ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ଯୋଜନା : ଜିଲ୍ଲାପାଳଙ୍କ ଏବେ ଡାକ୍ତରଖାନା ଓ ଡାକ୍ତରଙ୍କ ସେବା ଉପରେ ତୀକ୍ଷଣ ନଜର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଖାନା ତଥା ହସ୍ପିଟାଲ ମେଡିକାଲଗୁଡିକର ସୁପରିଚାଳନା ଓ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ବିଭିନ୍ନ ପଦକ୍ଷେପମାନ ନିଆଯାଇ ଏବଂ ମେଡିକାଲ ଗୁଡିକର ସୁଧାର ଆଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବେ ପୁରା ଆକ୍ସନ ମୁଡ଼ରେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ଅଚାନକ ଆଜି ବ୍ରହ୍ମପୁର ସିଟି ମେଡିକାଲ ଓ ବଡ଼ ମେଡିକାଲ ପରିଦର୍ଶନ କରି ଥିଲେ । ସିଟି ହସ୍ପିଟାଲର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଅଭାବ ଅସୁବିଧା ସମ୍ପର୍କରେ ହସ୍ପିଟାଲ ଏଡ଼ିଏମଓ ଏବଂ ସିଡିଏମଓ ଡ଼.ବିଜୟ କୁମାର ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଠିକ ରୂପେ ମିଳିଛି ନା ନାହିଁ, ଦଲାଲଙ୍କ ହସ୍ତକ୍ଷେପ ବନ୍ଦ ହୋଇଛି ନା ନାହିଁ ତାହା ପଚାରି ବୁଝିଥିଲେ । ଏପରିକି କୌଣସି ଔଷଧ ଦୋକାନରେ ଯଦି ପଲିଥିନ ବ୍ୟବହାର ହେଉଥିବାର ଜଣାପଡେ ତାହା ହେଲେ ୧୦ହଜାର ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ସେ ତାଗିଦ କରିଥିଲେ । ବ୍ରହ୍ମପୁର ମହାନଗର ନିଗମର ଟିମ ବିଭିନ୍ନ ଔଷଧ ଦୋକାନ ଚଢ଼ଉ କରି ଜୋରିମାନା ମଧ୍ୟ ଆଦାୟ କରିଥିଲେ । ଏହାପରେ ଜିଲ୍ଲାପାଳ ବଡ ମେଡିକାଲ ଯାଇ ସେଠି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲିବା ସହ ନିରାମୟ ଯୋଜନାରେ ଔଷଧ ଉପଲବ୍ଧ ରହୁଛି ନା ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ବରିଷ୍ଠ ନାଗରିକ ମାନଙ୍କ ସୁବିଧା ପାଇଁ ସିଟି ହସ୍ପିଟାଲରେ ଗ୍ରାଉଣ୍ଡ ଫ୍ଲୋରରେ ସ୍ୱତନ୍ତ୍ର ନିଦାନ କେନ୍ଦ୍ର ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ସିଟି ହସ୍ପିଟାଲ ପରିସରରେ ଥିବା ଦୁଇଟି ଔଷଧ ଦୋକାନର କାଗଜପତ୍ର ଯାଞ୍ଚ କରିଥିଲେ । ଜିଲ୍ଲାପାଳଙ୍କ ଏପରି ଅଚାନକ ଚଢ଼ାଉକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଡାକ୍ତରଙ୍କ ମହଲରେ ତତ୍ପରତା ପ୍ରକାଶ ପାଇଥିବା ବେଳେ ଔଷଧ ଦୋକାନ ଗୁଡିକ ମଧ୍ୟ ପଲିଥିନ ବ୍ୟବହାରକୁ ନେଇ ସତର୍କ ହୋଇ ଉଠିଥିବା ଦେଖିବାକୁ ମିଳିଛି । ସିନିୟର ସିଟ୍ ଜିନ୍ ଙ୍କ ପାଇଁ ଆଉ ଗୋଟିଏ ନିରାମୟ କେନ୍ଦ୍ର ଓ ସାଧାରଣ ବର୍ଗଙ୍କ ପାଇଁ ଆଉ ଗୋଟିଏ ନିରାମୟ କେନ୍ଦ୍ର ଖୋଲିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ହସପିଟାଲରେ ରୋଗୀଙ୍କ ଭିଡ ମଧ୍ୟରେ କିପରି ସୁବିଧାରେ ଉନ୍ନତ ମାନର ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା