ରାଇବଣିଆ ଅଞ୍ଚଳରୁ ଚୋରା ମାଙ୍କଡାପଥର ପଶ୍ଚିମବଙ୍ଗକୁ ଚୋରା ଚାଲାଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅଞ୍ଚଳରେ ସୁବର୍ଣ୍ଣରେଖାର ବାଲି ଚୋରା ଚାଲାଣ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ଏବେ ପଶ୍ଚିମବଙ୍ଗର ମାଫିଆମାନଙ୍କ ଦୃଷ୍ଟି ଜଳେଶ୍ୱରର ରାଇବଣିଆ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ମାଙ୍କଡାପଥର ଉପରେ ପଡିଛି । ବରଡିଆ ପଞ୍ଚାୟତର ବାଗବୁଡା ଜଙ୍ଗଲ ଅଞ୍ଚଳରେ ଥିବା ସରକାରୀ ସ୍ଥାନରୁ ବ୍ୟାପକ ମାଙ୍କଡାପଥର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ବାଗବୁଡା ଜଙ୍ଗଲଟି ବିସ୍ତିର୍ଣ୍ଣ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବାରୁ ମାଫିଆମାନଙ୍କର ଏହା ଆଡ୍ଡାସ୍ଥଳରେ ପରିଣତ ହୋଇଛି । ମାଫିଆମାନେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବସକରି ଓ ସେମାନଙ୍କୁ ସ୍ୱଳ୍ପ ପରିଶ୍ରମିକ ଦେଇ ଏହି ମାଙ୍କଡାପଥର ଚାଲାଣ କରିବାରେ ସକ୍ଷମ ହେଉଛନ୍ତି ଓ ମାଲେମାଲ ହେଉଛନ୍ତି । ବିନା ରୟାଲିଟିରେ ଏପରି ପଥର ମାଟିତଳୁ ବାହାର କରି ଟ୍ରାକ୍ଟର ମାଧ୍ୟମରେ ବୋହି ନେବାରେ କୌଣସି ପ୍ରତିବନ୍ଧକ ନ ଥିବାରୁ ସେମାନେ ଅନାୟସରେ ଚୋରା ଚାଲାଣ କରୁଛନ୍ତି । ତେଣୁ ପ୍ରଶାସନ ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ ନିକଟରେ ଦାବୀ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା