ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ…

କନ୍ଧମାଳ (ସମୃଦ୍ଧ ଓଡିଶା) ଶୁକ୍ରବାର ଦିନ କନ୍ଧମାଳରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଞ୍ଚି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର ଉପଲବ୍ଧତା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ସେ ଚୟନ କରିଥିବା ସ୍ଥାନକୁ ପ୍ରଶଂସା କରିଛନ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଓ ଜଳ ସଂରକ୍ଷଣ ସଂରଚନା ପାଇଁ ଯୋଜନା କରିବାକୁ ସଂଲଗ୍ନ ପାହାଡ ଏବଂ ଜଳ ସମ୍ପଦ ବିଭାଗରେ ବୃକ୍ଷରୋପଣ କରାଯିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଫାଇଭ-ଟି ସଚିବ ରୋଗୀଙ୍କ ପାଇଁ ଖାଦ୍ୟ ସୁବିଧା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ କ୍ୟାମ୍ପସରେ ରହୁଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କ ନିମନ୍ତେ ପରିବେଶ ଅନୁକୂଳ ବ୍ୟବସ୍ଥା ସମେତ ସେମାନଙ୍କ ପରିବାର ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ହସ୍ପିଟାଲ ପରିସର ମଧ୍ୟକୁ ଯାନବାହାନ ଯାତାୟାତ ଓ ଦୁର୍ଘଟଣା ଏଡ଼ାଇବାକୁ ଅଟୋ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛନ୍ତି । ଏହି କ୍ୟାମ୍ପସରେ ୩୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ, ୧୫୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ, ୬୫୦ କ୍ଷମତା ସମ୍ପନ୍ନ ଅଡିଟୋରିୟମ, ଡାକ୍ତରମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ରହିଛି । ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୦୨୦ ଡିସେମ୍ବରରେ ଅନୁମୋଦନ କରିଥିଲା । ଫୁଲବାଣୀରେ ଥିବା ମେଡିକାଲ କଲେଜରେ ୧୦୦ଟି ସିଟ୍ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଅନୁମୋଦନ କରାଯାଇଥିଲା । ୪୫୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି । ପରେ ଉଚ୍ଚସ୍ତରୀୟ ଦଳ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ପରିଦର୍ଶନ କରିଥିବା ସୂଚନା ମିଳିଛି । ମୋ ସ୍କୁଲ ଅଭିଯାନର ଏକ ଅଂଶ ଭାବରେ ଉଭୟ ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ଏଥିରେ ଅଧିକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଏହି ପରିଦର୍ଶନ ସମୟରେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ-ଟି ସଚିବ ଶିକ୍ଷକ, ଛାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ସେହି ଦୁଇଟି ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ଓ କ୍ରୀଡା ସୁବିଧା ବ୍ୟବସ୍ଥା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି l