ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ଼ ସିମାକୁ ନେଇ ଅସନ୍ତୋଷ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ମହାନଗର ନିଗମ ୩୭ ଏବଂ ୩୮ ନଂ ଓ୍ୱାର୍ଡ଼ ସୀମାକୁ ନେଇ ଦୁଇ କର୍ପୋରେଟରଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଗତ କାଉନସିଲ୍ ବୈଠକରେ ସୀମା ନିର୍ଦ୍ଧାରଣ ପାଇଁ ୩୭ ନଂ ଓ୍ୱାର୍ଡ଼ କର୍ପୋରେଟର ବନିତା ସାହୁ ଧାରଣାରେ ବସିଥିଲେ । ଏହାପରେ ମେୟର ଏବଂ କମିସନର୍ ଉକ୍ତ ଅଞ୍ଚଳ ପରିଦର୍ଶନକୁ ଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ବିଇଏମସି କମିସନର,ମେୟର,ବ୍ରହ୍ମପୁର ବିଧାୟକ, ବିଇଏମସି ସୀମା ନିର୍ଦ୍ଧାରଣ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ସତପଥି ସୀମା ନିର୍ଦ୍ଧାରଣ ହେବାକୁ ଥିବା ସ୍ଥାନ ଅର୍ଥାତ ଆଡୁଆ ସାହି ଠାରେ ପହଞ୍ଚିଥିଲେ । ଉଭୟ ଓ୍ୱାର୍ଡ଼ର ସୀମାକୁ ନେଇ ସମସ୍ତ ସଦସ୍ୟ ଆଲୋଚନା କରୁଥିବା ବେଳେ ୩୮ ନଂ ଓ୍ୱାର୍ଡ଼ ବିଜେଡ଼ି କର୍ପୋରେଟରଙ୍କ କିଛି ସମର୍ଥକ ହୋହାଲ୍ଲା କରୁଥିବା ବେଳେ କିରଣ ସାହୁ ନାମକ ଜଣେ ଠିକାଦାର ୩୭ ନଂ ଓ୍ୱାର୍ଡ଼ କର୍ପୋରେଟର ବନିତା ସାହୁଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିବା ସହ ଧକିଆ ମାରି ତାଙ୍କ ହାତକୁ ମୋଡ଼ି ଦେଇଥିଲେ । ବିଇଏମସି କମିସନର, ମେୟର ଓ ବିଧାୟକଙ୍କ ସମ୍ମୁଖରେ ଏଭଳି କାଣ୍ଡ ଘଟିଥିବା ବେଳେ କମିସନର କ୍ଷୁବ୍ଧ ହୋଇ ୩୮ ନଂ କର୍ପୋରେଟରଙ୍କ ସ୍ୱାମୀଙ୍କୁ ତାଗିଦ୍ କରି ତୁମେ କିଏ ? ତୁମେ କର୍ପୋରେଟର କି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ମେୟର ଏବଂ ବିଧାୟକଙ୍କ ପାଟି ଖୋଲିନଥିଲା । ଏହା କ’ଣ ମା’ କୁ ସମ୍ମାନ ବୋଲି ବିଜେପି ନେତୃବୃନ୍ଦ ମିଛ ଡ଼ିମଡ଼ିମ୍ ପିଟୁଥିବା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଜଣେ ଠିକାଦାର କାହା ନିର୍ଦ୍ଦେଶ ଏବଂ କେଉଁ ସାହାସରେ ଜଣେ ମହିଳା କର୍ପୋରେଟରଙ୍କୁ ଦୁର୍ବ୍ୟବହାର ସହ ଅସଦାଚରଣ ଏବଂ ମରଣାନ୍ତକ ଆକ୍ରମଣ କରିଲେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ଏହା ସହ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଦଳର ସମସ୍ତ କର୍ପୋରେଟରଙ୍କ ସମେତ ଦଳୀୟ ନେତୃବୃନ୍ଦ ଏସପିଙ୍କ ଅନୁପସ୍ଥିତିରେ ଏଏସପି ରମେଶ ସେଠୀଙ୍କୁ ଭେଟି ୨୪ ଘଣ୍ଟା ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କର୍ପୋରେଟର ବନିତା ସାହୁଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ରାଜନୈତିକ ଲଢ଼େଇ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ଏଏସପିଙ୍କୁ ସାକ୍ଷାତ ବେଳେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,୩୭ ନଂ ଓ୍ୱାର୍ଡ଼ କର୍ପୋରେଟର ତଥା ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ବନିତା ସାହୁ,କର୍ପୋରେଟର ତଥା ସୀମା ନିର୍ଦ୍ଧାରଣ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ସତପଥି,କର୍ପୋରେଟର ଡ଼ି.କରୁଣାକର,କର୍ପୋରେଟର ରଞ୍ଜିତା ବେହେରା,କର୍ପୋରେଟର ସବିତା ସାହୁ, କର୍ପୋରେଟର ସବିତା ନାୟକ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ବି.ସୋମନାଥ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ଏଲ୍ ମୋହନ ଦାସ,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ରବି ରାଓ,ରଜତ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ‌ ‌
ରିପୋର୍ଟ୍ : ରଜତ ପଟ୍ଟନାୟକ