ଯୁବ ସାମ୍ବାଦିକଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନେ ଆଗାମୀ ପଞ୍ଚାୟତ ଭୋଟକୁ ନଜର ରଖି ଭୋଟ ବର୍ଜନ କରିବାକୁ ପୋଷ୍ଟର ଲଗାଇ ଲ୍ୟାଣ୍ଡମାଇନ ବିଛାଇ ବିସ୍ଫୋରଣ ଘଟାଇଥିବା ଜଣାପଡିଛି । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡି ଏମ୍. ରାମପୁରର ଯୁବ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସୂଚନା ଯେ ସେ ସେଠାରେ ଖବର ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ମାଟିତଳେ ଖଞ୍ଜି ହୋଇ ରହିଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କ ବାଇକ୍ ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ନକ୍ସଲଙ୍କ ଏହି ଅମାନୁଷିକ କାର୍ଯ୍ୟକଳାପରେ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଘଟଣାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବ୍ରହ୍ମପୁର ସହରରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଶୋକସଭା କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମୃଦ୍ଧ ଓଡିଶା ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଅଂଶ ଗ୍ରହଣ କରି ଶୋକ ପ୍ରକାଶ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା