ମୃତ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହରସ୍ଥିତ ନୂଆସାହି ନିକଟ ପାହାଡ ପାଦଦେଶରେ ଏକ ଲଟାବୁଦାରୁ ଜଣେ ମୃତ୍ୟ ମଣିଷର ନରକଙ୍କାଳ ପୋଲିସ ଉଦ୍ଧାର କରିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ, ସାଇଣ୍ଟିଫିକ୍‍ ଟିମ ଓ ଡଗ୍‍ ସ୍କ୍ୱାଡ୍‍ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । କଙ୍କାଳ ମିଳିଥିବା ସ୍ଥାନରେ ସାଇଣ୍ଟିଫିକ ଟିମ ଯାଞ୍ଚ ବେଳେ ଜବତ କରିଥିବା ସମଗ୍ରୀରୁ ଜଣେ ନିଖୋଜ ସ୍ଥାନୀୟ ଚତୃର୍ଥ ସିଆରପିଏଫ ବାଟାଲିୟନ ଯବାନଙ୍କ ମୃତଦେହ ବୋଲି ପୁଲିସ ସନ୍ଦେହ କରିଛି । ତେବେ ଅପହରଣ କରି ତାଙ୍କୁ ହତ୍ୟା ପରେ କେହି ଦୃବୁତ୍ତ ଆଣି ସେଠାରେ ମୃତଦେହ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ କୁହାଯାଉଛି । ଦୀର୍ଘ ଦୁଇମାସ ଧରି ଧରମ ଦେବ ନାମକ ଯବାନ ନିଖୋଜ ହୋଇଥିବା ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ ଦାୟର କରିଥିଲେ । ଆଜି ଘଟଣାସ୍ଥଳରୁ ପୁଲିସ ତାଙ୍କ ପରିଚୟପତ୍ର, ଆଧାରକାର୍ଡ, ୟୁନିଫର୍ମ ଓ ଅନ୍ୟ ଆସବାପତ୍ର ଜବତ କରିଛି । ପ୍ରାରମ୍ଭିକ ତଦନ୍ତରୁ ଉକ୍ତ ନିଖୋଜ ସିଆରପିଏଫ ଯବାନଙ୍କ ନରକଙ୍କାଳ ବୋଲି ପୁଲିସ ସନ୍ଦହ କରୁଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଗତ ଡିସେମ୍ବର ମାସ ୨୯ତାରିଖରେ ଧରମ ଦେବ ନାମକ ଯବାନ ନିଖୋଜ ହୋଇଥିବା ମାମଲା ଥାନାରେ ଦାୟର ହୋଇଥିଲା । ରାୟଗଡ଼ା ଜିଲ୍ଲା ସେଷଖାଲ ଥାନା ଅଧିନସ୍ତ ସିଆରପିଏଫ ୪ର୍ଥ ବାଟାଲିୟାନରେ ଧରମ ଦେବ କାର୍ଯ୍ୟରତ ଥିଲେ । ବିଗତ ଡିସେମ୍ବର ମାସ ଶେଷ ସପ୍ତାହରେ ଶ୍ରୀ ଦେବଙ୍କ ଦିଲ୍ଲୀସ୍ଥିତ ସିଆରପିଏଫ କାର୍ଯ୍ୟାଳୟଠାରେ ଡିପୁଟେସନ ହୋଇଥିବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସମ୍ପ୍ରତି କାର୍ଯ୍ୟାଳୟରେ ଯୋଗଦେବା ସକାଶେ ସେ ଉପରୋକ୍ତ ତାରିଖ ଦିନ ଶେଷଖାଲସ୍ଥିତ ସିଆରପିଏଫ ଥାନା ଅଧିକାରୀଙ୍କଠାରୁ ଅନୁମତି ପତ୍ର ଆଣି ରାୟଗଡ଼ା ସହରସ୍ଥିତ ୪ର୍ଥ ବାଟାଲିୟନ କମାଣ୍ଡାଙ୍କ ସ୍ୱାକ୍ଷରକ୍ରମେ ଦିଲ୍ଲୀସ୍ଥିତ ସିଆରପିଏଫ ବାଟାଲିୟନକୁ ଯିବା ପାଇଁ ଯୋଜନା ଥିଲା । ତେବେ ଯୋଜନା ମୁତାବକ ଅନୁରୂପ ନହୋଇ ଶ୍ରୀ ଦେବ ଶେଷଖାଲ ସିଆରପିଏଫ ବାଟାଲିୟନରୁ ବାହାରି ବସ୍‍ ଯୋଗେ ରାୟଗଡ଼ା ଅଭିମୁଖେ ଆସିଥିଲେ । କିନ୍ତୁ ବସ୍‍ ଷ୍ଟାଣ୍ଡରେ ପହଞ୍ଚିବା ପରେ ସେ ନିଖୋଜ ହୋଇଥିଲା । ଦୀର୍ଘଘଣ୍ଟା ବିତିଥିଲେ ସୁଦ୍ଧା ଯବାନଙ୍କୁ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ହୋଇ ନଥିଲା । ସିଆରପିଏଫ ୪ର୍ଥ ବାଟାଲିୟନ ଅଧିକାରୀଙ୍କ ପକ୍ଷରୁ ବହୁ ଖୋଜାଖୋଜି କଲା ପରେ ଘଟଣା ସଂମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚିତ କରାଯାଇଥିଲା । ତେବେ ଖବର ପାଇ ଜାନୁଆରୀ ୨ତାରିଖ ଦିନ ପରିବାର ଲୋକେ ରାୟଗଡ଼ାଠାରେ ପହଞ୍ଚି ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଏହି ନରକଙ୍କାଳ ନିକଟରୁ ଜବତ ହୋଇଥିବା ଆସାବପତ୍ର ଉକ୍ତ ଧରମ ଦେବ ନାମକ ସିଆରପିଏଫ ଯବାନଙ୍କର ବୋଲି ପୋଲିସ ଓ ସିଆରପିଏଫ ଦ୍ୱିତୀୟ କମାଣ୍ଡାଣ୍ଟ ଏସକେ ଠାକୁର ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ