ମ୍ୟୁନିସିପାଲଟି ସଫେଇ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ : ତଦନ୍ତ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବରୁ ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ସଫେଇ କାର୍ଯ୍ୟ ପାଇଁ ମାସିକ ୨ଲକ୍ଷ ୯୮ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ମାସିକ ୮ଲକ୍ଷ ୭୭ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏଥିରେ ବହୁ ଚଞ୍ଚକତା ହୋଇଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି । ୧୯୬୪ ମସିହାରରୁ ଜଳେଶ୍ୱର ଏନ୍‌.ଏ.ସି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୩ ମସିହାରେ ମ୍ୟୁନିସିପାଲଟିର ମର୍ଯ୍ୟଦା ପାଇଲା । ରାଜ୍ୟର ଗେଟ୍ ୱେ ଭାବେ ପରିଚିତ ଏହି ମ୍ୟୁନିସିପାଲଟିର ଯେପରି ବିକାଶ ଘଟିବା କଥା ତାହା ହୋଇ ପାରିନାହିଁ । ମ୍ୟୁନିସିପାଲଟି ଲାଗି ଏକ ମାଷ୍ଟର ପ୍ଲାନ ହୋଇନଥିବା ବେଳେ ଏହାର ୫ଟି ୱାର୍ଡ ଗ୍ରାମାଞ୍ଚଳ । ପୂର୍ବରୁ ୬ରୁ ୭ଟି ୱାର୍ଡ ସଫେଇକାର୍ଯ୍ୟଲାଗି ୨ଲକ୍ଷ ୯୮ହଜାର ଟଙ୍କା ମାସିକ ଖର୍ଚ୍ଚ ହେଉଥିଲା । ଏବଂ ନିଳଗିରିର ଏକ ସଂସ୍ଥା ଏହି ସଫେଇ କାର୍ଯ୍ୟ ତୁଲେଇ ଆସୁଥିଲା । ସେତେବେଳେ ୧୭ଜଣ କର୍ମଚାରୀ କାର୍ଯ୍ୟକରିବାକୁ ଥିବା ବେଳେ ବାସ୍ତବରେ ତାହା ହେଉନଥିଲା । କିନ୍ତୁ ଏବେ ସେହି ସଂସ୍ଥା ମୋଟ ୬୨ଜଣ କର୍ମଚାରୀ ୧୭ଟି ୱାର୍ଡରେ କାର୍ଯ୍ୟ କରି ଆସୁଥିବାର ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇ ଆସୁଛି । ଅନ୍ୟପକ୍ଷରେ ଏଥିନେଇ ୮ଲକ୍ଷ ୭୭ହଜାର ଟଙ୍କା ମାସିକ ବ୍ୟୟ ଆଲୋଚ୍ୟର ବିଷୟ ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ପ୍ରତିଦିନ ସଫେଇ ହେଉନଥିବା ମଧ୍ୟ ଅଭିଯୋଗ ହେଉଛି । ଏ ସଂପର୍କରେ ଆଂଚଳିକ ସିପିଏମ୍ ଦଳ, ଜଳେଶ୍ୱର ମ୍ୟୁନିସିପାଲଟିର କେତେକ ଏସ୍‌ଏଚ୍‌ଜି ଗ୍ରୁପ୍‌, ସଚେତନ ନାଗରିକ ମଂଚ ଓ କିଛି ବ୍ୟକ୍ତିଗତଭାବେ ଏହାର ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଅଭିଯୋଗ ସଂପର୍କରେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ରକୁ ପଚାରିବାରୁ ସେ କହିଲେ ପ୍ରତଦିନ ସଫେଇ କାର୍ଯ୍ୟ ହେଉଥିବା ବେଳେ କେତେକ ସ୍ଥାନରେ ସେ ନିଜେ ଉପସ୍ଥିତ ରହୁଛନ୍ତି । ଅଭିଯୋଗ ସଂପର୍କରେ ସେ ଏକ କମିଟି ଗଠନ କରିଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା