ମୋ ସରକାର କାର୍ଯ୍ୟକ୍ରମ : ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ପାଣ୍ଡିୟାନ୍ ଓ ପୋଲିସ ଡିଜି…

ମାଲକାନଗିରି (ସମୃଦ୍ଧ ଓଡ଼ିଶା) ଗ୍ରାଉଣ୍ଡ ଜିରୋରେ କେମିତି ଚାଲିଛି ‘ମୋ ସରକାର କାର୍ଯ୍ୟକ୍ରମ’ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ଅନୁଧ୍ୟାନ ପାଇଁ ସିଧାସଳଖ ନକ୍ସଲ ଅଞ୍ଚଳ ମାଲକାନଗିରିରେ ପହଞ୍ଚି ଯାଇଛନ୍ତି । ‘ମୋ ସରକାର କାର୍ଯ୍ୟକ୍ରମ’ ଆରମ୍ଭ ହେବାର ୭ ଦିନ ପରେ ସ୍ଥିତି ପରଖିଛନ୍ତି 5T ସଚିବ ଭି.କେ ପାଣ୍ଡିୟାନ୍ ଓ ତାଙ୍କ ଟିମ୍ ସିଧା ମାଲକାନଗିରିରେ । ମାଲାକାନଗିରି, କୋରାପୁଟ ଓ ନବରଂଗପୁର ଜିଲ୍ଲା ହସପିଟାଲକୁ ଯାଇ ଟିମ୍ ବାସ୍ତବ ସ୍ଥିତି ଦେଖିଥିବା ବେଳେ ଦୁର୍ବଳ ଭିତ୍ତିଭୂମିର ଲମ୍ବା ତାଲିକା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ ବରଗଡ଼ରେ ପୋଲିସ ଡିଜି ମୋ ସରକାର କ୍ଲାସ୍ ନେଇ ଲୋକଙ୍କୁ ତେରିମେରି ନ ଦେଖାଇ ଭଲ ବ୍ୟବହାର ଦେଖାଇବାକୁ ପାଠ ପଢ଼ାଇଛନ୍ତି । ଆଜି ସ୍ଥିତି ଅନୁଧ୍ୟାନ ବେଳେ ରୋଗୀ ଓ ସଂପର୍କୀୟଙ୍କ ପାଇଁ ବିଶ୍ରାମାଗାର, ଲାବ୍ରୋଟାରୀ ଓ କ୍ୟାଣ୍ଟିନ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ମାଲକାନଗିରି ହସ୍ପିଟାଲ କର୍ତ୍ତୃପକ୍ଷ । କୋରାପୁଟରେ ୫ଶହ ଶଯ୍ୟାବିଶିଷ୍ଟ ଓ୍ୱାର୍ଡ ନିର୍ମାଣ, ୫ଟି ଆମ୍ବୁଲାନସ୍, ଓ ପରୀକ୍ଷା ନିରୀକ୍ଷା ପାଇଁ ୩ଟି ମୃତଦେହ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ଟିମ୍ । ନବରଙ୍ଗପୁର ହସ୍ପିଟାଲରେ ଆବଶ୍ୟକ ହେଉଥିବା ଭିତ୍ତିଭୂମି ପୂରଣ କରିବାକୁ ଟିମ୍ ଆଗରେ ଦାବି କରିଥିଲେ କର୍ତ୍ତୃପକ୍ଷ । ଗାନ୍ଧି ଜୟନ୍ତୀରୁ ଥାନାରେ ବି କାର୍ଯ୍ୟକାରୀ ହେଉଛି ମୋ ସରକାର ଯୋଜନା । ବରଗଡ଼ ଗସ୍ତରେ ଯାଇଥିବା ପୋଲିସ୍ ଡିଜି ବିଜୟ ଶର୍ମା, ଏସ୍‌ପି ଅଫିସ୍‌ରେ ଏନେଇ ଅଧିକାରମାନୀଙ୍କ ସହ କ୍ଲାସ୍ ନେଇଥିଲେ । କହିଥିଲେ ଥାନାରେ ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା ସହ ତେରିମେରି କରାଯାଉଛି । ପଇସା ନେବାକୁ ଚେଷ୍ଟା କରୁଥିବାରୁ ଲୋକେ ଥାନାକୁ ଯିବାକୁ ଡରୁଛନ୍ତି । ପୋଲିସ୍ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି । ସେପଟେ ସରକାରୀ ଟିମ୍ର ଗ୍ରାଉଣ୍ଡ ଭିଜିଟ୍‌କୁ  କେବଳ ଡ୍ରାମା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହାଦ୍ୱାରା କିଛି ଲାଭ ହେବନି ବୋଲି କଂଗ୍ରେସ ଓ ବିଜେପି କହିଛନ୍ତି ।ଦେଖିବାକୁ ବାକି ରହିଲା କେତେ ଦୂର ଲୋକ ଉପକୃତ ହେବେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା