ମାଲିକମାନେ ନିର୍ଦ୍ଧାରଣ କରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ରେଳବିଭାଗର ୧୦୯ଟି ରୁଟରେ ୧୫୧ଟି ଘରୋଇ ଯାତ୍ରିବାହୀ ଟ୍ରେନ ଚଳାଇବାର ଘୋଷଣା ବାତିଲ କରିବା ସହିତ ରେଳସେବାର ଘରୋଇକରଣ ସପୂର୍ଣ୍ଣ ବନ୍ଦ କରିବା, ରେଳ ପରିବହନକୁ କ୍ଷତି ଦର୍ଶାଇ କର୍ମଚାରୀ ଛଟେଇ ବନ୍ଦ କରିବା, ସ୍ଥାୟୀ ଯାଗାରେ ଠିକା କର୍ମଚାରୀ ପ୍ରଥା ବନ୍ଦ କରିବା, ଷ୍ଟେସନ ଗୁଡିକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦେବା ଷଢଯନ୍ତ୍ର ବନ୍ଦ କରିବା, ଷ୍ଟେସନ ବିକ୍ରିକରି ଷ୍ଟେସନ୍ ଷ୍ଟାଣ୍ଡରେ ଦର ବୃଦ୍ଧି/ଫି ବୃଦ୍ଧି ମସୁଧା ବନ୍ଦ କରିବା, ରେଳ ପରିବହନ ଘରୋଇକରଣ କରି ଯାତ୍ରୀଭଡା ବୃଦ୍ଧି ଓ ମାଲଭଡା ବୃଦ୍ଧି ସଙ୍ଗେ ସଙ୍ଗେ ଯାତ୍ରୀ ସବସିଡି ତଥା ବରିଷ୍ଠ ନାଗରିକ, ବିକଳାଙ୍ଗ ପାସ୍, ଛାତ୍ରଛାତ୍ରୀ ପାସ୍, ମାସିକିଆ ପାସ୍ ଆଦି ସବସିଡି ବନ୍ଦ କରି ଆଇଆରଟିସିରେ ସେବା ଚାର୍ଜ, ଜିଏସଟି ଚାର୍ଜ ଇତ୍ୟାଦି ଅଲଗା ନେଇ ଟିକେଟର ଦର ବହୁଗୁଣା କରିବା ବନ୍ଦ କରିବା, ଷ୍ଟେସନ୍ ପରିସରରେ ଲକ୍ଷ ଲକ୍ଷ ଗରିବ, ବୁଲାବିକାଳି, ରକ୍ସାଚାଳକ, ଅଟୋଚାଳକ ପ୍ରବେଶ ନିଷେଧ ବାତିଲ କରିବା, ପ୍ଲାଟଫର୍ମ ଟିକେଟ୍, ବାଇକ୍, କାର୍, ଅଟୋଷ୍ଟାଣ୍ଡ ଭଡା ବଢାଇବା ବନ୍ଦ କରିବା ଆଦି ଆଠ ଦଫା ଦାବି ନେଇ ରେଳ ଘରୋଇକରଣ ଜନ ଅଭିଯାନ ଓଡ଼ିଶା, ଗଞ୍ଜାମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜିକାର ଏହି ବିକ୍ଷୋଭରେ ରେଳ ଘରୋଇକରଣ ବିରୋଧୀ ଜନ ଅଭିଯାନ ଓଡ଼ିଶା, ଗଞ୍ଜାମ ଜିଲ୍ଲା ଆବାହକ ସେମନାଥ ବେହେରାଙ୍କ ସମେତ ମଧୁସୂଦନ ଦାସ, ଶିବାନୀ ଶଙ୍କର ମିଶ୍ର, ନାରାୟଣ ସାହୁ, ଶୁଭସ୍ମିତା ପାଣିଗ୍ରାହି, ନିମାଇଁ ଚରଣ ସାହୁ,ପପୁନ ସାହୁ, କମରାଜ ସାହୁ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା