ମାଆଙ୍କ ଚକ୍ଷୁ ଦାନ କରିଥିଲେ : ପୁଅ ସୂର୍ଯ୍ୟ ପାତ୍ରଙ୍କ ମଧ୍ୟ ଚକ୍ଷୁ ଦାନ କରାଗଲା

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଉ ଆମ ଗହଣରେ ନାହାନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯିବ। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତଦେହ ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁକୁ ଦାନ କରି ଦେବାକୁ ସେ କହିଥିଲେ। ତେଣୁ ତାଙ୍କର ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା।ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ। ତାଙ୍କ ଆଖିର ମାନ ପରୀକ୍ଷା କରାଯିବା ପରେ ଅନ୍ୟାନ୍ୟ ନିୟମକୁ ଅନୁସରଣ କରିବା ପରେ ଆଖି ଆବଶ୍ୟକ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ସେଗୁଡ଼ିକୁ ପ୍ରତିରୋପଣ କରାଯିବ। ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମା’ଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଚକ୍ଷୁ ଦ୍ୱୟକୁ ଦାନ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ସେ ବ୍ରହ୍ମପୁରର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନର ବାର୍ଷିକ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ବ୍ରହ୍ମପୁର ସହରରେ ଚକ୍ଷୁ ଦାନ ଓ ରକ୍ତ ଦାନ ଅଭିଯାନରେ ଅଗ୍ରଣୀ ଏହି ଅନୁଷ୍ଠାନର ବାର୍ଷିକ ଉତ୍ସବରେ ‘ସମୃଦ୍ଧ ଓଡିଶା’ ସମ୍ପାଦକ ସୁଧୀର କୁମାର ପଟ୍ଟନାୟକ ମଧ୍ୟ ଅତିଥି ରୂପେ ମଞ୍ଚାସିନ ଥିଲେ । ସେଠାରେ ଜଣେ ସ୍ୱେଛାସେବୀ ଭାବେ ମନ୍ତ୍ରୀ ଶ୍ରୀ ପାତ୍ର ଚକ୍ଷୁ ଦାନ କରିବା ପାଇଁ ଶପଥ ନେଇଥିଲେ । ତା’ର କିଛି ଦିନ ପରେ ତାଙ୍କ ମାଆଙ୍କ ମୃତୁ ହୋଇଥିଲା । ଏହାକୁ ମନେ ରଖି ମାଆଙ୍କ ଚକ୍ଷୁ ଦାନ କରିଥିଲେ । ଫଳରେ ଏଭଳି ଏକ ମହାନ ନେତାଙ୍କ ପରଲୋକରେ ମର୍ମାହତ ହୋଇ ବ୍ରହ୍ମପୁର ସ୍ୱେଛାସେବୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରିପୋର୍ଟ : ରଜତ କୁମାର ମହାପାତ୍ର