ମହଙ୍ଗା ହେଲା ଏସ୍‍ି ଓ ଫ୍ରିଜ୍‍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ଏସ୍‍ି, ରେଫ୍ରିଜରେଟର, ୱାସିଂ ମେସିନ୍‍ ଭଳି ୧୯ଟି ବିଳାସ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ବା ଆମଦାନୀ ଶୁଳ୍କ (ବେସିକ୍‍ କଷ୍ଟମ ଡ୍ୟୁଟି) ବଢାଇଛନ୍ତି। ଫଳରେ ବିଦେଶରୁ ଆମଦାନୀ ହେଉଥିବା ଏଭଳି ବିଳାସ ସାମଗ୍ରୀ ଏବେ ମହଙ୍ଗା ହୋଇଯିବ। ପୂର୍ବରୁ ଏଭଳି ବିଳାସ ସାମଗ୍ରୀ ଉପରେ ୧୦% ଆମଦାନୀ ଶୁଳ୍କ ଥିଲାବେଳେ ଏହାକୁ ୨୦%କୁ ବୃଦ୍ଧି କରାଯାଇଛି।ଗତ ରାତ୍ରି (ରାତି ୧୨ଟା)ରୁ ଏହା ଲାଗୁ ହେବ।ଉଲ୍ଲେଖଯୋଗ୍ୟ ଯେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଚାଲୁ ଖାତାରେ ନିଅଣ୍ଟ ପରିଲକ୍ଷିତ ହୋଇଥିଲା। ଏହି ନିଅଣ୍ଟକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା କେତେକ ବିଳାସ ସାମଗ୍ରୀ ବା ଅନାବଶ୍ୟକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି। ସୂଚନା ଅନୁସାରେ ୨୦୧୭-୧୮ରେ ପାଖାପାଖି ୮୬ ହଜାର କୋଟି ଟଙ୍କାର ବିଳାସ ସାମଗ୍ରୀ ବିଦେଶରୁ ଭାରତକୁ ଆମଦାନୀ ହୋଇଥିଲା। ଫଳରେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଏସ୍‍ି ଉପରେ ସୀମା ଶୁଳ୍କ ୧୦%ରୁ ବଢି ୨୦% କରାଯାଇଥିବାବେଳେ ରେଫ୍ରିଜରେଟ୍‍ର ଉପରେ ୧୦%ରୁ ବଢି ୨୦%, ୱାସିଂ ମେସିନ୍‍ (୧୦ କେଜିଠୁ କମ୍‍) ଉପରେ ୧୦%ରୁ ବଢି ୨୦%, ରେଫ୍ରିଜରେଟ୍‍ର ଏବଂ ଏସି କମ୍ପ୍ରେସର ଉପରେ ୭.୫%ରୁ ବଢି ୧୦%, ସ୍ପିକର ଉପରେ ୧୦%ରୁ ବଢି ୧୫%, ଜୋତା ଉପରେ ୨୦%ରୁ ବଢି ୨୫%, କାର ଟାୟାର ଉପରେ ୧୦%ରୁ ବଢି ୧୫%, ହୀରା ଉପରେ ୫%ରୁ ବଢି ୭.୫% ରଖାଯାଇଛି।