ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ପାଳିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ କରାଯାଇଛି । ସୂଚନା ଅନୁଯାୟୀ ଶିକ୍ଷାର ବୈପ୍ଲବିକ ପରିବର୍ତ୍ତନରେ ହୋଇଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆଜି ୫୪ ବର୍ଷ ପୁରିଛି । ୧୯୬୭ ମସିହାରେ ଏନ ଖୋସଲା ଏହି ବିଶ୍ୱବିଦ୍ୟାଳୟକୁ ଶୁଭାରମ୍ଭ କରିଥିଲେ । ଏହି ବିଶ୍ୱ ବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ହେଉଛି ଏହି ବିଶ୍ୱ ବିଦ୍ୟାଳୟ । ଆଜିର ଏହି ପ୍ରତିଷ୍ଠା ଦିବସରେ ସାରା ଭାରତରେ ସାହିତ୍ୟ କ୍ଷେତ୍ରରେ ନିଜର ଲେଖନୀ ମାଧ୍ୟମରେ ପ୍ରଶଂସକ ମହଲରେ ବେଶ ପରିଚିତ ଥିବା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ସାହିତ୍ୟ ସାଧନା ଲାଗି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏହାସହ ପୁରସ୍କାର ସ୍ୱରୂପ ତାଙ୍କୁ ୧ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ତାସହିତ ଦକ୍ଷିଣ ଓଡ଼ିଶାର ଲୋକ ସଂସ୍କୃତିକୁ ଆଗକୁ ନେଇଯାଇଥିବା ଯଶସ୍ୱୀ ସାଧକ ନିରସିଂହ ତ୍ରିପାଠୀ ଓ ଉତ୍କଳ କଳାର ସାର୍ଥକ ଉତ୍ତର ଦାୟାଦ ଲକ୍ଷ୍ଣଣ ଶବରଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟର ଆଲୁମିନ ସଦସ୍ୟ ତଥା ମିଳିତ ଜାତିସଂଘର ବିଶିଷ୍ଟ ପରିବେଶବିତ ସତ୍ୟ ସୁନ୍ଦର ତ୍ରିପାଠୀ, ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ୱ ବିଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା