ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ପୁସ୍ତକ ମେଳା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)- ଆସନ୍ତା ବର୍ଷ ଫେବୃଆରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବିଶ୍ୱସ୍ତରୀୟ ପୁସ୍ତକମେଳା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ମେଳା ଆୟୋଜିତ ହେବ ଓ ଏଥିରେ ସାରା ପୃଥିବୀର ଶହଶହ ପୁସ୍ତକ ପ୍ରକାଶନ ସଂସ୍ଥା  ଗ୍ରହଣ କରିବେ । ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୨୦୧୯ ଫେବୃଆରୀ ଶେଷ ବେଳକୁ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଶହେ ବର୍ଗପୁଟ କ୍ଷେତ୍ରଫଳ ବିଶିଷ୍ଟ ଷ୍ଟଲ ନିମନ୍ତେ ସାଢ଼େ ଚାରି ହଜାର ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଓଡ଼ିଆ ଏବଂ ଅନ୍ୟାନ୍ୟ ଭାଷାରେ ପ୍ରକାଶିତ ପୁସ୍ତକ ଗୁଡ଼ିକର ବିକି୍ର ଉପରେ ଯଥାକ୍ରମେ ୧୦ ଓ ୫ ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ପୁସ୍ତକମେଳାର ପ୍ରତି ସନ୍ଧ୍ୟାରେ ପୁସ୍ତକ ଉନ୍ମୋଚନ ସାଙ୍ଗକୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହା ବ୍ୟତୀତ ପ୍ରତି ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ମେଳା ପରିଚାଳନାର ଦାୟିତ୍ୱ ନିର୍ବାହ କରିବେ । ଆଜି ସଂସ୍କୃତି ଭବନଠାରେ ବିଶ୍ୱସ୍ତରୀୟ ପୁସ୍ତକମେଳା ଆୟୋଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ବୈଠକରେ ଅଧ୍ୟକ୍ଷତା କରି ମେଳାର ସର୍ବାନ୍ତଃକରଣ ସଫଳତା ନିମନ୍ତେ ସମସ୍ତଙ୍କ ଉଦ୍ୟମ ଓ ପ୍ରଯନି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକ, ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ.ତମସା ରାଣୀ ଦାସମହାପାତ୍ର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ଗ୍ରନ୍ଥାଧ୍ୟକ୍ଷ ସନ୍ତୋଷ ଚାଟାର୍ଜୀଙ୍କ ସମେତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ, ଅଜୟ କୁମାର ପଣ୍ଡା ଓ ବିଭୁପ୍ରସାଦ ତି୍ରପାଠୀ ପ୍ରମୁଖ ଉପସ୍ଥିତ ରହି ଆୟୋଜନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।  

ରିପୋର୍ଟ:ଆକାଶ ମିଶ୍ର