ମଦ, ସିଗିରେଟ୍ ଓ ଧୂଆଁ…

ପାଣୁର ବୟସ ହେବା ଆଗରୁ ସବୁ ଜ୍ଞାନ ଆସି ଯାଇଥିଲା । ସେ ଅଳ୍ପ ବୟସ ହେଲେ ମଧ୍ୟ ବଡ଼ ପିଲାମାନଙ୍କ ସହ ମିଶୁଥିଲା । ପାଠ ଚୁଲିକୁ ଫିଙ୍ଗି ବୁଲିବା ଆରମ୍ଭ କଲା । ବଡ଼ ପିଲାମାନେ ଯେଉଁ କାମରେ ମଗ୍ନ ସେହି କାମରେ ମଧ୍ୟ ହାତ ଦେବାକୁ ଲାଗିଲା । ଆଜି ପାଣୁ ଆଉ କିଶୋର ସୁଲଭ ହୃଦୟରେ ନାହିଁ । ସେ ବଡ଼ ଯୁବକ ହୋଇ ସାରିଛି । ଚାଲି ଯାଉଯାଉ ତା’ର ଦେହରୁ ମଦ, ସିଗାରେଟ୍ ଓ ଧୂଆଁର ଗନ୍ଧ ବାରି ହୋଇ ପଡୁଛି । ସେ ସର୍ବଦା ସ୍ୱର୍ଗରେ ଉଡୁଛି । କାହାକୁ ଦେଖିଲେ ଏଣୁତେଣୁ କହୁଛି । ଘରେ ବାପା, ମାଆ କି ଘର ପରିବାର କାହିଁକି ସାହି ପଡି଼ଶାଙ୍କୁ ମଧ୍ୟ ମଦ, ସିଗାରେଟ୍ ଓ ଧୂଆଁମୟର ସଂସାର କଥା କହିଲାଣି । ଆଜି ପାଣୁର କଥାବାର୍ତ୍ତା କାହାକୁ ଭଲ ଲାଗୁନି । ବାପା, ମାଆ ଯେତେ ବୁଝାଇଲେ ବି କନ୍ଦଳ ସୃଷ୍ଟି କରୁଛି । ଘରଟା ଜାଣ ଅଶାନ୍ତି ହିଁ ଅଶାନ୍ତି । ସେ ଦିନ ଆଈମାଆ ପାଖକୁ ଯାଇ ଅତି ଗେଲରେ, ଅତି ସନ୍ତର୍ପଣରେ କହିଲେ,” ପାଣୁ ! ତୋ’ଠାରୁ ମୁଁ ଗୋଟିଏ କାମ ଆଶା କରୁଛି । କରି ଦେବୁ ତ କିଛି ଅର୍ଥଦେବି ।” ଅର୍ଥ କଥା ଶୁଣି ପାଣୁର ମନ କୁଣ୍ଡେ ମୋଟା । ଭଲ ମଦଟିକେ ମିଳିବ, ସିଗାରେଟ୍ ପିଇ ଧୂଆଁମୟ କରିବ ପରିବେଶ । ସେ ଉତ୍ସାହ ପୂର୍ବକ କହିଲା,”ଆଈମାଇ ! ଦିଅନ୍ତୁ ମୋର କ’ଣ କାମ ପରା କରିବାର ଅଛି?” ଆଈ ମାଆ ଓଡି଼ଆ ସାହିତ୍ୟ ବହିଟି ବଢା଼ଇ ଦେଇ କହିଲେ,”ପାଣୁ ! ଏହାର ପ୍ରଥମ ବିଷୟଟି ମୋତେ ପଢି଼କି ଓ ଏହାର ପ୍ରଶ୍ନୋତ୍ତର ଲେଖିକି ଦେବୁ ତ ପଚାଶ ଟଙ୍କା ପାଇବୁ ।” ଏ କଥା ଶୁଣି ପାଣୁର ମନ ଖଟା ହୋଇଗଲା । ସେ ଭାବୁଥିଲା ଆଈମାଆ ଅନ୍ଯକାମ ଦେବେ ପୁଣି ହଜାରେ କି ଅଧିକା ଦେଲେ ଭଲକି ପେଟ ସଜାଡି଼ନେବି ହେଲେ ମାତ୍ର ପଚାଶ ଟଙ୍କା । କାମଟି ଶୁଣୁଶୁଣୁ ଯଦିଓ ଦେହରେ ଆରର୍ଜି ଆସିଗଲା ହେଲେ ପର ମୂହୂର୍ତ୍ତରେ ଭାବିଲା ଏକାବେଳକେ ପଚାଶ ଟଙ୍କା କିଛି କମ୍ କି? ଆଜି କାହିଁକି କେବେ ତ ଫଟା ଅଧୁଲିଟିଏ ମିଳି ନାହିଁ । ଏହି ଟଙ୍କାରେ କିଛି ନ ହେଲା ନାହିଁ ହାଣ୍ଡିଆ କେଇବେଲା ଅବଶ୍ୟ ହୋଇଯିବ ।” ସେ ଲୋଭ ଓ ମୋହରେ କହିଲା,”ଆଈମାଆ ! ପାଖରେ ବସ । ମୁଁ ଚଟାପଟ୍ ତୁମର ଆଗରେ ପଢି଼ ତା’ର ପ୍ରଶ୍ନୋତ୍ତର କରି ଦେଖେଉଛି ।” ସେ ଯଦିଓ ପଢି଼କି ଚଟାପଟ୍ ସାରିଦେଲା ହେଲେ ପ୍ରଶ୍ନୋତ୍ତର କରିବାକୁ କାଠିକର ପାଠ ହେଲା । ସେ ନ କଲେ ତ ପଚାଶ ଟଙ୍କା ମିଳିବନି ତେଣୁ ପ୍ରାଣପଣେ ଦୀର୍ଘ ଦୁଇ ଘଣ୍ଟା ପରେ କରିକି ଦେଖାଇ ଦେଲା । ଆଈମାଆ ପାଣୁକୁ କଥା ଅନୁସାରେ ପଚାଶ ଟଙ୍କା ଦେଇଦେଲେ ତ ପାଣୁ ହାଣ୍ଡିଆ ଭାଟିରେ ନିଜର ବଡ଼ଭାଇ/ସାଙ୍ଗ ମାନଙ୍କ ସହ ପିଇଲା । ପିଉପିଉ ତା’ର ସାଙ୍କ ଭାଇମାନେ କହିଲେ,”ପାଣୁ ! ତୁ ତ କେବେ ଟଙ୍କା ଆଣି ଆମକୁ ଖୁଆଇନୁ। ଆଜି ଟଙ୍କା ଆଣିଲୁ କେମିତି?” ପାଣୁ ଆମୂଳଚୂଳ ସବୁ ଖୋଲିକି କହିଲା ତ ସଭିଏଁ ଏ କାମରେ ଲିପ୍ତ ହୋଇ ନିତି ଟଙ୍କା ଆଣିବୁ ଓ ସାଙ୍ଗ ହୋଇ ପିଇବାକୁ ପ୍ରବତାଇଲେ ।” ସେଇଆ ହେଲା । ପାଣୁ ଆଈମାଆଙ୍କ ପାଖରେ ନିତି ସକାଳେ ବସି ପାଠ ପଢେ଼ ଓ ପଚାଶ ଟଙ୍କା ଧରିକି ଆସେ । ଏହିପରି କେତେଦିନ ପରେ ଆଈମାଆ କହିଲେ,”ପାଣୁ ! ତୁ ରାତିରେ ବି ବସି ପଢି଼ବୁ ତ ରାତିପାଇଁ ପଚାଶ ଟଙ୍କା ବି ପାଇବୁ?” ଏ କଥା ଶୁଣି ପାଣୁର ମନ ଆହୁରି ଭଳିଗଲା । ସକାଳ ଓ ରାତି ମିଶି ଶହେ ଟଙ୍କା ହେଲେ ମୋର ବଡ଼ଭାଇ/ସାଙ୍ଗମାନେ ଆହୁରି ଖୁସି ହେବେ । ତେଣୁ ଆଈମାଆଙ୍କ କଥାକୁ ଗୁରୁଜ୍ଞାନରେ ମଣି ପଢି଼ଲା ଓ ନିତି ଶହେଟଙ୍କା ରୋଜଗାର କଲା । ପାଣୁ ଏବେ ଭାବିଲା ନିତି ଶହେଟଙ୍କା ହାତେଇବାକୁ ହେଲେ ତାକୁ କମ୍ କି ପିଇବାକୁ ପଡି଼ବ କିଏ ଜାଣେ ପାଠ ଠିକସେ ନ କରି ପାରିଲେ ଯଦି ଟଙ୍କା ଆଈମାଆ ନ ଦିଅନ୍ତି ? ପାଣୁ ଆଜିକାଲି କମ୍ ପିଉଛି ସଭିଙ୍କୁ ପିଆଇ ନିଜର ଋଣ ପରିଶୋଧ କରୁଛି । ସମୟକ୍ରମେ ତା’ର ପରୀକ୍ଷା ଆସିଲା । ମନଦେଇ ପଢି଼ ପାଠକୁ କଣ୍ଠସ୍ଥ କରିଥିଲା । ସେ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କଲା ତ ଦେହ ଓ ମନରେ ଏକ ଅସୀମ ଆନନ୍ଦର ଭାବନା ଖେଳିଗଲା । ସେ ନିଜକୁ ସୁଧାରି ନେଲା । ପରେପରେ ସେ ଭଲ ପାଠପଢି଼ ଦଶମ ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସର୍ବ ଓଡି଼ଶାରେ ନାମ ରଖିଲା । ଆଜି ଘର ପରିବାର ବହୁତ ଖୁସି । ମିଡି଼ଆ ବାଲା ଆସି ଘେରିଗଲେ ଓ ବିଭିନ୍ନ ପ୍ରଶ୍ନ ପଚାରିଲେ ତ ପାଣୁ ସବୁ ଶ୍ରେୟ ଆଈମାଆଙ୍କୁ ପ୍ରଦାନ କଲା । ବାପା ଜଣେ ସାଧାରଣ କୃଷକ ଆଉ ଆଈମାଆ ଜଣେ ଅଳ୍ପ ପାଠର ଅଧିକାରିଣୀ ହୋଇ ଯେଉଁ ପ୍ରକାର ପାଣୁକୁ ସର୍ବୋଚ୍ଚ ସ୍ଥାନରେ ପହଂଚାଇ ଥିବାରୁ ସବୁଆଡୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପାଣୁ ବି ଗଦଗଦ୍ ହୋଇ ଆଈମାଆଙ୍କୁ କୁଣ୍ଢାଇ ଆନନ୍ଦରେ ଆଖିର ଲୁହକୁ ବୁହାଇ ଦେଉଛି । ଧନ୍ୟ ପାଣ୍ଡୁ ଆଉ ତା’ର ଆଈମାଆ । ଜଣେ ମଧୁଆ ପିଲାକୁ ଭଲ ମଣିଷ କରିବାର କୌଶଳ ଆପଣେଇ ଥିବାରୁ ଆଈମାଆଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ସତରେ ସମୟ ବଡ଼ ବଳବାନ। ଆଜି ଯିଏ ମଦୁଆ କାଲିକୁ ସୁଧାର ନ ଆଣିବ କିଏ କହିବ ? ପାଣୁ ତ କରିକି ସାରା ଓଡି଼ଶାକୁ ଦେଖେଇ ଦେଲା । ଆଜି ପାଣୁ ମଦ,ସିଗାରେଟ୍ ଓ ଧୂଆଁକୁ ଛାଡି଼ଛି । ସେ ଭଲ ପାଠ ପଢି଼ ଡାକ୍ତର ହେବାକୁ ଅଣ୍ଟା ଭିଡି଼ଛି ତ ଆଈମାଆଙ୍କ ଆଖିରେ ଆନନ୍ଦର ଲୁହ । ବାପା ମାଆ ବି ଗର୍ବ ଓ ଗୌରବର ଅଧିକାରୀ ହୋଇ ଗାଁଁ, ସମାଜ ଓ ପଡୋ଼ଶୀରେ ସମ୍ମାନ ପାଇବା ଆରମ୍ଭ ହୋଇଛି ।

ସୁକାନ୍ତ ଖଣ୍ଡା, ଶିକ୍ଷକ,
ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର
ଜି-କେନ୍ଦୁଝର
ପି-୭୫୮୦୨୮