“ବ୍ରହ୍ମାସ୍ତ୍ର” ଦେଖିଲା ପରେ…

ଏଇ ୨୦୨୨ ସେପ୍ଟେମ୍ବର ଅଧାରେ କନକ ଟିଭିରେ ଏକ ବିତର୍କ ଦେଖିଲି, ଜଣେ ଓଡିଆ ପ୍ରଯୋଜକ କହୁଛନ୍ତି, ପୁଜା ବଜାରରେ ସବୁବର୍ଷ(କରୋନା ୨ବର୍ଷ ବ୍ୟତୀତ) ପ୍ରାୟ ୩/୪ଟି ଜବରଦସ୍ତ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରେ ଓ ବଢିଆ ବେପାର ହୁଏ । ମାତ୍ର ଏବର୍ଷ ଗୋଡ଼ ଧରିଲେବି ହଲ୍ ମିଳୁନି ଓଡ଼ିଆ ସିନେମା ରିଲିଜ୍ ନିମନ୍ତେ । ତା’ପରେ ସଂଯୋଜକ ଜଣକ ହଲ୍ ମାଲିକଙ୍କ ସହିତ ଏ ସମ୍ପର୍କରେ କଥା ହେଲେ । ସମ୍ପୃକ୍ତ ହଲମାଲିକ କହିଲେ, ଆଜ୍ଞା ଆମକୁ କ’ଣ ଭଲ ଲାଗୁଛି ହଲ୍ ଖାଲି ରଖିବାକୁ, ଆମ ଓଡ଼ିଆ ଫିଲ୍ମକୁ ସୁଯୋଗ ନ ଦେଇ ହିନ୍ଦି/ଇଂଲିଶ ସିନେମାକୁ ଦେବାବେଳେ ଆମକୁ କଷ୍ଟ ଲାଗୁନାହିଁ ? କ’ଣ କରିବୁ, ଆମର ମଧ୍ୟ ପେଟ, ପାଟଣା ଅଛି । ଓଡ଼ିଆ ଫିଲ୍ମ ଦେଖିବାକୁ ଲୋକ ଆଉ ଆଗ୍ରହ ଦେଖାଉ ନାହାନ୍ତି, ହାଉସଫୁଲ ନହେଲା ନାହିଁ, ଚଳିଗଲାଭଳି ହେଲେ ଲୋକ ହୁଅନ୍ତେ, ସେକଥା ଵି ନାହିଁ, ଆମ ଖର୍ଚ୍ଚ ଉଠୁନି । ତେଣୁ ଏମାନଙ୍କୁ ହଲ୍ ଦେବୁ କୋଉ ଭରଷାରେ ! ଏସବୁ ସକାଶେ ବହୁତ କାରଣ ରହିଛି, ବିତର୍କ ଏମିତି କେତେ ସମୟ ଚାଲିଲା ।  ପ୍ରଥମ କଥା, ଦୁଇବର୍ଷ କାଳ ବିଶ୍ଵମାରୀ କରୋନା ସବୁକିଛି ନଷ୍ଟଭ୍ରଷ୍ଟ କରିଦେଲା, ଜନଜୀବନ ଠପ୍ ହୋଇଗଲା, ଲୋକ ସବୁ଼, ଘରେ କବାଟକିଳି ରହିଲେ, ଦୋକାନବଜାର, ସିନେମା ହଲ୍ ଏମିତିକି କୋୖଣସି ପ୍ରକାର ସୁଟିଂ ପାଇଁ ଅନୁମତି ନଥିଲା । ସେ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଫିଲ୍ମହଲ୍ ନଷ୍ଟ ହୋଇଗଲା, ଚର୍ଚ୍ଚିତ ସମୟରେ ଓଡ଼ିଆ ଚଳଚିତ୍ର ଜଗତର ଅନେକ ଜଣାଶୁଣା ମୁଖିଆ ବ୍ୟକ୍ତିଙ୍କର ଅକାଳ ବିୟୋଗ ଓଡ଼ିଆ ଚଳ- ଚିତ୍ର ଜଗତକୁ ଦୋହଲାଇ ଦେଲା । ପୁଣି କରୋନା ସମୟରେ ସିନେମାହଲର ଅନେକ ବିକଳ୍ପ ବାହାରିପଡିଲା, ଯଥା:-ଓଟିଟି ପ୍ଲାଟଫର୍ମ, ୱେବ୍ ସିରିଜ, ଭିଡିଓ ଫିଲ୍ମସ ଇତ୍ୟାଦି ।
ତା’ପରେ ବିଜ୍ଞାନର ଦ୍ରୁତ ଅଗ୍ରଗତି ସଙ୍ଗେ ଉପଗ୍ରହ ଜରିଆରେ ଘରେ ବସି ଆରାମରେ ସିନେମା ଦେଖିହେଲା, ଏମିତିକି ମୋବାଇଲରେ, ଲ୍ୟାପଟପରେ କିମ୍ବା ଟିଭିରେ ପେନ୍ଡ୍ରାଇଭ ମାଧ୍ୟମରେ ଦେଖିହେଲା, ଫିଲ୍ମ  ପାଇରାସୀ ତ ହେଉଥିଲା ଏବେ ଆମାଜନ, ନେଟଫ୍ଲିକସ ଏୟାରଟେଲ ମଧ୍ୟ ଏସବୁର ଘରୋଇ ପ୍ରଦର୍ଶନର ସୁବନ୍ଦୋବସ୍ତ କରି ଦେଲେଣି । ସିନେମା
ରିଲିଜ୍ ହେବା ପରେ ପରେ କିମ୍ବା ଅଳ୍ପଦିନ ପରେ ଯଦି ଘରେ ବସି ଆରାମରେ,ଶାନ୍ତିରେ ସପରିବାର ସ୍ବଳ୍ପ ଖର୍ଚ୍ଚରେ ଘରୋଇ ପରିବେଶରେ ସିନେମାଟି ଏ ଦେଖିହେବ, କିଏ କାହିଁକି କଷ୍ଟକରି, ଏତେ ଖର୍ଚ୍ଚକରି ବିକଟ/ବିଚିତ୍ର ପରିବେଶରେ ସିନେମା ହଲ୍ ଯିବ ?ଆହୁରି କରୋନାପରେ ହଲଗୁଡିକ ଅଧାଦର୍ଶକରେ ଚାଲିବାର ଅନୁମତି ଦିଆଗଲା, ଯାହା ମାଲିକ ମାନଙ୍କ ନିମନ୍ତେ ଏକ କଠିନ କାର୍ଯ୍ୟ । ତଥାପି ହଲରେ ସିନେମା ଦେଖିବାର କିଛି ନିର୍ଦ୍ଧିଷ୍ଟ ଗ୍ରାହକ ଗୋଷ୍ଠୀ ଥିଲେ । ମାତ୍ର ପ୍ରାୟ ୧୦/୧୫ ବର୍ଷତଳୁ ଓଡ଼ିଆ ସିନେମା ନିର୍ମାଣରେ ଅଧୋଗତି ପରିଲକ୍ଷିତ ହେଉଛି । ସେଇ ପୁରୁଣାଢାଞ୍ଚାରେ, କିଛି ଚଳଚିତ୍ର ବ୍ୟକ୍ତିତ୍ଵଙ୍କ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର ସେଇ ମଝିପା଼ହାଚରେ, ମାନେ ସେଇ ପ୍ରେମ/ଭଲପାଇବା ଯୁଗରେ ଅଟକି ଯାଇଛି,ସେଇ ଧାରାରୁ ମୁକୁଳି ପାରୁନାହିଁ ଅଦ୍ୟାବଧି । ଗୋଟେ କଥା ଆପଣମାନେଲକ୍ଷ୍ୟ କରିଥିବେ ଆମ ଓଡ଼ିଆ ସିନେମା ଯେମିତି “ଲଭ୍”ଶଦ୍ଦଟିକୁ ପେଟେଣ୍ଟ କରିନେଇଛି । ନିତି ପ୍ରତି ଲଭ୍ ଶଦ୍ଦଥାଇ କେତେ ଯେ ସିନେମା ହୋଇଛି,ହେଉଛି ଏବଂ ଆସୁଛି,ତା’ର ହିସାବ ଯଦି ରଖିବେ ବିଶ୍ବାସ କରିପାରିବେନି, ଯେମିତି ସିନେମା ନୁହେଁ ତ ଆମ ପ୍ରଯୋଜକମାନେ ଲଭ୍ ଉପରେ ଗବେଷଣାତ୍ମକ ଦଲିଲ ପ୍ରସ୍ତୁତ କରୁଛନ୍ତି । ଯଥା:-ହେଲା ମତେ ପ୍ରେମ ଜ୍ୱର, ତତେ ଭଲ ପାଉଛି ମୁଁ ୧୦୦ ରୁ ୧୦୦, ଲଭଷ୍ଟେସନ ଇତ୍ୟାଦି।ଯେମିତିସଂସାରରେ ଆଉ କିଛିନାହିଁ, କେବଳ ଲଭ ଲଭ୍ ଆଉ ଲଭ୍ ତାକୁ ମଧ୍ୟ ଏମିତି ବିକୃତ ଭାବେ ଚିତ୍ରଣ ଏବଂ ପରିବେଷଣ କରାଯାଉଛି ଯେ ପରିବାର ମଧ୍ୟରେ ଦେଖିବା ପ୍ରଶ୍ନ ଉଠୁନାହିଁ !ବେଳେବେଳେ ଏଗୁଡାଏତେ ବିରକ୍ତିକର ହେଉଛି ଯେ ନ କହିବା ଭଲ । ଯିଏ କରୁଛି ସିଏ ତ ନିଶ୍ଚୟ ଭଲ କହିବ।ତା’ପରେ ଓଡ଼ିଆ ଚଳଚିତ୍ର ପ୍ରସ୍ତୁତି ଏତେ ନିମ୍ନମାନର ହେଉଛି ଯେ କୁହନ୍ତୁନି, ସେଇହେତୁରୁ ତ ଓଡ଼ିଆ ଚଳଚିତ୍ରରୁ ଦର୍ଶକ ମୁହଁମୋଡିବା ଆରମ୍ଭ କରିଛନ୍ତି ।ଅଧୁନା ଓଡ଼ିଆ ସିନେମା ଅତ୍ୟାଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗରେ ବହୁତଆଗରେ, ଯାହାନାହିଁ ତା’ହେଉଛି ଓଡ଼ିଆ ମାଟିପାଣି ପବନରଗନ୍ଧ, ଯାହାକୁହନ୍ତି, ଅବୟବ ଅଛି, ଆତ୍ମା ନାହିଁ, ଶରୀର ଅଛି, ଜୀବନ ନାହିଁ, ଏହା ହେଉଛି ଅଧୁନା ଓଡ଼ିଆ ଚଳଚ୍ଚିତ୍ର ପାଇଁ ସବୁଠୁ ବଡ଼ ବିଡ଼ମ୍ବନା । ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଇତିହାସ ବା ପରମ୍ପରା ଅତୀବ ଗୌବୋଜ୍ୱଳ, ପ୍ରଥମ ହିନ୍ଦୀଚଳଚ୍ଚିତ୍ର ନିର୍ମାଣ କଲେ ଦାଦା ସାହେବ ଫାଲକେ ୧୯୧୩ରେ, ଠିକତାର ୨୩ଵର୍ଷ ପରେ ପୁରୀର ମୋହନ ସୁନ୍ଦର ଗୋସ୍ୱାମୀ ତିଆରି କଲେ ଓଡ଼ିଆ ସିନେମା ସୀତା ବିବାହ । ପ୍ରଥମେ ପ୍ରଥମେ ବର୍ଷକୁ ୧/୨ ବା ଶୂନ୍ୟ ସଂଖ୍ୟକ ସିନେମା ତିଆରି ହେଉଥିଲା ଓଡ଼ିଆରେ, ପ୍ରଥମେ ଅନେକ ବର୍ଷ ସଂଖ୍ୟା ଅବଶ୍ୟ ସେମିତିବଢିଲାନି, ଟେକ୍ନିକାଲ ଦୃଷ୍ଟିରୁ ନହେଲେ ମଧ୍ୟ, କାହାଣୀ କଳାତ୍ମକତା, ଅଭିନୟ, ଦର୍ଶକାଦୃତି ଦୃଷ୍ଟିରୁ କିଛି କମନଥିଲା ଏଗୁଡ଼ିକ  । ସେଥିରୁ କେତେକ ଜାତୀୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହୋଇଥିଲା । ଅନ୍ୟ କିଛି ଆମୋଦପ୍ରମୋଦ ନଥିଲା ସତ, ତଥାପି ସେହି ଚଳଚ୍ଚିତ୍ରଗୁଡିକରେ ଦର୍ଶକ ଖାଲିଟାରେ ବାନ୍ଧି ହୋଇ ରହୁନଥିଲେ  ! କିଛି ପଡୋଶୀ ଚଳଚିତ୍ର ବ୍ୟକ୍ତିତ୍ଵ ମଧ୍ୟ ଆସି ଓଡ଼ିଶାରେ ଭାଗ୍ୟ ପରୀକ୍ଷା କରିଛନ୍ତି ଓ ନାଁ କମାଇଛନ୍ତି । ସଂଖ୍ୟା ଦୃଷ୍ଟିରୁ ନହେଲେ ମଧ୍ୟ ମାନଦୃଷ୍ଟିରୁ ସେହି ଓଡ଼ିଆ ଚଳଚିତ୍ର ଗୁଡିକ ଉଚ୍ଚକୋଟୀର ଥିଲା । କାରଣ କିଛି ବୟସ୍କବ୍ୟକ୍ତି ତତ୍କାଳୀନ ଚଳଚିତ୍ରଗୁଡିକୁ ଏବେ ମଧ୍ୟ ଝୁରି ହେଉଛନ୍ତି ଏବଂ ଗୀତଗୁଡ଼ିକ କେବେ କୋଉଠି ଶୁଣିଲେ କାନ ଡେରି ଦେଉଛନ୍ତି । ପୁରୁଣା ହିନ୍ଦୀଚିତ୍ର ଅନୁରୂପ ପୁରୁଣା ଓଡ଼ିଆ ସିନେମାଗୁଡିକର ଗୀତଗୁଡ଼ିକ ମଧ୍ୟ ଏତେ ମନଛୁଆଁ ଥିଲା ଯେ ଏବେ ସୁଦ୍ଧା କର୍ଣ୍ଣଗହ୍ୱରରରେ ପ୍ରତିଧ୍ୱନୀତ୍ୱ ହେଉଛି।ସତୁରୀ ଦଶକରୁ ଓଡ଼ିଆଚଳଚିତ୍ର ନିର୍ମାଣ ବେଗ ଧରିଲା,  ସଂଖ୍ୟା, ଟେକନିକ୍, ତତ୍ ସମ୍ପର୍କୀୟ ବିଶେଷଜ୍ଞ ଏମିତି ସବୁ ଦୃଷ୍ଟିରୁ ଆଗେଇବାକୁ ଲାଗିଲା।ବର୍ଷକୁ ୪୦/୫୦ ବା ତତୋଧିକ ଓଡ଼ିଆ ସିନେମା ନିର୍ମିତ ହେଲା । ଏକବିଂଶ ଶତାବ୍ଦୀର ପ୍ରଥମ ଦଶକର ଶେଷଭାଗରୁ ଓଡ଼ିଆ ଚଳଚିତ୍ରର ସ୍ଖଳନ ଆରମ୍ଭ ହୋଇଛି କହିଲେ ଚଳେ।ଆମ ରାଜ୍ୟର ଏବଂ ଅନ୍ୟ ରାଜ୍ୟର କିଛିପ୍ରଯୋଜକ କମ୍ ସମୟ ଓ କମ୍ ଖର୍ଚ୍ଚରେ କିପରି ଓଡ଼ିଆ ସିନେମାଟିଏ ଉପହାର ଦେଇ ପଇସା କମାଇବା ଏଇ ମନୋଭାବ ହିଁ ବର୍ତ୍ତମାନ କାଳ ହୋଇଛି ଆଧୁନିକ ଓଡ଼ିଆ ଚଳଚ୍ଚିତ୍ରକୁ, ଯାହା କହନ୍ତି, ଉଚ୍ଚ କଳନ୍ତର, ମୂଳ ନାସ୍ତି ଅବସ୍ଥା ! କଥାରେ ଅଛି, ନେଇଆଣି ଥୋଇପାରିଲେ ଚୋରୀବିଦ୍ୟା ଭଲ” । ସେଇଆ କରୁଛନ୍ତି ଆଜିକାର ଓଡ଼ିଆ ପ୍ରଯୋଜକ, ମାତ୍ର ଠିକରେ ନେଇ ଆଣି ପାରୁ- ନାହାନ୍ତି ! ଅର୍ଥାତ୍ କୋଉଠି ହେଲେ କେତେ ଜଣ ଏକାଠି ହୋଇ କିଛି ତେଲୁଗୁ, ତାମିଲ, ହିନ୍ଦୀ କନ୍ନଡ଼/ମାଲାୟାଲାମ ସିନେମାରୁ ବାଛି ବାଛି ସବୁଥିରୁ ଟିକିଏ ଟିକିଏ ମିଶାଇ ଡଵିଙ୍ଗ୍ କରି ନୁଆ ଓଡିଆ ସିନେମାର ରୁପ ସିନା ଦେଉଛନ୍ତି, ଓଡ଼ିଆ ଢାଞ୍ଚା/ଚଳଣି ଦେଉନାହାନ୍ତି, ତେଣୁ ସେଗୁଡା ଦରସିଝା ତରକାରୀ ହୋଇଯାଉଛି, ଯୋଉଥିରେ ନାଁ ଅଛି ବାସ୍ନା, ନାଁ ଅଛି ସ୍ବାଦ, ଡିଜିଟାଲ ଯୁଗର କପି-ପେଷ୍ଟ ଫର୍ମୁଲା ! ଭୋଜିରେ ମସଲା, ପାଣି, ଜିନିଷର ପରିମାଣ, ଲୁଣ, ରାନ୍ଧୁଣିଆର ଅଭିଜ୍ଞତା ସବୁ ଅତ୍ୟାବଶ୍ୟକ, କୋଉଟା କମିଗଲେ, ଗଲା । ଓଡ଼ିଆ ସିନେମାର ବର୍ତ୍ତମାନର ଅବସ୍ଥା ଠିକ୍ ସେଇଆ ହୋଇଛି । ଓଡ଼ିଆ ସିନେମା ନଦେଖିବା ନିମନ୍ତେ ଦର୍ଶକଙ୍କ ଯୁକ୍ତି କିଛି ଅଯୌକ୍ତିକ ନୁହେଁ । ସେମାନଙ୍କ କହିବା କଥା ତେଲୁଗୁ/ହିନ୍ଦୀ ସିନେମାରୁ ଯାହା ଦେଖିଛୁ, ସେଇଆକୁ ପୁଣି ଥରେ ଦେଖିବାକୁ ଯିବୁ କାହିଁକି ପଇସାଦେଇ ? ଅଣ ଓଡ଼ିଆ ଏହା କଲେ, ଠିକ୍ ଅଛି, ତା’ବୋଲି ଓଡ଼ିଆ ଲୋକ ବି ସେଇଆ କରୁଛନ୍ତି, ନିଜ ଗୋଡ଼ରେ ନିଜେ କୁରାଢି ମାରିବା କଥା ! ଓଡ଼ିଆ ଭାଷାରେ ଯେ ସର୍ବାଙ୍ଗ ସୁନ୍ଦର ମୌଳିକ କାହାଣୀର ଅଭାବ ରହିଛି, ଏମନ୍ତ ନୁହେଁ, ଅତୀତରେ ଅନେକ ସୁନ୍ଦରଚଳଚିତ୍ର ନିର୍ମାଣ ହୋଇଛି ମୌଳିକ୍ଓଡିଆ କଥାବସ୍ତୁକୁ ନେଇ ଓ ସୁପରହିଟ ସାବ୍ୟସ୍ତ ହୋଇଛି । କେତୋଟିର ନାଁ ନନେଲେ ଏ ପ୍ରସଙ୍ଗ ଅଧା ରହିଯିବ, ସାଧନା, କିଏ କାହାର,ଅରୁନ୍ଧତୀ,ଘର ବାହୁଡ଼ା,ସଂସାର, ଅମଡ଼ା ବାଟ, କା’, ମଲାଜହ୍ନ, ଅଭିନେତ୍ରୀ, ସୁବର୍ଣ୍ଣ ସୀତା, ବଧୁ ନିରୂପମା, ଛ’ ମାଣ ଆଠ ଗୁଣ୍ଠ, ଅପରିତିତା, ସୁଲୋଚନା(ଫକୀରମୋହନଙ୍କ ଗଳ୍ପ ପେଟେଣ୍ଟ ମେଡିସିନ ଉପରେ ଆଧାରିତ)। ଉଲ୍ଲେଖ ଯୋଗ୍ୟ ୧୯୭୬ ମସିହାରେ ବଙ୍ଗଳାର ପ୍ରଖ୍ୟାତ ନିର୍ଦ୍ଦେଶକ ମୁଣାଳ ସେନଙ୍କ ଜାତୀୟ  ପୁରସ୍କାରପ୍ରାପ୍ତ ହିନ୍ଦୀଚଳଚ୍ଚିତ୍ର “ମୁଗୟା”, ଓଡ଼ିଆର ବିଖ୍ୟାତଲେଖକ ସ୍ବର୍ଗତ ଭଗବତୀଚରଣ ପାଣିଗ୍ରାହୀଙ୍କ ଗଳ୍ପ,”ଶିକାର” ଉପରେ ଆଧାରିତ । ଏବେ କ’ଣ ହୋଇଛି, କେଜାଣି କେହି ଆଉ ପ୍ରତିଷ୍ଠିତ ମୌଳିକ ଓଡିଆକାହାଣୀକୁ ନେଇ ସିନେମା ତିଆରିକରିବାକୁ ପ୍ରସ୍ତୁତ ନୁହଁନ୍ତି ଖାଲି ଏଣୁତେଣୁ କପି କରି ଯାହିତାହି ସିନେମାଟେ କରିଦେବା କଥା, “ରେଡିମେଡ୍” ! ଫଳ ଏଇଆ ହୋଇଛି, ଚଳିତ ବର୍ଷ ଗୋଟିଏ ହେଲେ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ନିମନ୍ତେ ଯୋଗ୍ୟ ହୋଇ ପାରିଲା ନାହିଁ, କେବଳ ଶ୍ରୀ ସୂର୍ଯ୍ୟ ଦେଓଙ୍କ ପୁସ୍ତକ, କାଲି ପାଇଁ କାଲିର ସିନେମା ” ପୁରସ୍କୃତ ହୋଇଛି । ଓଡ଼ିଆ ସିନେମାର ଅଧୋଗତି ମଧ୍ୟରେ ବି ପ୍ରତିବର୍ଷ କୋୖଣସି ନାଁ କୋୖଣସି ସିନେମା ପୁରସ୍କୃତ ହେଉଥିଲା ! ଓଡ଼ିଆରେ ଭଲ ସିନେମା ଯେ ତିଆରି ହେଉନାହିଁ, ଏହା ନୁହେଁ, ମାତ୍ର ସେଗୁଡିକ ହଲ୍ ମୁହଁ ଦେଖୁନାହାନ୍ତି, ଅର୍ଥାତ୍ ଶୁଭ- ମୁକ୍ତି ପୂର୍ବରୁ ଉଭେଇ ଯାଆନ୍ତି । ଆଉ ଗୋଟେ ବିଚିତ୍ରକଥା ଓଡ଼ିଆ ଚଳଚିତ୍ରରେ ଦେଖିବାକୁ ମିଳୁଛି, ମନେକର ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେଲା ୪ଟି ହଲରେ,୧ ମସପ୍ତାହ ପରେ ଲେଖା ହେଉଛି ମିଳିତ ୪ର୍ଥସପ୍ତାହ, ରିଲିଜ୍ ପରଦିନଠୁ ଫିଲ୍ମ ସୁପରହିଟ, ବର୍ତ୍ତମାନର ପ୍ରାୟ ଅଧିକାଂଶ ନାୟକ ସୁପରହୀରୋ, ସବୁ ନିର୍ଣ୍ଣୟ ଯଦି ନିଜେ ନେଇଯିବ, ଦର୍ଶକଙ୍କର ଭୂମିକା କ’ଣ ? ନିକଟ ଅତୀତରେ କଳିଙ୍ଗ ଟିଭିରେ ଏକ ସାକ୍ଷାତକାରରେ ବିଶିଷ୍ଟ ନିର୍ଦ୍ଦେଶକ ଶିଶିର ମିଶ୍ର କହିଥିଲେ, ମଲଟିପ୍ଲେକସ୍ ନୁହେଁ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଛୋଟ ସହର, ଗାଁ ଗହଳିରେ ୨୦୦/୩୦୦ ଆସନ ବିଶିଷ୍ଟ ଛୋଟ ସିନେମାହଲଗୁଡିଏ ତିଆରି କରିବା ଏକାନ୍ତ ଜରୁରୀ । କାରଣ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୫୭୨ଟି ସିନେମାହଲ୍ ଓ ତାମିଲନାଡୁରେ ସିନେମାହଲ ସଂଖ୍ୟା ୭୪୫,ଏମିତିକି ଓଡ଼ିଶାର ଗୋଟିଏ ଜିଲ୍ଲା ସହିତ ସମାନ ପୁଡୁଚେରୀରେ ସିନେମାହଲ ସଂଖ୍ୟା ୧୪ । ଏଥିରେ ତାଙ୍କ ଚଳଚିତ୍ର ଜଗତ ତିଷ୍ଠି ରହିବନି ତ କ’ଣ ଆମର ! ଓଡ଼ିଶାରେ ମୋଟ ସିନେମାହଲ ସଂଖ୍ୟା୮୧ । ଛୋଟ ହଲ ପାଇଁ ମଧ୍ୟ ସ୍ବଳ୍ପହାରରେ ଋଣର ବ୍ୟବସ୍ଥା ଓ ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ । ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସରକାରୀ ପ୍ରୋତ୍ସାହନର ନିତାନ୍ତ ଆବଶ୍ୟକତା ରହିଛି । ଏଇ ଯୋଉ ଅଭିଯୋଗ, ଗୋଡ଼ ଧରିଲେ ମଧ୍ୟ ଓଡ଼ିଆ ସିନେମା ପାଇଁ ହଲ୍ ମିଳୁନି, ତାହା ସମ୍ପୂର୍ଣ୍ଣ ଠିକ୍ନୁହେଁ କି ସମ୍ପୂର୍ଣ୍ଣ ଭୁଲ ମଧ୍ୟ ନୁହେଁ । କାରଣ ଏଇ ୨୦୨୨ପୂଜାରେ “ବାଳୀ” ଓ “ତିତଲି” ଭଳି ଓଡ଼ିଆ ସିନେମା କିଭଳି ହଲରେ ରିଲିଜ ହୋଇ ପ୍ରଶଂସା ସାଉଁଟୁଛି ? ସେମିତି ଦେଖିଲେ ଆଜିକାଲି କୋୖଣସି ଭାଷାର ସିନେମା ମଧ୍ୟ ଚାଲୁ ନାହିଁ ବା ହିଟ୍ ସାବ୍ୟସ୍ତ ହେଉନାହିଁ । ଏମିତିକି ହଲିଉଡ୍ ଫିଲ୍ମ ମଧ୍ୟ ଏଥିରୁ ବାଦ ଯାଇନାହିଁ । ଏହା ହେଉଛି ପରିପୃକ୍ତି ନିଯମର ଉଦାହରଣ, ଅର୍ଥାତ୍ ଲୁଣ ପାଣି ଦ୍ରଵଣରେ ନିର୍ଦ୍ଦିଷ୍ଟ ପରିମାଣର ଲୁଣ ହିଁ ଦ୍ରବୀଭୁତ ହୋଇପାରିବ, ତା’ଠୁ ଅଧିକ କଦାପି ନୁହେଁ  । ଯଦି ଦ୍ରଵଣରେ କିଛି ଚିନି ମିଶାଯାଏ ତାହେଲେ ପୁଣି ସମ ପରିମାଣର ଲୁଣ ମିଶି ପାରିବ, ସନ୍ତୁଳନ ବଜାୟ ରଖିବା ସକାଶେ  । ଚଳଚିତ୍ରଜଗତ ଅବସ୍ଥା ଏବେ ସେଇଆ ହୋଇଛି, ସବୁ ବର୍ଗର ଦର୍ଶକ ଏବେ ଦ୍ରଵଣରେ କିଛି ଚିନି ମିଶାଇ ପୁଣି ଲୁଣ ମିଶିବାକୁ ବାଟ କରିବା ଚାହାଁନ୍ତି । ଏଇ ଦେଖନ୍ତୁ ହିନ୍ଦୀ ସିନେମା ଆଉ ପ୍ରାୟ ଚାଲୁ ନାହିଁ, ତା’ ତୁଳନାରେ ତେଲୁଗୁ/ତାମିଲ/ମାଲାୟାଲାମ ସିନେମା ବରଂ ବଜାର ନେଉଛି । ବିଗତ କିଛି ଦିନରେ ହିନ୍ଦୀ/ତେଲୁଗୁ/ତାମିଲ ବହୁଭାଷୀ ଚଳଚିତ୍ର ବାହୁବଳୀ, ଆର୍ ଆର୍ ଆର୍, କେଜିଏଫ ପ୍ରଭୃତି ବକ୍ସ ଅଫିସରେ ଧମାଲ କରିଛି । ସର୍ବଭାରତୀୟ ବଜାର ଥିବା ହିନ୍ଦୀ ସିନେମା ତା’ ତୁଳନାରେ ଦର୍ଶକଙ୍କୁ ଆକୃଷ୍ଟ କରିପାରୁ ନାହିଁ । ସେଥିପାଇଁ ଅଧୁନା ପ୍ରଯୋଜକମାନେ ତେଲୁଗୁ ସିନେମାରେ ହିନ୍ଦୀ ତାରକା ଓ ହିନ୍ଦୀ ସିନେମାରେ ତେଲୁଗୁ ତାରକାଙ୍କୁ ଦେଖାଇବାର ପ୍ରଚେଷ୍ଟାରେ ଅଛନ୍ତି, ଯେମିତି ସବୁ ଭାଷାର ଦର୍ଶକ ଟାଣି ହୋଇ ଆସିବେ ହଲକୁ ।ଦର୍ଶକ ସେଇ ଚିରାଚରିତ ଦୃଶ୍ୟ/ଘଟଣାବଳୀ/ଚରିତ୍ର ନଦେଖି ନୁଆ କିଛି ଦେଖିବାକୁ ଚାହାଁନ୍ତି।୨୦୨୨ ଅକ୍ଟୋବର ଆରମ୍ଭ ହେଲା,ଗତ ୯ ମାସ ମଧ୍ୟରେ ଏକମାତ୍ର ହିନ୍ଦୀ ସିନେମାଭାବେ “ବ୍ରହ୍ମାସ୍ତ୍ର” ତା’ର ନିର୍ମାଣ ଖର୍ଚ୍ଚ ଉଠାଇପାରିଛି ! ୯-୯-୨୨ରେ
ରିଲିଜ୍ ହୋଇଥିବା ବ୍ରହ୍ମାସ୍ତ୍ର ଦେଖିବାକୁ ଯାଇଥିଲି ଘଟଣାକ୍ରମେ ୨୪-୦୯-୨୦୨୨ରେ  । ଏଭଳି ବିଚିତ୍ର/ଉଦ୍ଭଟ ସିନେମା କେମିତିକରୁଛନ୍ତି,ସେଥିରେ ପଇସାନଉଠିଲେ ଚାଲିନଜାଣି ବାଟର ଦୋଷ ଦେଉଛନ୍ତି ଭାବିଲେ ମୁଣ୍ଡ ଘୁରି ଯାଉଛି ! ଆଜିକାର ଡିଜିଟାଲ ଯୁଗରେ ପାଣିରେ ନିଆଁ ଜଳିବା, ମଣିଷ ଦେହରେ ନିଆଁ ଜଳିବାଟା କୋଉ ଗୋଟେ ଆଶ୍ଚର୍ଯ୍ୟ କଥା ଯେ ପ୍ରଯୋଜକ ଦର୍ଶକଙ୍କୁ ଦେଖାଇ ବାହାବା ନେବେ, ଆମଭଳି ସାଧାରଣ ଲୋକର ମଗଜ ରେ ପଶୁନାହିଁ । ଆମର ଆଈମା’ କାହାଣୀରେ ସୁଦ୍ଧା ଏମିତି କାହାଣୀ ନଥିବ । ବାନରାସ୍ତ୍ର, ଜଳାସ୍ତ୍ର, ପବନାସ୍ତ୍ର, ଆଗ୍ନେୟାସ୍ତ୍ର, ନନ୍ଦୀ ଅସ୍ତ୍ର, ଅସ୍ତ୍ରଙ୍କ ଅସ୍ତ୍ର ବ୍ରହ୍ମାସ୍ତ୍ର ଇତ୍ୟାଦି ସ୍ପେଶାଲଇଫେକ୍ଟସ୍ ଜରିଆରେ ଦେଖାଇବା କୋଉ ନୁଆ ବିଷୟଟେ ଚଳିତ ସମୟରେ ! ସେଥିରେ ମଝିରେ ମୁଁ ଭାବିଲି ଆଇନକ୍ସର ଗେଟ୍ କ’ଣ ଖୋଲି ଦେଲେ କି ଏତେଗୁଡାଏ କୁକୁର କୁଆଡୁ ପଶି ଆସିଲେ ଭିତରକୁ ! ମନେପଡୁଛି ତତ୍କାଳୀନ ମାଟିନୀ ସୋ’ର, ରାଜଶ୍ରୀ ପ୍ରଡକ୍ସନର ସୁନ୍ଦର ସୁନ୍ଦର ଚଳଚିତ୍ରଗୁଡିକ କଥା । ରାଜଶ୍ରୀ ପ୍ରଡକ୍ସନ ବହୁତ କମ୍ ବଜେଟରେ ଅତିସୁନ୍ଦର ସିନେମା ଗୁଡ଼ିଏ ଦର୍ଶକଙ୍କୁ ଉପହାର ଦେଇଥିଲେ, ଯାହା କେତେବେଳେ ଗୋଟିଏ ଘରେ, କେତେ ବେଳେ ଗୋଟିଏ ଗାଁରେ, କେତେବେଳେ ଗୋଟିଏ ସହରରେ ଗୋଟିଏ ପରିବେଶରେ ଶେଷ ହୋଇ ଯାଉଥିଲା ଜଣା ପଡୁନଥିଲା, ମାତ୍ର ସୁପରହିଟର ଗ୍ୟାରେଣ୍ଟି ଥିଲା ସବୁଥିରେ । ଦର୍ଶକ ବାନ୍ଧି ହୋଇ ରହୁଥିଲେ ଶେଷ ପର୍ଯ୍ୟନ୍ତ । ହଲରୁ ବାହାରିବାପରେ ମଧ୍ୟ ଦର୍ଶକ ଗୁଣୁ ଗୁଣାଉଥିଲେ ମନୋମୁଗ୍ଧକର ଗୀତଗୁଡ଼ିକ । ତା’ପରେ ହୃଷିକେଶ ମୁଖାର୍ଜୀ, ଦକ୍ଷିଣର ଦେବର ସିନେମା, ଏଭିଏମ୍ କମ୍ପାନୀ ପ୍ରଭୃତି ସୁନ୍ଦରସୁନ୍ଦର ସିନେମାସବୁ ଭେଟି ଦେଉଥିଲେ ଦର୍ଶକଙ୍କୁ । ଆମର ଓଡ଼ିଆରେ ଏବଂ ହିନ୍ଦୀରେ ମଧ୍ୟ ସେମିତ ରାଜଶ୍ରୀ ପ୍ରଭୃତିର ପୁନରାବୃତ୍ତି କଲେ କ’ଣ ହୁଅନ୍ତାନି ?ଆମେ ଓଡିଆରେ ସିନା ଆର୍ ଆର୍ ଆର୍, ବାହୁବଳୀ, କେଜିଏଫ କରିପାରିବାନି, ଛୋଟବଜେଟର ସୁନ୍ଦର ନିଛକ ଓଡ଼ିଆ ଘରୋଇ ସିନେମା ତ କରିପାରିବା ! ପୁଣି ଦର୍ଶକ ଆସିବେ, ପୁଣି ଓଡ଼ିଆ ଚଳଚିତ୍ର ଜଗତ ହସି ଉଠିବ, ପୁଣି କାଳିଆ ଲେଉଟିବ !

ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯