ଭ୍ରାମ୍ୟମାଣ ରକ୍ତଦାନ ଶିବିରରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ରକ୍ତଦାନ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଭାରତରେ କରୋନା ପାଇଁ ଲକଡାଉନ ଜାରୀ ହୋଇଥିବା ବେଳେ କରୋନା ରୋଗୀ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ରକ୍ତର ଅଭାବ ଦେଖାଦେଇଛି । ସେଥିପାଇଁ ରାଜ୍ୟରେ ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର ଭ୍ରାମ୍ୟମାଣ ଭାବରେ ଅନୁଷ୍ଠିତ କରାଯାଉଥିବା ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡ ମେଡିକାଲ୍ରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିବା କାରଣରୁ ରକ୍ତ ସଂଗ୍ରହ କରିବା ଜରୁରୀ ହୋଇ ପଡିଛି । ଏହାର ଗୁରୁତ୍ୱ ଉପଲବ୍ଧି କରି ଜିଲ୍ଲାପାଳ ଗତ ଦୁଇଦିନ ତଳେ ଅଲାରିଗଡ଼ ଗ୍ରାମରେ ପ୍ରଥମେ ରକ୍ତ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଏହାପରେ ବ୍ରହ୍ମପୁରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ରକ୍ତ ଦାନ କରି ତାଙ୍କ କର୍ମୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ । ଏହି ରକ୍ତ ଦାନ ସଂଗ୍ରହ କାର୍ଯ୍ୟକ୍ରମ ଜାରୀ ରହିଥିବା ବେଳେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ରବିବାର ଦିନ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରଥମେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ କର୍ପୋରେଟର ତଥା ଯୁବ ସ୍ୱେଚ୍ଛାସେବୀ କିରଣ କୁମାର ପଟ୍ଟନାୟକ ୧୧୪ ଥର ରକ୍ତ ଦାନ କରିଥିଲେ ମଧ୍ୟ ଏହି ଶିବିରରେ ପୁଣି ରକ୍ତଦାନ କରି ୧୧୫ ପୂରଣ କରିଛନ୍ତି । କିରଣ ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ହିସାବରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଗରିବଙ୍କୁ ଖାଦ୍ୟ ବଣ୍ଟନ ସହ ପୂର୍ବରୁ ରକ୍ତଦାନ କରି ବେଶ ପ୍ରଶଂସନୀୟ ହୋଇଥିଲେ । ଏହି ଆୟୋଜିତ ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସ୍ୱେଚ୍ଛାକୃତ ଭାବେ ବହୁ ରକ୍ତଦାତା ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ସଂପୃକ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଷ୍ଟୋରେଜ କେପାସିଟି ଅଭାବ ରହିଥିବାରୁ ମାତ୍ର ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଫଳରେ ବହୁ ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । ପୌର ପରିଷଦର ନିର୍ବାହୀ ଅଧିକାରୀ ଆସନ୍ତା ୧୫ ଦିନ ପରେ ପୁଣି ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ । ଆୟୋଜିତ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ବ୍ୟକ୍ତଗତ ସହାୟକ ନିଳମଣି ପଟ୍ଟନାୟକ, ବିଜେଡି ନେତା ତଥା ସମାଜସେବୀ କିରଣ କୁମାର ପଟ୍ଟନାୟକ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସଞ୍ଜୟ କୁମାର ପଣ୍ଡା, ସନ୍ତୋଷ ମହାରଣା, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀ ମୋହନ ପାଢିଙ୍କ ସମେତ ବହୁ ବିଜୁ ଯୁବ ବାହୀନି ସଦସ୍ୟ ଉପସ୍ଥିତ ରହିଥିଲେ ।

ରିପୋର୍ଟ : କିରଣ କୁମାର ପଟ୍ଟନାୟକ