ମା’ତାରାତାରିଣି ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ : ବିନା ଭକ୍ତରେ ପାଳନ ହେବ ମା’ଙ୍କ ପୂଜା…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିରରେ ଚାଲୁଥିବା ବିଭିନ୍ନ କାର୍ଯ୍ୟ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରାଯିବ ସେଥିନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ମନ୍ଦିରର ନୂତନ ଭାବେ ଗଠନ ହୋଇଥିବା ଟ୍ରଷ୍ଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନାକୁ ଦୃଷ୍ଠିରେ ରଖି ଚଳିତ ବର୍ଷ ମାଙ୍କ ପୂଜା ରିତିନିତି ପ୍ରକାରେ ବିନା ଭକ୍ତରେ ପାଳନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ଏହା ସହ କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ପୁର୍ତ୍ତ ବିଭାଗର ସୁପରିଟେଣ୍ଡେଂଟ ଇଂଜିନିୟର (ବ୍ରହ୍ମପୁର) ତୁଷାରକାନ୍ତ ପଣ୍ଡା, ମନ୍ଦିର କମିଟି ଟ୍ରଷ୍ଟିର ସଭ୍ୟ ପ୍ରମୋଦ କୁମାର ପଣ୍ଡା, ଡିଏସପି ଉତ୍କଳ କେଶରୀ ଦାଶ, ପୁରୁଷୋତ୍ତମପୁର ବିଡିଓ ବିଜୟ ବେହେରା, ପୁରୁଷୋତ୍ତମପୁର ତହସିଲଦାର ଅରୁଣ ନାୟକ,ପୁଜକ ବାପୁଜୀ ରଣା, ତପନ କୁମାର ରଣା, ହର ପ୍ରସାଦ ରଣା ପ୍ରମୂଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା