ରାଜ୍ୟରେ ୧୪ ଦିନ ପାଇଁ ଆଂଶିକ ଲକ୍‌ଡାଉନ୍‌ : ଜଣାନ୍ତୁ କ’ଣ ଖୋଲିବ କ’ଣ ଖୋଲିବନି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସରକାର ଅନ୍‌ଲକ୍‌ ଘୋଷଣା ନ କରି ଆସନ୍ତା ୧୪ ଦିନ ପାଇଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଜାରି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କାଲି ସକାଳ ୫ଟା ପରଠାରୁ ଆଂଶିକ ଲକ୍‌ଡାଉନ୍‌ ଲାଗୁ ହେବ । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ । ଆଂଶିକ ଲକ୍‌ଡାଉନ୍ ଘୋଷଣା କରିବା ସହିତ ସରକାର ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି ବର୍ଗରେ ବିଭକ୍ତ କରିଛନ୍ତି । ୫%ରୁ କମ୍ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ‘ଏ’ ବର୍ଗରେ ରଖାଯାଇଛି । ଏହା ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା । ‘ଏ’ ବର୍ଗରେ ଅନ୍ତର୍ଭୁକ୍ତ ଥିବା ୧୭ଟି ଜିଲ୍ଲାରେ କଟକଣା ନିୟମକୁ ଟିକେ ଅଧିକ କୋହଳ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଦୋକାନ ବଜାର ଖୋଲା ରହିବ । କିନ୍ତୁ ମଲ୍‌, ଜିମ୍‌, ସେଲୁନ୍‌ ଓ ସ୍ପା ଆଦି ବନ୍ଦ ରହିବ । ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ । ତେବେ ଲୋକେ ସେଠାରେ ଛିଡ଼ା ହୋଇ ଖାଇପାରିବେ ନାହିଁ ଜିନିଷ କିଣି ନେଇପାରିବେ । ଅନ୍ୟପକ୍ଷରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲା ଗୁଡ଼ିକୁ ‘ବି’ ବର୍ଗରେ ରଖାଯାଇଛି । ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ ଆଦି ଖୋଲା ରହିବ । ସେହିପରି ସ୍ୱାସ୍ଥ୍ୟ ସେବା ସଂପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ବି ଖୋଲା ରହିବ । ମୁଖ୍ୟ ଶାସନ ସଚିବ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି  ସକାଳ ୬ରୁ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍‌, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ପାର୍କ ବନ୍ଦ ରହିବ । ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ ବଳବତ୍ତର ରହିବ । ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ୍, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସେହିଭଳି ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ କେବଳ ନୀତିକାନ୍ତି ଚାଲିବ । ଯାତ୍ରା ଓ ଆଉଟ୍ ଡୋର୍ ଶୂଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ୍ ୫୦% ଷ୍ଟାଫ୍‌ରେ କାର୍ଯ୍ୟ କରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସେ ଆହୁରି କହିଛନ୍ତି, ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ।