ମାଲବାହୀ ଟ୍ରକରେ ମୁମ୍ବାଇରୁ ଆସିଲେ ଓଡ଼ିଆ ଶ୍ରମିକ…

ବେଗୁନିଆପଡା (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି ଏବଂ ପ୍ରତି ରାଜ୍ୟ ତଥା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି । ପୋଲିସ୍ ମୁତୟନ ରହି ପଇଁତରା ମାରୁଛି । ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଅତ୍ୟାବଶ୍ୟକ ପରିବହନ ଗାଡି ଗୁଡିକ ମଧ୍ୟ ଚେକିଂ କରାଯାଉଛି । ତେବେ ଏହିଭଳି ପରିସ୍ଥିତିରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଯେନତେନ ଉପାୟରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ଯାନବାହାନ ଚଳାଚଳରେ କଟକଣା ଥିବା ଏବଂ ଲକ୍ ଡାଉନ୍ କଟକଣା ଥିବା ବେଳେ ମୁମ୍ବାଇରୁ ବିଭିନ୍ନ ଟ୍ରକ ଯୋଗେ ଲିଫ୍ଟ ରେ ଚାଲି ଆସିଲେ ଗଂଜାମ ଜିଲ୍ଲା ବେଗୁନିଆପଡ଼ାର ଜଣେ ଯୁବକ । ଯୁବକ ଜଣକ ବାପୁଜୀ ନଗର ସାହିର ଏବଂ ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡିଛି । ସାହି ବାସିନ୍ଦାଙ୍କ କହିବା ଅନୁଯାୟୀ ଗତ ସୋମବାର ରାତିରେ ଘରକୁ ଚାଲି ଆସିଥିବା ବେଳେ ସାହି ଲୋକେ ସରପଞ୍ଚ ଅରୁଣ କୁମାର ମାଝୀଙ୍କୁ ଖବର ଦେଇଥିଲେ । ଏହାପର ଦିନ ଅର୍ଥାତ୍ ମଙ୍ଗଳବାର ତାକୁ ବେଗୁନିଆପଡ଼ା ମେଡିକାଲ୍ ପଛପଟେ ଥିବା ଅସ୍ଥାୟୀ କ୍ୱାରାନଟାଇନରେ ରଖାଯାଇଥିଲା । ସମିତି ସଭ୍ୟ ନାରାୟଣ ବେହେରା ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ବୁଧବାର ତାକୁ ବ୍ରହ୍ମପୁର ବଡମେଡିକାଲ କୋଭିଡ୍-୧୯ ୱାର୍ଡକୁ ପରୀକ୍ଷା ନିମନ୍ତେ ନିଆଯାଇଥିଲା । ଅପରପକ୍ଷେ ଏନେଇ ଯୁବକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଲିଫ୍ଟ ଯୋଗେ ମୁମ୍ବାଇରୁ ବ୍ରହ୍ମପୁର ଚାଲି ଆସିଥିଲି । ବ୍ରହ୍ମପୁର ପୋଲିସ ମଧ୍ୟ ଅଟକାଇଥିଲା । ପରେ ଛାଡି ଦେଇଥିଲା ।ଏହାପରେ ମୁଁ ଗାଁ’କୁ ଆସିଥିଲି ବୋଲି କହିଛନ୍ତି । ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ତ୍ୱେ ମୁମ୍ବାଇରୁ ବିଭିନ୍ନ ଚେକ୍ ଗେଟ୍ ଦେଇ କିଭଳି ଚାଲିଆସିଲେ ବୋଲି ପ୍ରଶ୍ନ ଉଠିଛି । ଯଦିଓ ବାହାରୁ କୌଣସି ବ୍ୟକ୍ତି ଆସୁଛନ୍ତି ସେମାନଙ୍କ ଗସ୍ତ ବିବରଣୀ ସହ ତୁରନ୍ତ କ୍ୱାରାନଟାଇନରେ ଭର୍ତ୍ତି କରା ନ ଗଲେ ସମସ୍ୟା ଉପୁଜିବା ସ୍ୱାଭାବିକ ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି । ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଏଦିଗରେ କଡାକଡି ଧ୍ୟାନ ଦେବାକୁ ସେମାନେ ଦାବି ଜଣାଇଛନ୍ତି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ