ରିଟେଲରମାନଙ୍କ ଦାବୀ ନେଇ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ରିଟେଲର ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ରାଜ୍ୟ ସରକାର କିଛି ଶୁଣୁ ନ ଥିବାରୁ ଅଖିଳ ଭାରତୀୟ ରିଟେଲର ମହାସଂଘ ସମର୍ଥନରେ ଓଡିଶା ରାଜ୍ୟ ରିଟେଲର ସଂଘ ଆନୁକୂଲ୍ୟରେ ରିଟେଲରମାନଙ୍କର ବିଭିନ୍ନ ଦାବୀ ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ୨୯ତାରିଖ ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ରିଟେଲର ମାନଙ୍କର ଏକ ଶୋଭାଯାତ୍ରା ବାହାରି ଲୋୟର ପି.ଏମ୍.ଜି ଛକ ଠାରେ ବିରାଟ ସମାବେଶ ଓ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷିରେ ଜଳେଶ୍ୱର ନୂଆବଜାର ଶୋଭା କଲ୍ୟାଣ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ରିଟେଲର ମାନଙ୍କ ଦାବୀ ଗୁଡିକ ମଧ୍ୟରେ ସରକାରୀ ରିଟେଲରଙ୍କ ଠାରୁ ପ୍ରାଇଭେଟ ରିଟେଲର ମାନେ ଶହେଗୁଣା ଭଲ କାମ କରୁଥିଲେ ମଧ୍ୟ ଦକ୍ଷତା ଭିତିରେ ସନନ୍ଦ ନବିକରଣର ଆଦେଶ ପ୍ରଦାନ କରିବା, ସରକାରଙ୍କ ଯୋଗାଣ ମୁତାବକ ପି.ଓ.ଏସ୍. ମେସିନ ବକେୟା କମିସନ ପ୍ରଦାନ କରିବା ସହିତ ପ୍ରତିମାସ ନିୟମିତ କମିସନ ପ୍ରଦାନ କରିବା, ଚାଉଳ, ଗହମ ପରି କିରୋସିନି ତେଲ ଦୋକାନ ପରିସରରେ ଯୋଗାଇ ଦେବା, ଦୋକାନ ଘର ଭଡା ଓ ବିଦ୍ୟୁତ ଶୁଳ୍କ ପ୍ରଦାନ କରିବା, ଅନ୍ୟ ରାଜ୍ୟଭଳି ଓଡିଶା ରାଜ୍ୟ ରିଟେଲର ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଦାବୀ ନେଇ ସମାବେଶ ହେବ ବୋଲି ସୂଚନା ଦେବା ସଙ୍ଗେ ସଙ୍ଗେ ସମସ୍ତ ରିଟେଲର ଏହି ସମାବେଶରେ ଯୋଗ ଦେବାପାଇଁ ଅନୁରୋଧ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ରିଟେଲର ସଭାପତି ବିଦ୍ୟାଧର ଦେ, ରାଜ୍ୟ ସଭାପତି ନଗେନ୍ଦ୍ର ନାଥ ଜେନା, ଶୋର ମ୍ୟୁନିସିପାଲିଟୀ ସଭାପତି ଜ୍ଞାନ ରଞ୍ଜନ ପଣ୍ଡା, ବାଲିଆପାଳ ସଭାପତି ରତ୍ନାକର ପାତ୍ର, ରଞ୍ଜନ କୁମାର ପାତ୍ର, ରାଧାଶ୍ୟାମ ଗୁପ୍ତା, ଅଶୋକ ଚନ୍ଦ୍ର ଦାସ ଓ ଅରୁଣ ସେଠୀ ପ୍ରମୁଖ ରିଟେଲର ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା