ଭୁଶୁଡି ଗଲା ନିମାପଡାରେ ବିଜେଡି ଗଡ଼ : ସମସ୍ତ ଜନପ୍ରତିନିଧିଙ୍କ ଇସ୍ତଫା

ନିମାପଡା(ସମୃଦ୍ଧଓଡିଶା)ନିର୍ବାଚନ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୈତିକ ମାହୋଲ ସେତିକି ଗରମ ହେବାରେ ଲାଗିଛି।ଓଡିଶା ରାଜନୀତିରେ ନିମାପଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବେଶ୍ ପରିଚିତ।କାରଣ ବିଜେଡିରୁ ସମୀର ରଞ୍ଜନ ଦାଶ ତିନି ଥର ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।ମାତ୍ର ଚଳିତ ନିର୍ବାଚନରେ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦାଶଙ୍କୁ ଟିକେଟ ନଦେଇ ଅଳ୍ପ ଦିନ ତଳେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଥିଲେ।ଏହାର ପ୍ରତିବାଦରେ ଶ୍ରୀଯୁକ୍ତ ଦାଶଙ୍କ ସମର୍ଥକ ମାନେ ବାରମ୍ବାର ଟିକେଟ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ।ମାତ୍ର ରାଜ୍ୟ ସଭାପତି ଏହା ନ ଶୁଣିବାରୁ ଗତ ମାସ ୨୦ତାରିଖ ରେ ଶ୍ରୀଯୁକ୍ତ ଦାଶଙ୍କ ପ୍ରାୟ ୨୫ରୁ ୩୦ ହଜାର ସମର୍ଥକ ଏବଂ ପଂଚାୟତ ଓ ବ୍ଲକର ନେତୃତ୍ୱମାନେ ବାରବାଟୀ ପଡ଼ିଆରେ ଏକ ବିଶାଳ ପ୍ରତିବାଦ ସଭା କରି ଟିକେଟ ପରିବର୍ତନ ପାଇଁ ରାଜ୍ୟ ସଭାପତିଙ୍କୁ ପୁନର୍ବାର ଅନୁରୋଧ କରିଥିଲେ।କିନ୍ତୁ ରାଜ୍ୟ ବିଜେଡି ସଭାପତି ଏହାକୁ ବି ଅଣଦେଖା କରିବାରୁ ଆଜି ସ୍ଥାନୀୟ ସହିଦ ଭବନ ପଡିଆ ଠାରେ ଶ୍ରୀଯୁକ୍ତ ଦାଶଙ୍କ ପ୍ରାୟ ୩ହଜାର ସମର୍ଥକ ଏବଂ ନିମାପଡା ଓ ଗୋପ ବ୍ଲକର ୪୬ପଞ୍ଚାୟତର ସଭାପତି, ଉପସଭାପତି,ଯୁବ ସଭାପତି,ଛାତ୍ର ସଭାପତି,ମହିଳା ସଭାପତି,ଦୁଇ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା,ନଗର ସଭାପତି,୪୧ଜଣ ସମବାୟ ସମିତି ସଭାପତି, ୫୮ଜଣ ନିର୍ବାଚିତ ପ୍ରତିନିଧି,କାଉନସିଲର,ଜିଲ୍ଲା ପରିଷଦ ସଭ୍ୟ ଓ ବିଜେଡି ମିଡ଼ିଆ ସେଲର ୩ଜଣ କର୍ମକର୍ତ୍ତା ପ୍ରମୁଖ ଆଜି ସମୂହ ସେମାନଙ୍କର ଇସ୍ତଫା ପତ୍ର ବିଧାୟକ ଶ୍ରୀଯୁକ୍ତ ଦାଶଙ୍କୁ ଦେଇଛନ୍ତି।ସେମାନଙ୍କର ଦାବି ହେଉଛି ଟିକେଟ ପରିବର୍ତ୍ତନ କରାଗଲା ଆମର କିଛି ଆପତ୍ତି ନାହିଁ।ମାତ୍ର ଏ ବିଷୟରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଠିକ୍ ହୋଇଥାନ୍ତା।ଏବେବି ସମୟ ଅଛି,ଯଦି ଶ୍ରୀଯୁକ୍ତ ଦାଶଙ୍କୁ ଟିକେଟ ନ ଦିଅନ୍ତି ତେବେ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ଦାଶଙ୍କୁ ଟିକେଟ ଦିଆଯାଉ।ନଚେତ୍ ଆସନ୍ତା କାଲି ୨୫ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଓ କର୍ମକର୍ତ୍ତା ଦଳ ପରିତ୍ୟାଗ କରିବା ସହ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲିପ ନାୟକଙ୍କ ଶୋଚନୀୟ ପରାଜୟ ପାଇଁ ରାଜ୍ୟ ସଭାପତି ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।ରାଜ୍ୟ ବିଜେଡି ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁ) ଯୋଗଦେଇ କହିଲେ ଯେ ନିମାପଡ଼ା ଏକ ଶିକ୍ଷିତ ନିର୍ବାଚନ ମଣ୍ଡଳୀ।ଏଠି ଏଭଳି ଏକ ପ୍ରାର୍ଥୀଙ୍କୁ ନିମାପଡ଼ା ଜନସାଧାରଣ ଆଦୈ। ଗ୍ରହଣ କରିବେ ନାହିଁ। ବିଧାୟକ ସମୀର ରଞ୍ଜନ ଦାଶ,ବିଜେଡି ରାଜ୍ୟ କର୍ମକର୍ତ୍ତା ସ୍ମୃତି ପ୍ରକାଶ ନନ୍ଦ,ବ୍ଲକ ସଭାପତି ଅଶୋକ କୁମାର ସାହୁ,ମଧୁସୂଦନ ପାଇକରାୟ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ଅଧ୍ୟକ୍ଷା ଝୁନୁ ମଲିକ,ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି,ଏନ.ଏ.ସି ଉପାଧ୍ୟକ୍ଷ ସନ୍ତୋଷ ଦାଶ,ପୂର୍ବତନ କାଉନସିଲର ଅରୁଣ ଦାଶ,ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ନିମାପଡ଼ା ନଗର ସଭାପତି ଜିବନାନନ୍ଦ ମହାପାତ୍ରଙ୍କ ସମେତ ଅନେକ ବିଜେଡି ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର