ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱତନ୍ତ୍ର କୀଟ ଯୋଗାଇବାକୁ ଦାବୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ୍ ମାନଙ୍କରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସମସ୍ତଙ୍କୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବେଳେ ମୂଲ୍ୟାୟନ କେନ୍ଦ୍ରରେ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ମାକ୍ସ, ଗ୍ଲୋବ ଆଦି ଥିବା ଏକ ସ୍ୱତନ୍ତ୍ର କୀଟ ଯୋଗାଇ ଦେବାକୁ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦାବୀ କରାଯାଇଛି । ସେମାନେ ଜଣାଇଛନ୍ତି ଯେ, କିଛି ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ପ୍ରଭାବିତ ରେଡ୍ ଜୋନ୍ ରେ ରହି ଯାଇଛନ୍ତି । କିନ୍ତୁ ସେମାନେ ଅଧିକାଂଶ ଅଲଗା ଜିଲ୍ଲାରେ ଶିକ୍ଷକତା କରୁଥିବା ଯୋଗୁଁ ଯେଉଁ ଜିଲ୍ଲା ଗୁଡିକ ଗ୍ରୀନ୍ ଜୋନ୍ ରେ ଯାଉଛି ସେଗୁଡ଼ିକରେ ସେମାନେ ବିଭିନ୍ନ ଅସୁବିଧାରେ ପଡୁଥିବା ଜଣାପଡିଛି । ଏପରିକି ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀ ମାନଙ୍କୁ ସେମାନଙ୍କର ଘର ମାଲିକ ମାନେ ଘର ଦେଉ ନ ଥିବା, ଘରେ ପୁରାଇ ଦେଉ ନ ଥିବା ନଜରକୁ ଆସିଛି । ସେମାନେ ସେହି ଜିଲ୍ଲା ମାନଙ୍କରେ କାର୍ଯ୍ୟ କରୁଥିଲେ ମଧ୍ୟ କରୋନା ଆତଙ୍କ ଏଭଳି ଖେଳି ଯାଇଛି ଅଲଗା ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ମୂଲ୍ୟାଙ୍କନ ହେବାକ ଯାଉଛି । ସେଇଥିପାଇଁ ସରକାର ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୂଲ୍ୟାୟନ ପାଇଁ ନିଯୁକ୍ତି ଦେଇଛନ୍ତି । ମୂଲ୍ୟାୟନ କେନ୍ଦ୍ର ନିକଟରେ ଖାଇବା, ରହିବ ଓ କରୋନା ପ୍ରତିଷେଧକ କୀଟ ସରକାର ଯୋଗାଇ ଦେବାକୁ ଏହି ସଂଘ ଦାବୀ କରିଛି । ଅନ୍ୟ ପକ୍ଷରେ ଯେଉଁ ଶିକ୍ଷୟତ୍ରୀମାନେ ମାତୃତ୍ୱ ଲାଭ କରିଥିବା, ମାତୃତ୍ୱ ଲାଭ କରିବାକୁ ଯାଉଥିବା ଓ ଶାରୀରିକ ଅସୁସ୍ଥ ଥିବା ସେମାନଙ୍କୁ ଏହି ମୂଲ୍ୟାଙ୍କନ ପାଇଁ ନିଯୁକ୍ତି ନ ଦେବା ନିମନ୍ତେ ସଂଘ ଦାବୀ କରିଛି । ଆଉ ମଧ୍ୟ କରୋନା ମୁକାବିଲାରେ ସାମିଲ ହୋଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କରୋନା ଯୋଦ୍ଧା ହିସାବରେ ଘୋଷଣା କରି ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ସରକାରୀ ବୀମାରେ ଅନ୍ତର୍ଭୁକ୍ତ କରିବାକୁ ସଂଘ ଦାବୀ କରିଛି । ରାଜ୍ୟରେ କରୋନାର ପ୍ରକୋପ ବଢ଼ିବାରେ ଲାଗି ଥିବା ବେଳେ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦରମା କମ ହେଲେ ମଧ୍ୟ ସେମାନଙ୍କ କରୋନା ପ୍ରତିହତ କ୍ଷେତ୍ରରେ ଅବଦାନ ଖୁବ ସନ୍ତୋଷଜନକ ହୋଇଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ହିସାବରେ ପରିଗଣିତ କରି ସରକାର ଉପରୋକ୍ତ ଦାବୀ ପୁରଣ କରିବା ସହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସଂଘର ମୁଖ୍ୟ ଉପଦେଷ୍ଠା ପ୍ରଭାତ ମହାନ୍ତ, ସଂଘ ସଭାପତି ଶୁଭ୍ରଜିତ୍ ପ୍ରତିହାରୀ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଦାବୀ ଜଣାଇଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ