ରାଜ୍ୟରେ କରୋନାରେ ଜଣେ ମୃତ୍ୟୁ,ସଂକ୍ରମିତ ସଂଖ୍ୟା ୪୨କୁ ବୃଦ୍ଧି….

ଭୁବନେଶ୍ୱର/ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉ ଥିଲେ ମଧ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବାବେଳେ ଏଥିରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୨ଜଣ ସୁସ୍ଥ ହୋଇ ଫେରିବା ପରେ ଏବେ ୩୯ଜଣ ସଂକ୍ରମିତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ମୋଟ ୨୨୧୨ଟି ନମୂନା ପରୀକ୍ଷା ରିପୋର୍ଟ ମିଳିଛି। ଏଥିରୁ ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୪୨ ଥିବାବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମସ ହସପିଟାଲରେ ୨ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯ଥିବାବେଳେ ବିଭିନ୍ନ ହସ୍ପିଟାଲରେ ଏବେ ମୋଟ ୮୬ଜଣ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଛି। ଏବେ ରାଜ୍ୟର ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ହୋଇଥିବା ବେଳେ ଏହାର ବେଡ୍ ସଂଖ୍ୟା ୧୪୯୭ ରହିଛି। ତେବେ ଖୁବଶୀଘ୍ର ରାଜ୍ୟରେ ୨୭ଟି କୋଭିଡ୍ ହସ୍ପିଟାଲ ଓ ଆଇସୋଲେସନ୍ ସୁବିଧା ଥିବା ୪୨୦୦ ବେଡ୍ କରୋନା ସଂକ୍ରମିତଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ବାଗଚୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ପାଇଁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶ ବଳରେ ଅଧିକ ୬ଜଣ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ବାଗଚୀ କହିଛନ୍ତି।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା