ଭାରତୀୟ ଛାତ୍ରଛାତ୍ରଙ୍କ ଗବେଷଣା ପାଇଁ ଫୁଲ‍ବ୍ରାଇଟ୍ ଫେଲୋସିପ୍‌ରେ ପର୍ଯ୍ୟାପ୍ତ ସୁଯୋଗ ରହିଛି

ଭୁବନେଶ୍ୱର -ଆମେରିକାସ୍ଥିତ ଫୁଲ୍‌ବ୍ରାଇଟ୍ ଫେଲୋସିପ୍ କାର୍ଯ୍ୟକ୍ରମ ସଂପର୍କରେ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଏକ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କ ଅଧ୍ୟାକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଡ଼ଃ ସୁମନ ଦାସ ଅତିଥି ପରିଚୟ ଦେଇଥିଲେ । ୟୁ.ଏସ୍.ଆଇ.ଇ.ଏଫ୍ ର ଅନ୍ୟତମ କାର୍ଯକାରୀ ନିର୍ଦ୍ଦେଶକ ଆଦାମ ଜେ. ଗ୍ରଟ୍‌ସ୍କି ଭାରତ ଓ ଆମେରିକା ମଧ୍ୟରେ ରହିଥିବା ଶିକ୍ଷାଭିତ୍ତିକ ଗଭୀର ସଂପର୍କରେ ନିଜସ୍ବ ଅନୁଭୂତି ଉପରେ ଗୁରୁତ୍ବାରୋପ କରିବା ସହ ପ୍ରତିବର୍ଷ ୨୫୦ ଫୁଲ୍‌ବ୍ରାଇଟ୍ ଫେଲୋସିପ୍ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସଂପର୍କରେ ସୂଚନା ଦେଇଥିଲେ । କେବଳ ଗବେଷଣାରତ ଛାତ୍ରଛାତ୍ରୀ ନୁହେଁ ବରଂ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଫୁଲ୍‌ବ୍ରାଇଟ୍‌ର ବିଭିନ୍ନ ପ୍ରୋତ୍ସାହିନ ଭିତ୍ତିକ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ଭାବେ ଭାରତୀୟ କାର୍ଯ୍ୟକ୍ରମ ଅଧିକାରୀ ଡ଼. ସୁଦର୍ଶନ ଦାସ ଫୁଲ୍‌ବ୍ରାଇଟ୍‌ ଫେଲୋସିପ୍ ଆବେଦନ ପ୍ରଣାଳୀ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସର ରେ ଓଡ଼ିଶୀ ନୃତ୍ୟ ବିଭାଗର ଛାତ୍ରଛାତ୍ରୀ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଦଶାବତୀର ଓ ଲୋକନୃତ୍ୟ ପରିବେଷଣ କରିଥିବାବେଳେ ଡ଼ଃ ସଙ୍ଗୀତା ଗୋସାଇଁ ଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ସଙ୍ଗୀତ ବିଭାଗର ଛାତ୍ରଛାତ୍ରୀମାନେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ । କଲ୍‌ଚର ଷ୍ଟଡ଼ିଜ୍ ବିଭାଗୀୟ ଅଧ୍ୟାପକ ଡ଼ଃ ଆଶିଷ୍ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ବିଶ୍ବଜିତ୍ ବଳିୟାରସିଂହ ଓ ଅରୁନ୍ଧତୀ ସୁନ୍ଦରରାୟ ।