ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆମରଣ ଅନଶନ ଦ୍ୱିତୀୟ ଦିନରେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ବିଦ୍ୟାଳୟ ଉଚ୍ଛେଦକୁ ବିରୋଧ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନର ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନର ଦ୍ୱିତୀୟ ତଥା ମଙ୍ଗଳବାର ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ସ୍ଥଳରେ ଉପରେ ପାଲ ଧରି ରହିଥିବା ଦେଖିବାକୁ ମିଳିଥିଲ। । ଏନେଇ ଆନ୍ଦୋଳନ ସ୍ଥଳକୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଶୁଂ କୁମାର ମହାରଣା ପ୍ରମୁଖ ବୁଝାସୁଝା କରିଥିଲେ । ସ୍ଥାନୀୟ ବ୍ଲକ କଲୋନୀରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ବିଦ୍ୟାଳୟରେ ଶୌଚାଳୟ ଟିଏ ବହୁ ଦୂରରେ ଥିବା ଯୋଗୁଁ ଭିନ୍ନକ୍ଷମ ପିଲାମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ କେ.ଆନନ୍ଦ ରାଓ ଅନିଛା ପ୍ରକାଶ କରିଥିଲେ । ବର୍ତ୍ତମାନ ଯେଉଁଠାରେ ଅନୁଷ୍ଠାନ ଚାଲିଥିଲା ସେଭଳି ଏକ କୋଠାର ବ୍ୟବସ୍ଥା କରାଯାଉ ନଚେତ ଅନୁଷ୍ଠାନକୁ ଆଉ ୨ ବର୍ଷ ପାଇଁ ସେଠାରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦାବି କରିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ଦାବି ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନ କରେ ସେ ପର୍ଯ୍ୟନ୍ତ ମହାସଂଘର ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ରାଓ ଦାବି ରଖିଛନ୍ତି । ଆନ୍ଦୋଳନରତ ଭିନ୍ନକ୍ଷମ ହରିହର ମହାନ୍ତି ଓ ସୁନିତା ରାଉଳ ଅସୁସ୍ଥ ଥିବା ଜଣାପଡିଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ ମହାସଂଘ ୧୯୮୬ ମସିହାରୁ ଜିଲ୍ଲାର ଅଗଣିତ ଭିନ୍ନକ୍ଷମଙ୍କୁ ଶିକ୍ଷା ଓ ଥଇଥାନ କରି ଆସୁଥିଲା । ଛତ୍ରପୁର ସହରରେ ଥିବା ସମର୍ଥ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ପିଲାମାନେ ଶିକ୍ଷା ଲାଭ ସାଙ୍ଗକୁ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ପାଇପାରୁଛନ୍ତି । ତେବେ ସଂପୃକ୍ତ ବିଦ୍ୟାଳୟର କୋଠା ଭାଙ୍ଗି ରୁଜି ଯାଇଥିବା ଓ ଏଠାରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ ପାଇଁ ପୁର୍ତ ବିଭାଗ ପକ୍ଷରୁ ତିନି ଦିନ ମଧ୍ୟରେ ସମର୍ଥ ଆବାସିକ ବିଦ୍ୟାଳୟକୁ ଖାଲି କରିବା ପାଇଁ ନୋଟିସ୍ କରାଯାଇଛି । ୩ ଦିନ ମଧ୍ୟରେ ଏହାକୁ ଖାଲି କରିବା ସହ ଏହାକୁ ଭାଙ୍ଗିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରଖାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା