ଭୋଟର ସଚେତନତା ରଥର ଶୁଭାରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱତନ୍ତ୍ର ଭୋଟର ତାଲିକା -୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଶୁକ୍ରବାର ଛତ୍ରପୁର ବ୍ଲକ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ୫ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଜନସାଧାରଣଙ୍କୁ ଫର୍ମ-୬ରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା, ଫର୍ମ-୬(କ) ପ୍ରବାସୀ ଭୋଟର ମାନଙ୍କର ତାଲିକାରେ ନାମ ପଞ୍ଜୀକରଣ କରାଇବା, ଫର୍ମ-୭ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦଦେବା ପାଇଁ, ଫର୍ମ-୮ ଭୋଟର ତାଲିକାରେ ତଥ୍ୟ ସଂଶୋଧନ କରିବା ପାଇଁ ଓ ଫର୍ମ -୮(କ) ଭୋଟର ତାଲିକାରେ ନାମ ସ୍ଥାନାନ୍ତରଣ କରିବା ପାଇଁ ସଂପର୍କରେ ସଚେତନତା କରାଇବ । ବ୍ଲକ ପରିସରରେ ଏହି ରଥକୁ ଆଜି ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଡେପୁଟି କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବ୍ଲକ ଜିପିଇଓ ଶହଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ମାଧ୍ୟମରେ ଆସନ୍ତା ୨୮,୨୯ ଓ ଡିସେମ୍ବର ୫ ଏବଂ ୬ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜନର ମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ବର୍ଷ ବୟସ ହୋଇଥିବ ସେମାନଙ୍କ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରାଇ ପାରିବେ । ଯେଉଁ ମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ବୋଲି ମଧ୍ୟ ଲୋକଙ୍କୁ ଅବଗତ କରାଯିବ ବୋଲି ବିଡିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା