ମେରୁ ସଂକ୍ରାନ୍ତି ପାଳନ ନ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ହେଉଛି ପବିତ୍ର ମେରୁ ସଂକ୍ରାନ୍ତି । ଏହି ସଂକ୍ରାନ୍ତି ପାଳନ ନ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଭୟାବହତାକୁ ଦେଖି ଲକଡାଉନ ଜାରି ରହିଥିବା ବେଳେ ସମସ୍ତ ଲୋକମାନେ ଘରେ ରହି ମେରୁ ସଂକ୍ରାନ୍ତି ପାଳନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଏହାସହ ବର୍ତ୍ତମାନ ସମୟରେ ପଣା ବିତରଣ କରାଯିବ ନାହିଁ, ଦଣ୍ଡୁଆ ମାନେ ଦଣ୍ଡ ଭାଙ୍ଗି ପାରିବେ ନାହିଁ, ଏପରିକି ହନୁମାନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଦ୍ୱାରା ହନୁମାନ ଚାଳିଶା ପାଠ କରାଯିବ ନାହିଁ ବୋଲି କୁହାଯାଇଛି । କରୋନା ଭୁତାଣୁ ସଂକ୍ରମଣର ଭୟାବହତା ହେତୁ ପୂର୍ବରୁ ଦଣ୍ଡଯାତ୍ରା ପାଳନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧ କରାଯାଇଥିଲା ଏବଂ ଚୈତ୍ର ମଙ୍ଗଳବାରେ ତାରାତାରିଣୀ ପିଠ ସମେତ ବିଭିନ୍ନ ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମେରୁ ସଙ୍କରାନ୍ତିରେ ମଧ୍ୟ ଗଞ୍ଜାମ ବାସିନ୍ଦା ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିବା ସହ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି । ଯଦିକୌଣସି ବ୍ୟକ୍ତି ସରକାରଙ୍କ ନିୟମକୁ ଉଲ୍ଲଘଂନ କରନ୍ତି ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନି ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା