ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଜମିକୁ ଜବର ଦଖଲକାରୀଙ୍କ କବଳରୁ ଉଦ୍ଧାର କରିବା ଦାବୀରେ ମାନବାଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା ଓ ଗଣଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ବଞ୍ଚାଅ ନାରାଦେଇ ଜମି ଜବରଦଖଲକାରୀଙ୍କ କବଜାରୁ ମେଡ଼ିକାଲ ଜାଗାକୁ ଉଦ୍ଧାର କରିବା ଦାବି ନେଇ ୭୮ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସଂଗଠିତ ହୋଇ ଯାଇଛି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଚତୁଃପାଶ୍ୱ ଗଜପତି ନଗର, ଭାବା ନଗର, ସିଦ୍ଧାର୍ଥ ନଗର, ଗୋଇଲୁଣ୍ଡି ଭଳି ଅଞ୍ଚଳରେ ମେଡ଼ିକାଲର ବହୁ ଯାଗା ରହିଥିବା ବେଳେ ସେଗୁଡ଼ିକ ଜବରଦଖଲକାରୀଙ୍କ କବଜାରେ ରହିଛି । ଏହି ଜବରଦଖଲକାରୀଙ୍କ ମଧ୍ୟରେ କିଛି ବରିଷ୍ଠ ଡ଼ାକ୍ତର, ବ୍ୟବସାୟୀ, ଜମିମାଫିଆ, ବିଲଡ଼ର ଆଦି ପ୍ରଭାବଶାଳୀ ବ୍ୟକ୍ତି ରହିଥିବା ସହ ଏମାନଙ୍କ ମଧ୍ୟରୁ କିଛି ଅସାଧୁ ଉପାୟରେ ଦସ୍ତାବିତ ପଟ୍ଟା ମଧ୍ୟ କରି ସାରିଥିବା ଅଭିଯୋଗ ହୋଇଛି । ଏହି ଜାଗାଗୁଡ଼ିକ ନକ୍ସା ଅନୁଯାୟୀ ଚିହ୍ନଟ କରି ମେଡ଼ିକାଲ ନିଜ ଅକ୍ତିଆରକୁ ଆଣି ପାଚେରୀ ନିର୍ମାଣ କଲେ ଆଗାମୀ ଦିନରେ ମେଡ଼ିକାଲକୁ ଅଧିକ ଉନ୍ନତ ଓ ବୃହତ କରିବା ଦିଗରେ ସହାୟକ ହୋଇପାରିବ ତେଣୁ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ଏହା ସହ ମେଡ଼ିକାଲକୁ ଆସୁଥିବା ରୋଗୀଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ସହ ମେଡ଼ିକାଲ ପରିସରରେ ହିଁ ଡ଼ାକ୍ତରଙ୍କ ରହିବା ପାଇଁ ସରକାରୀ କ୍ୱାର୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକାଂଶ ଡ଼ାକ୍ତର କ୍ୱାର୍ଟରରେ ନ ରହି ବାହାରେ ସେମାନଙ୍କ ଘରୋଇ କ୍ଲିନିକ୍. ନର୍ସିଂହୋମ୍ ଚଳାଇ ରହିଥିବା ବେଳେ କ୍ୱାର୍ଟର୍ ଗୁଡ଼ିକ ଖାଲି ପଡ଼ୁଛି କିମ୍ବା ଅନ୍ୟ ଅନୁଷ୍ଠାନକୁ ଭଡ଼ା ସୂତ୍ରରେ ଦିଆଯାଉଛି । ଏପରିକି ମେଡ଼ିକାଲ ଅଧିକ୍ଷକଙ୍କ କ୍ୱାର୍ଟର୍ ମଧ୍ୟ ଅଗ୍ନିଶମ ବିଭାଗଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିବା ଅଭିଯୋଗ ହୋଇଛି । ତେଣୁ ଏହି ବିଷୟକୁ ଦୃଷ୍ଟି ଦେଇ ତୁରନ୍ତ ନିଜ ନିଜ ସରକାରୀ କ୍ୱାର୍ଟରକୁ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରିବା ପାଇଁ ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯିବା ସହ ୭୮ ତମ ଘଣ୍ଟଯାତ୍ରା ଓ ଗଣଧାରଣା ଦେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା