ମୋ ମା’ ଡାକୁଛି ମୋତେ !…

ଜନ୍ମଦାତ୍ରିର ଅନାବିଳ ପ୍ରେମ ଆଗରେ ଦୃଶ୍ୟ, ଅଦୃଶ୍ୟ, ଭାବ ଅନ୍ତର୍ଭୁକ୍ତ
ଅନ୍ୟ ସବୁ ତୁଚ୍ଛ ମନେହେବା ମନୁଷ୍ୟ ପ୍ରାପ୍ତିର ଏକ ଚରମ ଶୀର୍ଷ କ୍ଷେତ୍ର !
ହେଲେ ସେହି ଭାବ ବହିର୍ଭୁତ ମଣିଷର ସଜ୍ଞାବିହୀନ ବ୍ୟବସ୍ଥାରେ ସମସ୍ତେ କ୍ଷୁର୍ଣ୍ଣମସ୍ତା ଆଜିର ଏହି ଅମାନୁଷିକ ମଣିଷ ସମାଜର ଉତ୍ତରୋତ୍ତର ଅଗ୍ରଗତି ବିଷୟ ଭାବିଲେ କେବଳ ଦୁଇଧାର ଲୁହ ଗଢ଼ାଇ ଆଶ୍ୱାସନା ଦେଇ ନିଜକୁ ବୁଝାଇବା ଛଡା ଅନ୍ୟ ଉପାୟ ଦିଶୁନାହିଁ…..!!
ରୈାମ୍ୟ ରମଣୀ ପ୍ରକୃତିର ଚାରୁ ଚନ୍ଦ୍ର ସୁସଜ୍ଜିତ ଉଲ୍ଲାସ ସାଙ୍ଗକୁ ଜୀବ ନିର୍ଜୀବ ସହିତ କୋମଳ ସୁଶୀତଳ ବ୍ୟୋମ ଜଳାଦି ମଧ୍ୟରେ ଦିବା-ନିଶିର କଠୋର ସ୍ନିଗ୍ଧ ସୁଶୀତଳ ଆଲୋକ ଗୁଡିକ ମନ ମାନସରେ ଆନ୍ଦୋଳିତ, ତାହାର ଦୁର୍ଲ୍ଲଭତାକୁ ଅନୁଭବରେ ଦିଗ୍‌ବଳୟର ପରିସୀମା କ୍ଷୁଦ୍ର ହୋଇ ଯାଇଥାଏ ଯାହା ମନରେ ଆଶାତୀତ ଉନ୍ମାଦନା, ସିଂହରଣ ଜାଗ୍ରତ କରାଏ । ମନେହୁଏ ସତେ ଯେମିତି ସୁଖର ସାଗର ସାନିଧ୍ୟ ଅନୁଭୂତିକୁ ପ୍ରକାଶ କରିବାକୁ ଗଲେ କଣ୍ଠରୁଦ୍ଧ ହୋଇପଡେ ବର୍ଣ୍ଣନାରେ ତ’ର…! ଅନୁଭୂତିରେ ଅନୁଭୂତ ଆନନ୍ଦର ଅସୀମ ସୁଖକୁ ଅନୁଭବ, ସେହି ସୁଖକୁ ପ୍ରକାଶ, ବିତରଣ କରିବା ପାଇଁ ଆବଶ୍ୟକ ରହିଥିବା ପ୍ରସସ୍ଥ କ୍ଷେତ୍ର ଭୂମି ତୁଳନାତ୍ମକ ସଂକୁଚିତ ଆଜିର ଏହି ଅପ୍ରାକୃତିକ ଜୀବନ ଶୈଳୀକୁ ସମୀକ୍ଷା କରି ଅନ୍ତର ରୋଦନରେ ମ୍ରିୟମାଣ ମୋ ମା’ ଡାକୁଛି ମୋତେ ତୁ ମୋ କୋଳକୁ ଫେରି ଆ’ ବୋଲି ! ସାମାଜିକ ବଚନବଦ୍ଧ ଅପ୍ରତ୍ୟାବର୍ତ୍ତୀ ସେବକ ଜଣେ ଯେ ସାମାଜିକ କ୍ଷେତ୍ରରେ ନିରଙ୍କୁଶ ମନମାନୀ କରି ନିଜ ପରିବାରଙ୍କ ପୋଷଣ ଉଦ୍ଦେଶ୍ୟରେ ଜନ୍ମଦାତ୍ରୀ ଠାରୁ ନିଜକୁ ଦୁରେଇ ରଖି ତା’ର ସମୟର କରାଳତାରେ ନିତ୍ୟ ବିପଦମୁଖୀ ମୋ ଜୀବନର ଶାନ୍ତ ନିଶ୍ୱାସ ମାରିବା ପରିବେଶ ଠାରୁ ଅନନ୍ତ ଦୂରରେ ମୋ ଜୀବନ ଯନ୍ତ୍ରଣାକୁ ବୁଝିବ ଏଇଠି କିଏ ? ତଥାପି ଛନ୍ଦା ପାଦ ମୋର ସବୁବେଳେ ପ୍ରୟାସରତ ଶିକୁଳି ଖୋଲି ଚାଲିଯିବି ତାହାର କୋଳକୁ ଯେଉଁଠି ମୋ ସ୍ୱର୍ଗ ସେହି ଜନ୍ମଦାତ୍ରୀ ପ୍ରକୃତି ମୋ ଜନ୍ମ ମାଟି ! କି’ନ୍ତୁ ତାହା କ’ଣ ସମ୍ଭବ…..? ଅପୂର୍ବ ଶାନ୍ତିର ଭଣ୍ଡାର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଦୂଷଣ ମୁକ୍ତ ଖୋଲା ଆକାଶର ସୁଶୀତଳ ମରୁତ ସହିତ ପବିତ୍ର ମାଟିର ନିର୍ମଳ ଜଳଧାର ଓ ପ୍ରାକୃତିକ ଖାଦ୍ୟ, ଶସ୍ୟ ରାଶିରେ ଭରପୁର ମୋ ଜନ୍ମ ମାଟିର ପଟ୍ଟାନ୍ତର ନାହିଁ । ଆତ୍ମୀୟ ସ୍ୱଜନଙ୍କ ପ୍ରେମର ଆସର ସାଙ୍ଗକୁ ପଡୋଶୀଙ୍କ ସହାନୁଭୂତିରେ ନିତ୍ୟ ଉଲ୍ଲସିତ ଜୀବନ ଶୈଳୀରେ ନିଜକୁ ମଣିଷ ବୋଲି ନଭାବି ସ୍ୱର୍ଗ ପୂରର ଅଧିବାସୀ ଭଳି ଅନୁଭବ, ଏହି ପରିବେଶରେ ମିଳିବ କାହୁଁ ଯେଉଁଠି ମୋର କର୍ମ କ୍ଷେତ୍ର ?! ଏହା ପରା ସହର, ଯେଉଁଠି କେବଳ ସ୍ୱାର୍ଥନ୍ୱେଷୀ, ପରଶ୍ରୀ କାତର, ଲୁଟେରା, ଠକ, ଭଣ୍ଡ, ମଣିଷ ସଦୃଶ୍ୟ ପଶୁଙ୍କ ମେଳରେ ଜଳ, ବାୟୁ, ଖାଦ୍ୟ ପଦାର୍ଥର ଅପମିଶ୍ରିତ ପ୍ରଦୂଷିତ ପରିବେଶ ସହିତ କଳୁଷିତ ସମ୍ପର୍କର ଅତ୍ୟାଧୁନିକ ବାହ୍ୟ ବ୍ୟବହାର ଏବଂ ପ୍ରତ୍ୟେକ ମୁହୁର୍ତ୍ତରେ ଜଣେ ଅନ୍ୟ ଜଣଙ୍କ ପ୍ରତି ତୁଳନାତ୍ମକ ବିଚାର ରଖି ନିଜକୁ ଶୀର୍ଷରେ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ମା’ର ମମତାମୟୀ ଜନ୍ମ ମାଟି ଛାଡି ବସତି ସ୍ଥାପନ କରିଥା’ନ୍ତି ! ସହରରେ ବସତି ସ୍ଥାପନ କରିବା ଲକ୍ଷ ରଖିଥିବା ମଣିଷଙ୍କ କଥା ଭିନ୍ନ । କିନ୍ତୁ କର୍ମ ଅନ୍ୱେଷଣରେ ସହରରେ ବସତି ସ୍ଥାପନ କରିବା ବାଧ୍ୟ ବାଧକତାର ପରିସ୍ଥିତିକୁ ବୁଝିବା ଅତ୍ୟନ୍ତ କଷ୍ଟ । ବାସ୍ତବିକ ମଣିଷ ଜୀବନର ପ୍ରାକୃତିକ ଆନନ୍ଦ ଉପଭୋଗ କରିବା ସହିତ ଜୀବନ ସାର୍ଥକ କରିବା ପାଇଁ ଜନ୍ମ ମାଟିର ପ୍ରେମ ଆଗରେ ସହର ବସତି ଗ୍ରହଣୀୟ ହୋଇ ନପାରେ । ସମୟ ସ୍ରୋତରେ ନିଜକୁ ଅତ୍ୟାଧୁନିକତାର ବଶବର୍ତ୍ତୀ କରି କୃତ୍ରିମ ଆନନ୍ଦ ଅନୁଭବ ଅଜ୍ଞାନର ଏକ ରୋମାଞ୍ଚକ ରୁଚି । ପ୍ରାକୃତିକ ଜୀବନ ଚର୍ଯ୍ୟାକୁ ଘୃଣା କରି ପାଶ୍ଚାତ୍ୟର ବସବର୍ତ୍ତିତା କରୁଥିବା ନିର୍ବୋଧ ମଣିଷଙ୍କ ଭାବଧାରା ଏକ ଭିନ୍ନ ରୁଚିରେ ରହିଥାଏ । ଗ୍ରାମର ସୁଖ, ଶାନ୍ତି ସହରରେ ପାଇବା ଅସମ୍ଭବ । ସହରର କୃତ୍ରିମ ଆନନ୍ଦ ଏବଂ ଗ୍ରାମ୍ୟ ଜୀବନର ପ୍ରାକୃତିକତା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିବା ଏବଂ ଉପଯୁକ୍ତ ଭାବଧାରା ସୃଷ୍ଟି କରିବା ଏକ ଅସାଧାରଣ ବିଷୟ । ଅନେକ ସମୟରେ ଗ୍ରାମରେ ରହୁଥିବା ମଣିଷ ଗୁଡିକ ସହରବାସୀଙ୍କ ପ୍ରତି ଏକ ଭିନ୍ନ ରୁଚି ରଖୁଥିବା ବେଳେ ସହରୀ ଗ୍ରାମ୍ୟ ଜୀବନଧାରା ପ୍ରତି ଆକୃଷ୍ଠ ଭାବ ପ୍ରଦର୍ଶନ କରୁଥିବା ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳେ ଅନେକ କ୍ଷେତ୍ରରେ । କିନ୍ତୁ ଉଭୟେ ରଖିଥିବା ବିଚାର ମଧ୍ୟବର୍ତ୍ତୀ ମଣିଷ ଆକଳନ କରିଥା’ନ୍ତି ତାହାର ଉପଯୁକ୍ତତା । କର୍ମ ଅନ୍ୱେଷଣରେ ଗ୍ରାମ ଛାଡି ସାହାରାଭିମୁଖୀ ହେବା ମଧ୍ୟ ଏକ ପାଶ୍ଚାତ୍ୟ ଅନୁଭବ । କାରଣ ଉତ୍ତରୋତ୍ତର ଉନ୍ନତିକୁ ବିଚାରକୁ ନେଇ ଅଧିକ ଉପାର୍ଜନ କ୍ଷମ ହେଲେ ପରିବାର ଆନନ୍ଦରେ ଚଳିବା ସହିତ ଆଗାମୀ ପିଢିଙ୍କ ଭବିଷ୍ୟତ ଉଜ୍ଜଳ ହେବାର ସମ୍ଭାବନା ଏକ ପାଶ୍ଚାତ୍ୟ ବିଚାର ଯାହା ଅଧିକାଂଶ ମଣିଷ ଆପଣେଇବାରେ ବ୍ୟଗ୍ର ଆଜିର ସମାଜରେ ଦେଖିବାକୁ ମିଳୁଛି ଅନେକଙ୍କ କ୍ଷେତ୍ରରେ । କି’ନ୍ତୁ ତାହାର କୌଣସି ପ୍ରାକୃତିକତା ନାହିଁ । କାରଣ ଯେତେ ଯାହା କଲେ, ଅରଜିଲେ ମଧ୍ୟ ସମସ୍ତେ ଗୋଟିଏ ପଥର ବାଟୋଇ ହୋଇ ପ୍ରକୃତିରେ ପୁନଃ ବିଲୀନ ହେବା ସୁନିଶ୍ଚିତ ଯାହା କାହାକୁ ଛାଡିବନି । ଧନ, ମାନ, ଜ୍ଞାନ, ଶିକ୍ଷାର ଅଖଣ୍ଡ ଅଧିକାରୀ ମଧ୍ୟ ଦିନେ ଚାଲିଯିବ ସେହିଠାକୁ ଯେଉଁଠୁ ତା’ର ଉତ୍ପତ୍ତି । ଆଉ ଥରେ ଚାଲିଗଲା ପରେ ପୁନଃ ଏହି ସଂସାରରେ ପାଦ ଥାପିବା କିମ୍ବା ସେହି ପୂର୍ବ ସ୍ମୃତିକୁ ଫେରାଇ ଆଣିବା କୌଣସି ବ୍ୟବସ୍ଥା ରଖିନାହିଁ ଜନ୍ମଦାତ୍ରୀ ପ୍ରକୃତି । ତେଣୁ ଏହି ଜନ୍ମର ସଫଳତା କେବଳ ସେହି ଜନ୍ମଦାତ୍ରୀ ପ୍ରକୃତି କୋଳରେ ବଢି, ସଢ଼ି ବିତାଇବା ଠାରୁ ଅଧିକ ଆନନ୍ଦ, ସୁଖ ଆଉ କୋଉଠି ମିଳିବା ଅସମ୍ଭବ । ତଥାପି ଆଜି ସମସ୍ତେ ସହରାଭିମୁଖୀ ହେଉଥିବା ଏକ ଅଲୌକିକ ବିଚାରଧାରା ପ୍ରତି ଅନାଗ୍ରହ ରଖୁଥିବା ମଣିଷଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ଏହା ଅଜ୍ଞାନ, ନିର୍ବୋଧତାର ଚରମ ଶୀର୍ଷକ୍ଷେତ୍ର ଛଡା ଆଉ କିଛି ନୁହେଁ ଯେଉଁମାନେ ଜନ୍ମମାଟି ଛାଡି ସାହାରାଭିମୁଖୀ ହୋଇଥା’ନ୍ତି । ସବୁ ବୁଝି ସୁଝି ମଧ୍ୟ ଜନ୍ମଦାତ୍ରୀ ପ୍ରକୃତି, ଜନ୍ମମାଟି ତଥା ପିତା, ମାତାଙ୍କ କୋଳରୁ ନିଜକୁ ଦୁରେଇ ରଖି ସେମାନଙ୍କ କୋଳରେ ବଢି, ଚଢି ଶେଷରେ ସେମାନଙ୍କ ଠାରୁ ଦୁରେଇ ରହିବାରେ କୌଣସି ବାସ୍ତବ ଆନନ୍ଦ ମିଳିବା ଅସମ୍ଭବ ହୋଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ବାଧ୍ୟ ବଧକତା ମଧ୍ୟରେ ବଂଚୁଥିବା ମଣିଷଙ୍କ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି । କି’ନ୍ତୁ ଏମିତି ନୁହେଁକି ସେମାନେ ନିଜକୁ ସେହି ବାଧ୍ୟ ବଧକତାରୁ ମୁକୁଳାଇ ନିଜକୁ ପ୍ରାକୃତିକ ଭାବେ ଜନ୍ମଦାତ୍ରୀ କୋଳରେ ବଂଚିପାରିବେ ନାହିଁ । ଏହା କେବଳ ମଣିଷର ଏକ ଦୁର୍ବଳ ମାନସିକତା ଛଡା ଆଉ କିଛି ହୋଇ ନପାରେ । ନିଜକୁ ସଜାଡି ବିଚାରଧାରାରେ ପରିବର୍ତ୍ତନ ଆଣିବା ପ୍ରଚେଷ୍ଟା ମଣିଷକୁ ନିଶ୍ଚିତ ସୁଖୀ କରିପାରିବ ଯଦି ଆମେ ନିଜର ବିଚାରଧାରାକୁ କାହା ସହିତ ସମାନ୍ତରାଳ ନକରି କେବଳ ପ୍ରାକୃତିକ ବିଚାର ରଖିବା । ଅଲୌକିକ ଚେତନା ଠାରୁ ନିଜକୁ ଦୁରେଇ ରଖି ପାରିଲେ ଷଡ଼ଯନ୍ତ୍ରୀଙ୍କ ପ୍ରରୋଚନରୁ ନିଜକୁ ମୁକୁଳିତ କରି ପରିବା ଏବଂ ଜୀବନର ବାସ୍ତବତାକୁ ଅନୁଭବ କରି ପାରିବା । ଯେତେଦିନ ପର୍ଯ୍ୟନ୍ତ ଅନୁସରଣ, ଅନୁକରଣ ଭାବାବେଗ ସୃଷ୍ଟି ହେଉଥିବ ମନରେ ସେତେଦିନ ପର୍ଯ୍ୟନ୍ତ ମଣିଷ ନିଜସ୍ୱ ଜ୍ଞାନ ଅର୍ଜନ କରିବା ଅସମ୍ଭବ । ବରଂ ଶିକ୍ଷାରେ ବଶୀଭୂତ ନିଜର ପ୍ରାକୃତିକ ଜୀବନକୁ ବିନିଯୋଗ କରି କୃତ୍ରିମ ଜୀବନ ଚର୍ଯ୍ୟାରେ ନିଜକୁ ଜାଳି ଜାଳି ଜୀବନ ଅତିବାହିତ କରିବାରେ କାହାର ହସ୍ତକ୍ଷେପ ରହିବ ନାହିଁ । ଜୀବନ ଜଞ୍ଜାଳକୁ ସରଳରେ ଗ୍ରହଣ କଲେ କୌଣସି ବୀମା ଯୋଜନା କିମ୍ବା ଭବିଷ୍ୟ ଗଠନର ଆବଶ୍ୟକତା ରହିବ ନାହିଁ ଯାହା କ୍ରୁର ବ୍ୟବସାୟୀଙ୍କ ଠାରୁ ଶିକ୍ଷା କରି ମଣିଷ ଅପ୍ରାକୃତିକ ଜୀବନ ବଞ୍ଚୁଛି ! କୌଣସି ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଜୀବନ ଶୈଳୀରେ ଉନ୍ନତି ଉପରେ କାହା ସହିତ ସମାନ୍ତରାଳ ତଥା ମୁକାବିଲା କରିବା ବିଚାର ମନରେ ସୃଷ୍ଟି ନକରି କେବଳ ପ୍ରାକୃତିକ ଉପାୟରେ ଜୀବନ ଚର୍ଯ୍ୟା ଉପରେ ମନୋନିବେଶ କଲେ ଆଜିର ଏହି ଅପ୍ରାକୃତିକ କୁହେଳିକାକୁ ଅଚିରେ ସାମ୍ନା କରିହେବ କେବଳ ପ୍ରାକୃତିକ ଉପାୟରେ ଯାହା ମଣିଷକୁ ଅତ୍ୟନ୍ତ ସୁଖମୟ ଜୀବନ ବଂଚିବାରେ ସହାୟକ ହୋଇ ପାରିବ । କି’ନ୍ତୁ ସେସବୁ ଆଉ ଅଛି ?! ଏହି ବିଚାରଧାରା ରଖିଥିବା ମଣିଷ ଅତ୍ୟନ୍ତ ବିରଳ ! ତର୍ଜମା କରି ଦେଖିଲେ ଜାଣି ପାରିବେ ବାସ୍ତବ କ’ଣ ଏବଂ ମନୁଷ୍ୟ ଜୀବନର ପ୍ରକୃତ ଆନନ୍ଦ କେବଳ ପ୍ରାକୃତିକତାରେ ରହିବା ବ୍ୟତୀତ କୌଣସି ଅଲୌକିକ କିମ୍ବା କୃତ୍ରିମ ବିଷୟ ମଣିଷକୁ କେବେ ସୁଖ ଦେଇ ପାରିବ ନାହିଁ । ତେଣୁ ଆଜିଠାରୁ ମନସ୍ଥ କରିଛି ସଂସାରର ସମସ୍ତ କୁହେଳିକାକୁ ପଛରେ ପକାଇ ନିଜସ୍ୱ ଭାବଧାରରେ ପ୍ରାକୃତିକ ଜୀବନ ବଂଚିବା ଶଖିବି ଜୀବନ ଶେଷ ପର୍ଯ୍ୟନ୍ତ ଫେରି ଯାଇ ମୋ ମା’ କୋଳକୁ ଯିଏ ମୋତେ ଜନ୍ମ ଦେଇଛି ତାହାର କୋଳରେ । କି’ନ୍ତୁ ତାହା କେତେଦୂର ଏବଂ କେବେ ସମ୍ଭବ ହେବ ସମୟ କହିବ…..!

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.