ବ୍ରହ୍ମପୁରରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲାସମ୍ମିଳନୀ ଅନୁଷ୍ଠିତ:ଜିଲ୍ଲା କର୍ମକର୍ତ୍ତା ନିର୍ବାଚିତ

ବର୍ଷିଆନ ନେତା ପୂର୍ବତନ ସଂସଦ ଦ୍ୟୁତି କୃଷ୍ଣ ପଣ୍ଡା ପତାକା ଉତ୍ତୋଳନ କରୁଛନ୍ତି 

ବ୍ରହ୍ମପୁର-ଅଖିଳଭାରତ ଟ୍ରେଡ଼ ୟୁନିଅନ କଂଗ୍ରେସର (ଏ.ଆଇ.ଟି.ୟୁ.ସି.) ଗଂଜାମ ଜିଲ୍ଲା ଶାଖା ଆସିକା ରୋଡ଼ ସ୍ଥିତ ଚତୁର୍ଭୁଜ ଧର୍ମ ଶାଳାରେ ନବମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସାଥୀ ପ୍ରଶାନ୍ତପାଟ ଯୋଶୀ, ଦଣ୍ଡପାଣି ସାମଲ, କିଶୋର ଶତପଥୀ, ଅଳକନାଥ ମିଶ୍ର, ଜୟରାମ ଦାଶ, ବି ବୈରାଗୀ ରେଡ୍ଡୀ, ବି ସନ୍ତୋଷିନୀ ପାତ୍ର ପ୍ରମୁଖଙ୍କ ସଭାପତି ମଣ୍ଡଳୀ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବର୍ଷିଆନ ଶ୍ରମିକ ନେତା ପୂର୍ବତନ ସାଂସଦ ଦ୍ବୁତିକୃଷ୍ଣ ପଣ୍ଡା ଶ୍ରମିକ ପତାକା ଉତ୍ତୋଳନ କରି ସମ୍ମିଳନୀ କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟଅତିଥି ଭାବେ ଡ଼ଃ ସୌରୀବନ୍ଧୁ କର, ମୁଖ୍ୟବକ୍ତା ଭାବେ ଏ.ଆଇ.ଟି.ୟୁ.ସି.ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ ବିଜେଡି ନେତୃତ୍ବାଧୀନ ସରକାରର ସାମଗ୍ରିକ ବିଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି କେନ୍ଦ୍ରରେ ମୋଦି ସରକାର ମଧ୍ୟ ବାରମ୍ବାର ପେଟ୍ରୋଲ ଦର ବୃଦ୍ଧିକରିବା ସହ ବେକାରୀଙ୍କୁ ନିଯୁକ୍ତି ଦେବାରେ ସମ୍ପୂର୍ଣ ଅବହେଳା କରିଥିବାରୁ ଉଦବେଗ ପ୍ରକାଶ କରିଥିଲେ ଶ୍ରମ ଆଇନ ସଂଶୋଧନ ବାତିଲ, ଅସଂଗଠିତ ଶ୍ରମିକଙ୍କ ପାଇଁ କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ  କରିବା, ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ଦେବା, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀନିଯୁକ୍ତି ଦେବା,ଠିକା ଶ୍ରମିକ ନିଯୁକ୍ତି ଆଇନ ବାତିଲ କରିବା, କଳକାରଖାନାରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି କରିବା ଆଦି ଦାବି ଉପରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସରକାରଙ୍କ ଦୃଷ୍ଟି ଗୋଚର ହେବାପାଇଁ ଦାବି କରିଥିଲେ । ଜିଲ୍ଲା ସମ୍ପାଦକ ବୃନ୍ଦାବନ ପଲେଇ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ମୂଷା ବେହେରା, ରୋହିତ ବିଶୋଇ, ବି ଦଣ୍ଡପାଣି ପାତ୍ର, କାମଦେବ ନାହାକ, ଜୟରାମ ପ୍ରଧାନ, କେଶବ ନାହାକ, ପ୍ରବୀଣ ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପ୍ରଶାନ୍ତ କୁମାର ପାଟଯୋଶୀଙ୍କୁ ଜିଲ୍ଲା ସଭାପତି ରୂପେ, ଜୟରାମ ଦଶ, ସୁରେନ୍ଦ୍ର ମହାଙ୍କୁଡ, କେଶବ ନାହାକ ଓ ଦଣ୍ଡପାଣି ସାମଲଙ୍କୁ ଜିଲ୍ଲା ଉପସଭାପତି ରୂପେ ନିର୍ବାଚିତ କରାଯାଇଥିବା ବେଳେ ଅଳକା ନାଥ ମିଶ୍ରଙ୍କୁ ଜିଲ୍ଲା ସମ୍ପାଦକ ଏବଂ ପି ରଣୁକା, ପ୍ରବୀଣ ସେଠୀଙ୍କୁ ସହ ସମ୍ପାଦକ ରୂପେ ନିଯୁକ୍ତି କରାଯାଇଛି । ଏହି ସମ୍ମିଳନିରେ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ, ଗୋପାଳପୁର ବନ୍ଦର ସୁପରଭାଇଜର ୱାରକର ୟୁନିଅନ, ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଙ୍ଘ, ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ, ଗ୍ୟାରେଜ ଶ୍ରମିକ ସଙ୍ଘ, ଆସିକା ଚିନି ଶିଳ୍ପ ଶ୍ରମିକ ସଙ୍ଘ, ପରିବହନ ଶ୍ରମିକ ସଙ୍ଘ, ଖାଲସି ସଙ୍ଘ, ପଟାରିକ୍ସା ସଙ୍ଘ ଇତ୍ୟାଦି ସଂଘର କର୍ମକର୍ତା ମାନେ ଯୋଗ ଦେଇଥିଲେ ।