ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଚଳିତବର୍ଷ କରୋନା ଭୁତାଣୁ ସଂକ୍ରମଣର ଆତଙ୍କକୁ ନେଇ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଗୁରୁବାର ଆସିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ୬ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଗତକାଲି ଓ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ବରିଷ୍ଠ ସେବାୟତମାନଙ୍କ ସହ ବିଚାରବିମର୍ଶ ପରେ ସମସ୍ତଙ୍କ ସର୍ବସମ୍ମତିରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଏହାସହ ସେ କହିଛନ୍ତି ଯେ ପୁରୀରେ ବାର୍ଷିକ ରଥଯାତ୍ରା ଅନୁଷ୍ଠିତ ହେବାର ବାଧ୍ୟତାମୂଳକ ପରମ୍ପରା ପୁରାଣରେ ବର୍ଣ୍ଣିତ ହୋଇଛି । ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ନୀଳାଦ୍ରୀ ମହୋଦୟ, ବାମଦେବ ସଂହିତା ଆଦିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ଅବତାର ନୁହଁନ୍ତି । ସେ ଅବତାରୀ ଓ ଶ୍ରୀଜଗନ୍ନାଥ ଧାମ-ପୁରୀ ହେଉଛି ଏହି ଧରାରେ ତାଙ୍କର ଅନନ୍ତ ନିବାସ ସ୍ଥଳୀ । ଦ୍ୱିତୀୟ ସତ୍ୟଯୁଗରୁ ଚତୁର୍ଦ୍ଧା ଦାରୁବିଗ୍ରହ ସ୍ୱୟଂ ନିଜର ରଥଯାତ୍ରା କରିବା ପାଇଁ ସେତେବେଳର ଶାସକ(ମହାରାଜା ଇନ୍ଦ୍ରଦୁମ୍ନ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନ ଠାରୁ ରଥଯାତ୍ରା ପରମ୍ପରା ଚାଲି ଆସିଛି । ଓଡ଼ିଶାର ସୁଦୀର୍ଘ ଇତିହାସକୁ ଦେଖିଲେ ଜଣାପଡ଼େ ଯେ, ରଥଯାତ୍ରା କେବଳ ସେହି ସମୟରେ ହୋଇ ନି ଯେତେବେଳେ କି ଏହା ହେବା ସମ୍ପୂର୍ଣ୍ଣ ଅସମ୍ଭବ । ଉଦାହରଣସ୍ୱରୂପ ଷୋଡ଼ଶ, ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ଦୁର୍ଗମ ସ୍ଥାନରେ ଲୁଚାଇ ରଖାଯାଇଥିଲା । ରଥଯାତ୍ରା ଅନ୍ୟ କୌଣସି କାରଣରୁ ବନ୍ଦ ହୋଇ ନାହିଁ, ଏପରିକି ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ବି ରଥଯାତ୍ରା ସମ୍ପନ୍ନ ହୋଇଛି । ବର୍ତ୍ତମାନର କୋଭିଡ୍ ମହାମାରୀ ରହିଥିଲେ ମଧ୍ୟ ପୁରୀରେ ରଥଯାତ୍ରା ସମ୍ପନ୍ନ ହେବା ଅସମ୍ଭବ ହେବନି । ମେ’ ୩୦ତାରିଖ ମନ୍ଦିର ପରିଚାଳନା କମିଟି ମଧ୍ୟ ପୁରୀରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ । ସାଧାରଣ ଲୋକଙ୍କ ସମାବେଶ ବିନା ଓ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସରକାରୀ ପଦକ୍ଷେପ ମଧ୍ୟରେ ରଥଯାତ୍ରା ହୋଇପାରିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଯଦି ରଥଯାତ୍ରା ଚଳିତବର୍ଷ ପୁରୀ ଅନୁଷ୍ଠିତ ନ ହୁଏ ତେବେ ବିଶ୍ୱର ଅଗଣତି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଂଚିବ । ଯେଉଁମାନେ ଇଲୋକ୍ଟ୍ରୋନିକ୍ସ ମିଡିଆ ମାଧ୍ୟମରେ ପ୍ରତିବର୍ଷ ରଥଯାତ୍ରା ଦେଖିଥାନ୍ତି । ଯେହେତୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତ୍ୟେକଟି ନାମ ବ୍ରହ୍ମାଣ୍ଡ ଠାକୁର ବୋଲି ଉଲ୍ଲେଖ ଅଛି ତେଣୁ ସେ ରଥଯାତ୍ରା ସମୟରେ ରଥରେ ଚଢ଼ି ସମସ୍ତ ବ୍ରହ୍ମାଣ୍ଡଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏହା ସନାତନ ବୈଦିକ ଧର୍ମର ପରମ୍ପରାରେ ଅଛି ମୁଖ୍ୟ ଠାକୁର ନିଜ ନିବାସ ଛାଡ଼ନ୍ତି ନାହିଁ । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜ ଇଚ୍ଛାରେ ମନ୍ଦିର ବାହାରକୁ ଆସିଥାନ୍ତି । ତେଣୁ ଏସବୁ କାରଣରୁ ପୁରୀର ରଥଯାତ୍ରା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ଓ ଏହା ବନ୍ଦ ହେବା ଅନୁଚିତ୍ । ଯଦିଓ କୋଭିଡ୍ ଲକଡାଉନ୍ ଗାଇଡଲାଇନ ଯୋଗୁ ରଥଯାତ୍ରା ଓ ଅନ୍ୟ ଧାର୍ମିକ ଉତ୍ସବ ପାଇଁ ଅନ୍ୟତ୍ର ଅନୁମତି ଦିଆଯାଇନାହିଁ । ରାଜା ବୀରକିଶୋର ଦେବ ବନାମ ଓଡ଼ିଶା ସରକାରଙ୍କ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ଗୁରୁତ୍ୱକୁ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀ ମନ୍ଦିରକୁ ସ୍ୱତନ୍ତ୍ର ସେବା ଆବଶ୍ୟକ । ସରକାର ଚାହିଁଲେ ରାଜ୍ୟବ୍ୟାପୀ ରଥଯାତ୍ରା ବନ୍ଦ କରିପାରନ୍ତି କିନ୍ତୁ ପୁରୀରେ ଏହାକୁ ସ୍ୱତନ୍ତ୍ର ଭାବେ ଅନୁମତି ଦେବା ଉଚିତ୍ । ଯାତ୍ରା ସମୟରେ କୋଭିଡ୍ ସଂକ୍ରମଣ ଯେଭଳି ନ ହେବ ସେଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିର୍ଚାର ହେଉ ବୋଲି ଚାହୁଁଛନ୍ତି । ତେଣୁ ଉପରୋକ୍ତ ପରିସ୍ଥିତି ଓ ବିଶ୍ୱର ଅଗଣତି ଭକ୍ତମାନଙ୍କ ଭାବନାକୁ ଦୃଷ୍ଟିରେ ରଖି ପୁରୀରେ ରଥଯାତ୍ରା ବନ୍ଦ ନ କରି ନିର୍ଦ୍ଦେଶର ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ଯାହାଫଳରେ ପୁରୀରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।