ଭିନ୍ନକ୍ଷମମାନଙ୍କ ରାଜ୍ୟସ୍ତରୀୟ ବୈଠକ: ମାସିକ ପିଏମଏସ ୩ ହଜାର ଦାବୀ…

ଛତ୍ରପୁର(ସମୃଦ୍ଧ ଓଡିଶା)ରାଜ୍ୟର ଭିନ୍ନକ୍ଷମମାନଙ୍କ ସ୍ଵତନ୍ତ୍ର ବିଦ୍ୟାଳୟ ଗୁଡ଼ିକୁ ଚଳାଉଥିବା ସ୍ଵେଛାସେବୀ ଅନୁଷ୍ଠାନମାନଙ୍କ ଏକ ରାଜ୍ୟସ୍ତରୀୟ ବୈଠକ ସମର୍ଥ ଅନୁଷ୍ଠାନରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ପ୍ରାୟ ୪୦ ଜଣ ସ୍ବେଛସେବୀ ସଙ୍ଗଠନ ଯୋଗଦାନ କରି ସେମାନଙ୍କ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରି ସେଗୁଡ଼ିକର ସମୂହ ସମାଧାନ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ସଙ୍ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । Odisha Special School Management Association ନାମରେ ଏକ ସଙ୍ଗଠନ ଗଠନ କରାଯାଇଥିଲା । ଏହି ସଂଘ ମାଧ୍ୟମରେ ମୁଖ୍ୟତଃ ୩ଗୋଟି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା । ପ୍ରଥମେ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ R.P.W.D Act ୨୦୧୬ ଅଧୀନରେ କାର୍ଯ୍ୟ କରୁଥିବାରୁ J.J. Act ର ଆବଶ୍ୟକତା ନାହିଁ ବୋଲି ଭାରତ ସରକାର ସ୍ଵଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ସ୍ବତନ୍ତ୍ର ବିଦ୍ୟାଳୟ ଗୁଡ଼ିକ J.J. Act 2015 ମାନିବାକୁ ବାଧ୍ୟ କରିଥିବା ନିଷ୍ପତିକୁ ଦୃଢ଼ ବିରୋଧ କରିବା ସହ, ଭାରତ ସରକାରଙ୍କ ଭଳି ଓଡ଼ିଶାରେ ମଧ୍ୟ ଏହାକୁ ଉଚ୍ଛେଦ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ବ୍ୟତୀତ ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସ୍ବତନ୍ତ୍ର ବିଦ୍ୟାଳୟ ଗୁଡ଼ିକୁ ମଧ୍ୟାହ୍ନ ଭୋଜନ ପ୍ରଦାନ ନିମନ୍ତେ ଅନ୍ୟଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଭିନ୍ନକ୍ଷମ ପିଲାମାନଙ୍କୁ ଦିଆଯାଉଥିବା ମାସିକ ଅନୁଦାନକୁ ଅନ୍ୟୁନ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ସଂଘ ଦାବି କରିଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ସମର୍ଥ ଅନୁଷ୍ଠାନ ର ସମ୍ପାଦକ କେ. ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ବାଲେଶ୍ବର ଦିବାକର ସ , କଟକରୁ ସୁଜାତା ପଟ୍ଟନାୟକ, ସମ୍ବଲପୁରର ବ୍ରଜ ସୁନ୍ଦର ସାହୁ ଓ ଢେ଼ଙ୍କାନାଳର ପ୍ରଦ୍ୟୁମ୍ନ ମହାପାତ୍ର ଅଂଶଗ୍ରହଣ କରି ସହଯୋଗ କରିଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା