ଭେଙ୍କଟରାୟପୁର ଗ୍ରାମକୁ ୟୁନିସ୍କୋ ମାନ୍ୟତା ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ପ୍ରାଦୁର୍ଭାବକୁ ଆଖି ଆଗରେ ରଖି ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଇଣ୍ଡିଆନ ନେସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସ{Indian National Centre for Ocean Information Services (INCOIS), ମିନିଷ୍ଟ୍ରି ଅଫ ଏର୍ଥ ସାଇନ୍ସ{Ministry of Earth Science(MOES)} ଗଭରମେଣ୍ଟ ଅଫ ଇଣ୍ଡିଆ(Govt of India), ଇଣ୍ଡିଆ ଓସିଏନ ଟିସୁନାମି ୱାର୍ନିଙ୍ଗ ଏଣ୍ଡ ମିଟିଗେସନ ସିଷ୍ଟମ {Indian Ocean Tsunami Warning & Mitigation System(IOTWMS)}, ଜାକର୍ତ୍ତା(Jakarta), ଇଣ୍ଡୋନେସିଆ ଏଣ୍ଡ ଇଣ୍ଡିଆ ଓସିଏନ ଟିସୁନାମି ଇନଫରମେସନ ସେଣ୍ଟର ଅଫ ଦି ଇଣ୍ଟର ଗଭରମେଣ୍ଟାଲ ଓସିଏନଗ୍ରାଫିକ କମିଶନ ଅଫ ଦି ୟୁଏନଆଇଏସସିଓ {Indonesia and Indian Ocean Tsunami Information Centre (IOTIC) of the Inter Governmental Oceanographic Commission (IOC) of the UNISCO} ଭେଙ୍କଟରାୟପୁର(ବକ୍ସିପଲ୍ଲୀ) ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ୟୁନିସ୍କୋ-ଆଇ.ଓ.ସି.(Inter Governmental Ocean Graphic Commission) ଦ୍ୱାରା ସୁନାମୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର କମ୍ୟୁନିଟି ସଂପାଦକ କେ.ଆପ୍ପା ରାଓ ଏବଂ କମ୍ୟୁନିଟି ଲିଡର୍ ଡି. ପଦ୍ମନାଭମଙ୍କୁ ୟୁନିସ୍କୋ-ଆଇ.ଓ.ସି. ତରଫରୁ ମାନପତ୍ର ଓ କମ୍ୟୁନିଟିର ପୁରସ୍କାରଟି ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଯିବା ସହ କମ୍ୟୁନିଟିକୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ସଚ୍ଚିବ ଏମ୍. ରାଜିବନ୍, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ, ନୂଆଦିଲ୍ଲୀ ସଦସ୍ୟ ସଚ୍ଚିବ ଜି.ଭି.ଭି.ଶର୍ମା, ଓସଡମାର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ସାଧାରଣ ପରିଚାଳକ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଏହି ମାନପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଥିଲା । ଭେଙ୍କଟରାୟପୁର ଗ୍ରାମକୁ ଦେଶରେ ପ୍ରଥମ କରି ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଗତ ଡିସେମ୍ବର ମାସ ୧୩ ତାରିଖ ଦିନ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରୀୟ ପ୍ରତିନିଧି ଗଣ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସର୍ବେକ୍ଷଣ କରିଥିଲେ । ସମୁଦ୍ରକୂଳ ସ୍ଥିତ ଭେଙ୍କଟରାୟପୁର ଗ୍ରାମବାସୀଗଣ ଯଦି ସୁନାମୀ ଆସେ ତେବେ ସେମାନେ କେତେଦୂର ପ୍ରସ୍ତୁତ ତାହା ପରୀକ୍ଷଣ କରିଥିଲେ । ଗ୍ରାମବାସୀ କିଭଳି ଯୋଜନା କରିଛନ୍ତି, କିଭଳି ଲୋକଙ୍କୁ ସଚେତନତା ବାର୍ତ୍ତା ଦ୍ୱାରା ଜାଗରଣ କରିଥିଲେ, ତାହା ଯାଞ୍ଚ କରିବା ସହ ଗ୍ରାମ୍ୟ ଲୋକେ କିଭଳି ନିଜ ବହୁମୂଲ୍ୟ ଜୀବନକୁ ବଞ୍ଚାଇବା କ୍ଷେତ୍ରରେ କେତେ ପ୍ରସ୍ତୁତ ଅଛନ୍ତି ଏବଂ କେଉଁ ରାସ୍ତାଦେଇ ଉଚ୍ଚ ସ୍ଥାନକୁ ଯିବେ ତାହା ପରଖି ଥିଲେ । ଭାରତ ମହାସାଗର ଅଞ୍ଚଳରେ ଥିବା ୫୦ଟି ଦେଶ ମଧ୍ୟରେ ଭାରତ ଓ ଭାରତ ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବରେ ଏହି ମାନ୍ୟତା ଲାଭ କରିଛି । ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଗ୍ରାମର ଏହି ସଫଳତା ପାଇଁ ଆଜି ଗଞ୍ଜାମ ଗର୍ବିତ । ଗୋଷ୍ଠୀଗତ ସଚେତନତା ଦ୍ୱାରା ଯେକୌଣସି ବିପର୍ଯ୍ୟୟର ମୁକାବିଲା କରିପାରିବ । ସୁନାମୀକୁ ନେଇ ଭେଙ୍କଟରାୟପୁର ଗ୍ରାମବାସୀଙ୍କ ଜ୍ଞାନବୃଦ୍ଧି ଘଟିଛି । ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଜିଲ୍ଲାପାଇଁ କୀର୍ତ୍ତି ଅର୍ଜନ କରିପାରିଛନ୍ତି । ଏଥିଯୋଗୁଁ ଗ୍ରାମବାସୀ ଗର୍ବିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲା ସ୍ତରୀୟ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବକ୍ସିପଲ୍ଲୀ ସରପଞ୍ଚ ଡି. ଜ୍ୟୋତି, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା