ମହିଳା ଆଇପିଏସ ଅଫିସରଙ୍କୁ ଯୌନ କେଳେଙ୍କାରୀ ମାମଲା: ପୂର୍ବତନ ପୋଲିସ ଡିଜିଙ୍କୁ ୩ ବର୍ଷ ଜେଲ୍‌

ଚେନ୍ନାଇ(ସମୃଦ୍ଧ ଓଡିଶା)ତାମିଲନାଡ଼ୁର ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କୁ ଵେଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ କେଳେଙ୍କାରୀ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ମହିଳା ପୋଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବୃଆରୀ ମାସରେ ସେ ଏହି ଅଭିଯୋଗ କରିଥିଲେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଇଦୁରପ୍ପା କେ ପଲାନୀସ୍ୱାମୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ରାଜେଶ ଦାସ ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ସ୍ପର୍ଶ କରିବାକୁ ପ୍ରୟାସ କରିଥିଲେ। ଏହି ମାମଲାରେ ଚେଙ୍ଗାଲପାଟୁର ପୂର୍ବତନ ଏସ୍‌ପିଙ୍କ ଉପରେ ମଧ୍ୟ ଜୋରିମାନା ପଡ଼ିଛି। ସେ ଉକ୍ତ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଚୁପ୍ ରହିବାକୁ ଚାପ ପକାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ତତ୍‌କାଳୀନ ଏଆଇଏଡିଏମ୍‌କେ ସରକାର ରାଜେଶ ଦାସଙ୍କୁ ନିଲମ୍ବନ କରିବା ସହିତ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।ସେତେବେଳେ ଏହି ଘଟଣା ନିର୍ବାଚନୀ ପ୍ରସଙ୍ଗ ହୋଇଯାଇଥିଲା। ତତ୍‌କାଳୀନ ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହି ଘଟଣାର ଆଇନତଃ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ। ହେଲେ ୨୦୨୧ ମସିହା ଫେବୃଆରୀରୁ ଏହି କେଶ ଶୁଣାଣି ଚାଲୁ ରହିଥିଲା I ଆଜି ତାର ଶୁଣାଣି ଶେଷ ହୋଇଛି I ପୂର୍ବତନ ଡିଜିପି ରାଜେଶ ଦାସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି I