ମୋ ଗାଆଁ, ମୋ ମାଆ

ସେନେହ ଶରଧା ମମତାରେ ବୋଳା
ମୋ ଗାଆଁ, ମୋ ମାଆ,
ବାରମାସେ ତେର ପୁନେଇ ପରବେ
ପାଳନ୍ତି ସାରା ଓଡ଼ିଆ।
ପୁରୁବ ପୁରୁଷ ରଖି ଯାଇଛନ୍ତି
କେତେ ଯେ ନୀତି ନୀୟମ,
ପରବପର୍ବାଣୀ ପିଠା ପଣା ପୁଣି
କରିବାକୁ ନାନା କରମ।
ପରିବାରର ଯେ ବଡ଼ପୁଅ ଝିଅ
ସହିଥାନ୍ତି ଯେ କଷଣ,
ବନ୍ଦାପନା କରି ନୂଆବସ୍ତ୍ର ଦେଇ
ବରନ୍ତି ଶ୍ରେଷ୍ଠ ବରଣ।
ରଜପର୍ବ, ପୁଣି ପ୍ରଥମା ଅଷ୍ଟମୀ
ଆଉ ଯେତେ ଓଷା ବାର,
ପାଳନରେ ଅବହେଳା ନ କରନ୍ତି
ନିଛକ ଓ ନିଦର୍ଶନ ଏହା ଆମ
ସଂସ୍କୃତି ଓ ପରମ୍ପରା ର।
ପଢୁଆଁ ଅଷ୍ଟମୀ ଆଜି ପରା ଭାଇ
ମନେ ପଡେ ଭାରି ମୋର,
ବଡିଭୋରରୁ ହଳଦୀପତରେ ମାଆ
କରେ ଏଣ୍ଡୁରି ପିଠା,
ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧି
ଆନନ୍ଦରେ ଖାଉ ପିଠା ମିଠା।
ଭାଇଭଉଣୀଙ୍କୁ କେଡ଼େ ସରାଗରେ
ମାଆ ଦେଉଥାଏ ଖୋଇ,
କିଏ ଖୋଇଦେବ ବହୁତ ଦୂରେ ମୁଁ
ମାଆ ଯେ ମୋ ପାଖେ ନାହିଁ।
ଆଖିରୁ ଟୋପାଏ ଲୁହ ଝରିଗଲେ
କାନିରେ ପୋଛି ସେ ଦିଏ,
ବାହାକରି ପରଘରକୁ ପଠାଇ
କିଏ କେତେ ପର କରିଦିଏ।
ମାଆ ଅଛି ସିନା ପାଖେ ମୋର ନାହିଁ
କିଏ ବୁଝିବ ମୋ ମନ କଥା,
ସବୁବେଳେ ତାକୁ ଭାଳିହୁଏ ସିନା
ଆଉ ବୁଝିବ କିଏ ମୋ ମନବ୍ୟଥା।
ଯେତେଦୁଷ୍ଟ ହେଲେଯେତେକଷ୍ଟ ଦେଲେ
ସହେ ମୋ ମାଆ ମୋ ଗାଆଁ,
ପରକରି ଦେଇ କେମିତି ରହୁଛୁ
କହିବୁ କି ଥରେ ମାଆ।

ଲେଖକ : ପ୍ରଣତି ମହାପାତ୍ର, ବାଲେଶ୍ଵର

ସାମ୍ପ୍ରତିକୀ

ସଭିଏଁ ପଢିବା ସାକ୍ଷର ହେବା
ଶିକ୍ଷିତ ସଂଖ୍ୟା ବଢାଇବା,
ଚାଷକାମ ଆଉ କୌଳିକ ବୃତ୍ତିକୁ
ନ୍ୟୁନ ଚକ୍ଷୁରେ ଦେଖିବା।
ବଢୁଛି ବେକାରୀ ଚାଲେ ଗୁଣ୍ଡାଗିରି
ନିଶା ପ୍ରୋତ୍ସାହନ ଦେବା,
ନିଶାଦ୍ରବ୍ୟ ଯେତେ କଟକଣା ହେଉ
ଖୋଲାଖୋଲି ଖାଉଥିବା।
ଆଇନ କାନୁନ କଡା ହେଉ ପଛେ
ନାରୀ ଅସମ୍ମାନ କରିବା,
ଇଣ୍ଟରନେଟ ଯୁଗରେ ନେଟ୍ ଚଲାଇ
ଅନଲାଇନରେ ମିଶୁଥିବା।
ଗୁରୁଦିବସ,ଶିଶୁଦିବସ,ପିତୃଦିବସ
ନାମେ ଫଟୋ ଉଠାଇବା,
ସରିଗଲା ପରେ ଆପଣାର ବିଶ୍ଵ
ରୂପରେ ପ୍ରକଟ ହେବା।
ଗଣତନ୍ତ୍ରର ଦ୍ଵାହି ଦେଇ ଆମେ
ଝଣ୍ଡାକୁ ସମ୍ମାନ ଦେବା,
ଆପଣା ସ୍ଵାର୍ଥରେ ମସଗୁଲ ହୋଇ
ବିଧିବିଧାନ ଭାଙ୍ଗିବା।

ଲେଖକ : ପ୍ରଣତି ମହାପାତ୍ର, ବାଲେଶ୍ଵର

କେବଳ ନାରୀ

ବିଦାୟ ପର୍ବ ଆଗକୁ ମନ ଖରାପର ଆସାଇଲାମରେ
ବିଷଣ୍ଣତାର ସାଦର ଆମନ୍ତ୍ରଣ
ଅନୁଶୋଚନାର ଅନ୍ତରେ ଅନ୍ୟମନସ୍କତାର ଅନୁଭବ
ଭରସା ଥାଉ ଭଲପାଈବାର
ତୀରରେ ଖେଳ କରିଥାଏ
ଡିଭୋର୍ସ ହାତଠାରି ଡାକେ
ସାଂସାରିକ ଆଧୃପତ୍ୟ
ଉପହାସ କରୁଥାଏ ନାରୀ ସତସତାକୁ
ପ୍ରଭୁତ୍ତ୍ବର ଦାକ୍ଷିଣ୍ୟରେ
ନାରୀତ୍ତର ମୋକ୍ଷଲାଭ ଘଟୁଥାଏ
ଶିଖାର ପ୍ରତିବିମ୍ବରେ ଜାୟାର ହସ
ବିବେକର ପାଖେ ଛିଡ଼ା ହୋଈଥୃବା
ଏକ ସ୍ୱାଧୀନ ପ୍ଲାଷ୍ଟିକ ନାରୀ
କେବଳ ନାରୀ ଗୋଟିଏ
କେବଳ ମାତ୍ର ନାରୀଟିଏ।

ସୁଜାତା ବନ୍ଦୋପାଧ୍ୟାୟ,କୋଷାଧ୍ୟକ୍ଷା କାଟୋୟା ସଂସ୍କୃତି ସଂଘ,ପଶ୍ଚିମବଙ୍ଗ,ବର୍ଧମାନ
ପ୍ରକାଶିତ ଯୁଗଶ୍ରୀ ଯୁଗନାରୀ