ରାମ ନବମୀରେ ରାମମୟ ହେଲା ଛତ୍ରପୁର ସହର

ଛତ୍ରପୁର(ସମୃଦ୍ଧଓଡିଶା)ପବିତ୍ର ରାମ ନବମୀ ଅବସରରେ ସାରା ରାଜ୍ୟରେ ଦିନ ସମୟରେ ବାଇକ ରାଲି ତଥା ମନ୍ଦିରରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ଛତ୍ରପୁରରେ କିନ୍ତୁ ନିଆରା ଢଙ୍ଗରେ ପାଳନ ହୋଇଥିଲା ରାମ ନବମୀ। ସର୍ବ ପ୍ରଥମେ ଷ୍ଟେସନ ରୋଡ଼ରେ ଥିବା ରାମ ମନ୍ଦିରରେ ଦିନ ସମୟରେ ପୂଜାର୍ଚ୍ଚନା ହୋଇଥିବା ବେଳେ ସନ୍ଧ୍ୟା ସମୟରେ ପୂର୍ବ ବର୍ଷ ଭଳି ଛତ୍ରପୁରର ରାମ ନବମୀ ଶୋଭାଯାତ୍ରା ମହୋତ୍ସବ ସେବା ସମିତି ତରଫରୁ ରାମ ମନ୍ଦିର ପରିଚାଳକ ସନ୍ତୋଷ ମୂର୍ତ୍ତି ଓ ଏସ ରାମକୃଷ୍ଣ ରେଡ୍ଡିଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆର ସନ୍ଧ୍ୟା ସମୟରେ ଷ୍ଟେସନ ରୋଡ଼ ସ୍ଥିତ ରାମମନ୍ଦିରରୁ ବାହାରି ପୁତିଗୋପାଳପୁର ରୁ ରିକାପଲ୍ଲୀ ଦେଇ ରାମାୟଣମ୍ମା ମନ୍ଦିର ନିକଟରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ କୌଣସି ବି ରାଜନୈତିକ ଦଳ ସଂଶ୍ଲିଷ୍ଟ ନ କରିବାକୁ ସମିତି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଓ ତଦନୁଯାୟୀ ଆଜି କେବଳ ଛତ୍ରପୁର ସବଡିଭିଜନର ହଜାର ହଜାର ରାମ ଭକ୍ତଙ୍କୁ ନେଇ ଏହି ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଓ ଚାରିଆଡ଼େ କେବଳ “ଜୟ ଶ୍ରୀ ରାମ” ନାରା ଶୁଣିବାକୁ ମିଳୁଥିଲା। ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ରାମ, ଲକ୍ଷ୍ମଣ, ସୀତା, ବାନର ଓ ହନୁମାନ ବେଶଧାରି ବ୍ୟକ୍ତି ବିଶେଷ। ସେହିପରି ଏହି କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ହେବ ସେଥି ନିମନ୍ତେ ଛତ୍ରପୁର ଥାନା ତରଫରୁ ଥାନାଧିକାରୀ ନିରୋଧ ଦାସ ନିଜେ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ସୂଚନାଯୋଗ୍ୟ ଯେ, ସମସ୍ତ ଭକ୍ତଙ୍କ ପାଇଁ ଆଜି ମଝି ବଜାରରେ ଜୀବନ ମହାରଣା, ରାଜେଶ କୁମାର ମିଶ୍ର ଓ ମା’ ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ପଣାର ବ୍ୟବସ୍ଥା କରାଯାଇଥିବା ବେଳେ ରାମ ନବମୀ ଶୋଭାଯାତ୍ରା ମହୋତ୍ସବ ସେବା ସମିତି ତରଫରୁ ରାମାୟଣମ୍ମା ମନ୍ଦିର ନିକଟରେ ହାଲୁଆ ଓ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମ ଶଙ୍କର ରେଡ୍ଡୀ, ଓକିଲ ବି ଶ୍ରୀନିବାସ, ଚୈତନ୍ୟ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସାଗର କୁମାର ସେନାପତି, ଏମ ଚିନା ରେଡ୍ଡୀ, ବି ରାଜୁ, ତୁଷାର ଶତପଥୀ, ନିଖିଲ ଭାଇ, ପାର୍ଥସାରଥୀ ଭାଇ ତଥା ସିଦ୍ଧି ବିନାୟକ ଅଟୋ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ। ସର୍ବ ଶେଷରେ ଏସ ରାମକୃଷ୍ଣ ରେଡ୍ଡୀ ସମସ୍ତଙ୍କର ସାହାଯ୍ୟ ସହଭାଗିତାକୁ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ବର୍ଷରେ ଆହୁରି ଧୁମଧାମରେ ରାମ ନବମୀ ପାଳନ କରିବା ନେଇ ସୂଚନା ଦେଇଥିଲେ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା