ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡ଼ା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପରେ ବ୍ଲକ୍ ଅଧ୍ୟକ୍ଷା ମାମି ସେନାପତିଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଓ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା, ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଭାଗର ପ୍ରତିନିଧି ଏଥିରେ ଯୋଗ ଦେଇଥିବା ବେଳେ ବୁଗୁଡ଼ା ବନାଞ୍ଚଳର କେହି ପ୍ରତିନିଧି ନଥିବା ଯୋଗୁ୍ କ୍ଷୋଭ ପ୍ରକାଶ କରାଯାଇଥିଲା । ପଞ୍ଚଦଶ ଅର୍ଥକମିଶନଙ୍କ ଜରିଆରେ ମିଳିଥିବା ଏକ କୋଟି ଏଗାର ଲକ୍ଷ ଟଙ୍କାର ଯୋଜନା ବୈଠକରେ ଗୃହିତ ହୋଇଥିଲା । ପୂର୍ବ ବୈଠକର ନିଷ୍ପତ୍ତି ଗୁଡିକ ସମୀକ୍ଷା କରାଯାଇ ଗ୍ରହଣ କରାଯାଇଥିଲା । ଏନ୍.ଆର.ଜି.ଏସ୍ ହିତାଧିକାରୀଙ୍କ ନାମରେ ଆସିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ୫ଟି ନିୟମ ଆଧାରରେ ଡାକଦ୍ଵାରା ଜଣାଇଦିଆଯିବ ଓ ପ୍ରତ୍ୟେକ ପଞ୍ଚାୟତରେ ଓଡ଼ିଆରେ ପ୍ରସ୍ତୁତ ତାଲିକା ଲଗାଯିବାକୁ ନିଷ୍ପତ୍ତି କରାଗଲା । ପଞ୍ଚାୟତ ସ୍ତରରେ ସଭାକରି ୪୮୯ ଜଣ ନୂଆ ପେନସନଧାରୀ ଙ୍କୁ ପେନସନ୍ ପ୍ରଦାନ କରାଯିବ ଓ ଆସନ୍ତା ୧୫ ଦିନ ମଧ୍ୟରେ ଯେଉଁ ରାସନ କାର୍ଡ ଗୁଡିକରେ କିଛି ଅସଙ୍ଗତି ଅଛି ତାହା ଦୂର କରାଯିବ । ସେହିଭଳି ଆମଗାଁ ଆମ ବିକାଶ ଯୋଜନା, ଅଙ୍ଗନୱାଡି ଗୃହ, ମନ୍ତ୍ରୀ ଓ ବିଧାୟକ ହାତ ପାଣ୍ଠିରୁ ଆସିଥିବା ବିଭିନ୍ନ କାର୍ଯ୍ୟର ବିଲ୍ ଗୁଡିକର ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ ଠିକ କରାଗଲା । ପଞ୍ଚାୟତ ଗୁଡିକରେ ଥିବା ସ୍କୁଲ ଗୁଡିକର ସମସ୍ୟା ଆସନ୍ତା ଏକ ସପ୍ତାହ ମଧ୍ୟରେ ସମାଧାନ କରାଯିବ ଓ ନୂତନ ହିତାଧିକାରୀ ମାନଙ୍କ ଦରଖାସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ସଂଗ୍ରହ କରି ବ୍ଲକର ଅନୁମୋଦନ ପାଇଁ ଅକ୍ଟୋବର ୩୦ ସୁଦ୍ଧା ପ୍ରଦାନ କରିବେ ବୋଲି ସ୍ଥିର କରାଯାଇଥିଲା । ବ୍ଲକର ଗ୍ରାମ ପଞ୍ଚାୟତ ଅଧିକାର କୃଷ୍ଣ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ବ୍ଲକର ସହକାରୀ ଯନ୍ତ୍ରୀ ପର୍ଶୁରାମ ସେଠୀ ଏବଂ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।