ରାଜ୍ୟର ବରିଷ୍ଟ ନେତା ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡି

ଭୁବନେଶ୍ୱର(ସମୃଦ୍ଧଓଡିଶା)ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଉପରକୁ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବିଜେଡିରୁ ବହିଷ୍କାର ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ବାଲିକୁଦା-ଏରସମାରୁ ଲଢ଼ି ହାରି ଯାଇଥିଲେ । ସେହି ବର୍ଷ ଅକ୍ଟୋବର ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ବିଜେଡି ବିଧାୟକ ତଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବା ଯୋଗୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ବାପା ଅସୁସ୍ଥତା ଯୋଗୁ ହସ୍‌ପିଟାଲ୍‌ରେ ଅଛନ୍ତି। ବିଜେଡିରୁ ଦୂରେଇ ରହିବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତାଙ୍କର ଗୋଟିଏ ଇଚ୍ଛା ଥିଲା ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସେବା କରିବେ। ତାହା ପୂରଣ ହୋଇଛି। ସୁସ୍ଥ ହେଲେ ସେ ଆଗାମୀ ଦିନରେ ଜଗତସିଂହପୁରର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ କରିବେ। ସମ୍ବିତ ଆହୁରି କହିଛନ୍ତି ଯେ ବହିଷ୍କାର ଆଦେଶ ପ୍ରତ୍ୟାହାର ନେଇ ସେ ଦୁଇ ବର୍ଷ ତଳେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କହିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଅନୁରୋଧ କରିଥିଲେ। ସମୟ ସୁବିଧା ଦେଖୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ କହିବେ ବୋଲି କହିଥିଲେ। ତେବେ ସେ ନିଜେ କେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ କହି ନଥିଲେ ବୋଲି ସମ୍ବିତ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ସଦୟ ହୋଇ ବହିଷ୍କାର ଆଦେଶ ଉଠାଇଥିବାରୁ ମୁଁ ତାଙ୍କ ପାଖରେ ଚୀର ୠଣୀ ହୋଇ ରହିବି ବୋଲି ସେ କହିଛନ୍ତି ।

ରିପୋର୍ଟ : ପ୍ରସନ୍ନ ପଟ୍ଟନାୟକ