ବ୍ୟବସାୟୀ ସଂଘ ପକ୍ଷରୁ ବର୍ଦ୍ଧିତ ୟୁଜର୍ସ ଫି ପ୍ରତ୍ୟାହାର ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତବର୍ଷ ମାର୍ଚ୍ଚ ମାସ ଠାରୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ ଓ ସଟଡାଉନ ସରକାରୀ କଟକଣା ଲାଗୁ ରହିଥିବା ଯୋଗୁଁ ବ୍ୟବସାୟୀ ସମାଜ ଚରମ ଆର୍ଥିକ କ୍ଷତି ସହୁ ଥିବାବେଳେ ଏବେ ବେଡି ଉପରେ କୋରଡା ମାଡ଼ ଭଳି ପ୍ରଶାସନ ପକ୍ଷରୁ ବର୍ଦ୍ଧିତ ଶୁଳ୍କ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ପ୍ରକାଶ ଥାଉ କି ଛତ୍ରପୁର ଏନଏସି ପକ୍ଷରୁ ଛତ୍ରପୁରର ସମସ୍ତ ବ୍ୟବସାୟୀଙ୍କ ଠାରୁ ଟ୍ରେଡ଼ ଲାଇସେନ୍ସ ବାବଦରେ ଏକ ହଜାର ଟଙ୍କା ଏବଂ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମର ବ୍ୟବହାରିତl ପାଇଁ ୟୁଜର୍ସ ଫି ବାବଦରେ ୩୬୦ ଟଙ୍କା ଲେଖାଏଁ ନିଆଯାଉଥିଲା l ତେବେ ବର୍ତ୍ତମାନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ପୂର୍ବ ନିର୍ଦ୍ଧାରିତ ୩୬୦ ଟଙ୍କା ସ୍ଥାନରେ ଏକ ହଜାର ଟଙ୍କା ଫି ଦେବା ପାଇଁ କୁହାଯିବା ପରେ ବ୍ୟବସାୟୀମାନେ ଚିନ୍ତାରେ ପଡିଛନ୍ତି । ଛତ୍ରପୁର ବ୍ୟବସାୟୀ ମହାସଂଘ ପକ୍ଷରୁ ଗୁରୁବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୋୟ ଭାଉସାହେବ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କୁ ସାକ୍ଷାତ କରି ବର୍ଦ୍ଧିତ ଦେୟକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି l ବଡ଼ ବଜାର ବ୍ୟବସାୟୀ ସଂଘ ସଭାପତି ପ୍ରଫୁଲ ସେନାପତି, କିରାଣୀ ବ୍ୟବସାୟୀ ସଂଘ ସଭାପତି ସୟଦ ମୁକ୍ତାର, ଉପସଭାପତି ଜି. ଜନାର୍ଦନ ରାଓ, ସହସମ୍ପlଦକ ଉମ ଶଙ୍କର ସ୍ୱାଇଁ, ସୁନା ବ୍ୟବସାୟୀ ସଂଘ ସଭାପତି କେ.ରମେଶ ପ୍ରମୁଖ ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା