ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସୁଥିବା ଇ-ଅଭିଯୋଗ ଦରଖାସ୍ତ ଉପରେ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଯେଉଁ ସବୁ ଇ-ଅଭିଯୋଗ ଦରଖାସ୍ତ ଗୁଡିକ ତଦାରଖ ପାଇଁ ଜିଲ୍ଲା ସ୍ତରକୁ ପ୍ରେରଣ ହେଉଛି, ସମ୍ପୃକ୍ତ ବିଭାଗ ଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଞ୍ଜାମର ଭାରପ୍ରାପ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଇ-ଅଭିଯୋଗ ଦରଖାସ୍ତ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ସମସ୍ତ ପଡିରହିଥିବା ଇ-ଅଭିଯୋଗ ଗଡିକୁ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଫଏସଲା କରିବାକୁ କହିଛନ୍ତି । ଯେଉଁ ବ୍ଲକ, ତହସିଲ କିମ୍ବା ଅନ୍ୟାନ୍ୟ ବିଭାଗ ଗୁଡିକରେ ଅଧିକ ସଂଖ୍ୟକ ଇ-ଅଭିଯୋଗ ପଡି ରହିଛି ଏଥିରେ କାର୍ଯ୍ୟାଳୟର ସଂଖ୍ୟାଧିକ କର୍ମଚାରୀ ନିୟୋଜିତ କରି ସାରିବା ପାଇଁ କୁହାଯାଇଛି । ଇ-ଅଭିଯୋଗର ଫଏସଲା ନକଲ ଅନଲାଇନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣା ହେବା ସହିତ ଏହାର ଏକକିତା ନକଲ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ପ୍ରଦାନ କରାଯିବ । ପ୍ରତ୍ୟେକ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ନକଲରେ କାର୍ଯ୍ୟାଳୟ ମୁଖ୍ୟଙ୍କ ଦସ୍ତଖତ ରହିବ । ପ୍ରତ୍ୟେକ ଶନିବାର ଦିନ କାର୍ଯ୍ୟାଳୟ ମୁଖ୍ୟ ଇ-ଅଭିଯୋଗର ସମୀକ୍ଷା କରିବେ । ଜାନୁୟାରୀ ୧୫ ତାରିଖ ପରେ ଦପ୍ତରକୁ ପ୍ରେରଣ ହେଉଥିବା ଇ-ଅଭିଯୋଗ ଗୁଡିକ ୭ ଦିନ ମଧ୍ୟରେ ଫଏସଲା କରାଯିବ । ଅବହେଳା କଲେ ସଂପୃକ୍ତ ଅଧିକାରୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପାଜିଲ୍ଲପାଳ ପ୍ରିୟରଞ୍ଜନ ପୃଷ୍ଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଗଞ୍ଜାମ, ଛତ୍ରପୁର ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା