ବୁଗୁଡା କରୋନା ପଜିଟିଭ ବ୍ୟକ୍ତି ବହୁ ଲୋକଙ୍କ ସଂସ୍ପର୍ଶରେ : ପ୍ରଶାସନ ହେଲା କଠୋର…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକର ପଜିଟିଭ ବ୍ୟକ୍ତି ଜଣକ ଘରେ ସଙ୍ଗରୋଧରେ ଥିବା ସମୟରେ ବହୁ ବ୍ୟକ୍ତି ସହ ମିଶିଥିବା ଶୁଣାଯାଉଛି । କଳମ୍ବ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହି ଘରେ ୧୪ ଦିନ ସଙ୍ଗରୋଧରେ ରହିଥିବା ସମୟରେ ଆଇନକୁ ଉଲ୍ଲଂଘନ କରି ବ୍ୟକ୍ତି ଜଣକ ପ୍ରଥମେ ଗୋବରା ଶ୍ୱଶୁର ଘରକୁ ଯାଇ ଫେରିଥିଲେ । ଫେରିବା ପରେ ଜ୍ଵର ହେବାରୁ ଜଣେ କ୍ୱାକଙ୍କ ନିକଟରେ ଚିକିତ୍ସା ହୋଇଥିଲେ, ପରେ ବୁଗୁଡା ମେଡ଼ିକାଲକୁ ଯାଇ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ଖାନାର ଜଣେ କର୍ମଚାରୀଙ୍କ ନିକଟରୁ ଔଷଧ ଆଣିବା ସହ ମେଡ଼ିକାଲ ଷ୍ଟୋରରୁ ମଧ୍ୟ ଔଷଧ କିଣିଥିଲେ ଓ ମେଡ଼ିକାଲ ଡାକ୍ତରଙ୍କ ଆଡଭାଇଜ ପରେ ଏକ ଘରୋଇ ପାଥୋଲୋଜି କ୍ଲିନିକରେ ରକ୍ତ ପରୀକ୍ଷା କରିଥିଲେ । ସେଠାରୁ ସେହି ବ୍ୟକ୍ତି ଏକ ଘରୋଇ କ୍ଲିନିକର ଡାକ୍ତରଙ୍କ ନିକଟରେ ଚିକିତ୍ସା ହୋଇ ନିକଟ ମେଡ଼ିକାଲ ଷ୍ଟୋରରୁ ଔଷଧ କିଣିଥିଲେ । ତାପରେ ଗାଡି ଭଡାକରି ବ୍ରହ୍ମପୁର ସିଟି ହସପିଟାଲକୁ ଚିକିତ୍ସା ପାଇଁ ଯାଇ ସେଠାରେ ସ୍ଲାବ ଟେଷ୍ଟରେ ପଜିଟିଭ ବାହାରିବା ପରେ କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା ଶୁଣାଯାଉଛି । ଏଥି ସହ ଗ୍ରାମରେ ସଙ୍ଗରୋଧରେ ଥିବା ସମୟରେ ସାଙ୍ଗମାନଙ୍କ ସହ ତାସ ଖେଳିବା ସହ ଗ୍ରାମ ପୋଖରୀକୁ ସ୍ନାନ ଶୌଚ ପାଇଁ ଯାଉଥିବା ଶୁଣାଯାଉଛି । ସେହି ବ୍ୟକ୍ତିଙ୍କୁ ମେଡ଼ିକାଲକୁ ଗଲାବେଳେ ସାଥିରେ ନିଜର ପତ୍ନୀ ଯାଇଥିବା ମଧ୍ୟ ଶୁଣାଯାଉଛି । ପ୍ରଶାସନ ଗତ ରାତ୍ରରେ ଘରୋଇ ପାଥୋଲିଜି କ୍ଲିନିକକୁ ସିଲ କରିବା ସହ ମାଲିକଙ୍କୁ ବାସଗୃହରେ ସଙ୍ଗରୋଧରେ ରଖିଥିବା ବେଳେ ଚିକିତ୍ସା କରିଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ନିଜ ବାସଗୃହରେ ସଙ୍ଗରୋଧରେ ରଖା ଯାଇଥିବା ଜଣା ପଡ଼ିଛି । ଏହା ବ୍ୟତୀତ ଆହୁରି ଦୁଇଟି ମେଡ଼ିକାଲ ଷ୍ଟୋର, ଘରୋଇ କ୍ଲିନିକ ଡାକ୍ତର, ଡାକ୍ତଖାନାରେ ଔଷଧ ଦେଇଥିବା କର୍ମଚାରୀ, ଚିକିତ୍ସା କରିଥିବା କ୍ୱାକ୍, ନିଜର ପତ୍ନୀ, ଶ୍ୱଶୁର ଘର ପରିବାର, ଯେଉଁ ଭଡା ଗାଡ଼ିରେ ସେ ଯାଇଥିଲେ ତାହାର ଡ୍ରାଇଭର ପ୍ରଭୃ ସିଧାସଳଖ ସଂସ୍ପର୍ଶରେ ଆସି ଥିବା ବେଳେ ସେହି ବିଷୟ ମଧ୍ୟ ପ୍ରଶାସନ ଦୃଷ୍ଟି ଦେବାକୁ ପଡିବ । ଏଥିସହ ନିଜ ଗ୍ରାମ ବେତାରସିଂରେ ବହୁ ଲୋକ ସହ ମିଶିବା ସହ ସର୍ବସାଧାରଣ ପୋଖରୀରେ ସ୍ନାନ କରି ଥିବା ଯୋଗୁଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବାରୁ ସେଥିପ୍ରତି ପ୍ରଶାସନ ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଗୋଳାବନ୍ଧ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାମଲ ଏକ ଜରୁରୀ ବୈଠକରେ ଏକତ୍ରିତ ହୋଇ ବେତାରସିଂ ଗ୍ରାମର ସମସ୍ତ ରାସ୍ତାକୁ ସିଲ କରିଛନ୍ତି । ଗ୍ରାମଠାରୁ ୩ କିମି ଦୂରରୁ ବାରିକଟ ନିର୍ମାଣ କରି ଗ୍ରାମ ଭିତରକୁ ଯିବା ଓ ଗ୍ରାମରୁ କେହି ବାହାରକୁ ଆସିବାରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲାଗଯାଇଛି । ଏଥି ସହ ବୁଗୁଡା ବ୍ଲକରେ ସଟ୍ ଡାଉନ ଆଇନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଠିକ କରାଯାଇଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କ ଭୁଲ ପାଇଁ ବେତାରସିଂ ଗ୍ରାମ ସହ ସାରା ଅଞ୍ଚଳର ଜନସାଧାରଣ କଠୋର ଆଇନର ସମ୍ମୁଖୀନ ହେବାକୁ ବାଧ୍ୟ ହବା ସହ ଭୟର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ଜନସାଧାରଣ ସଚେତନ ହେବାସହ ଘରେ ରହିବା, ବାରମ୍ବାର ହାତ ସଫା କରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ଥଣ୍ଡା କାଶ ଜ୍ଵର ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରିବା ପ୍ରଭୃତି ଦିଗ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା