ବିଷମ କଟକ ଓ ମୁନିଗୁଡାରେ ମାଓ ବିରୋଧୀ ପୋଷ୍ଟର ଦେଖି ଚାରିଆଡେ ଚର୍ଚ୍ଚା…

ରାୟଗଡ଼ା(ସମୃଦ୍ଧ ଓଡିଶା)ବିଷମ କଟକ ଥାନା ଚାଟିକୋଣା ଗ୍ରାମରେ ଓ ମୁନିଗୁଡା ଥାନା ବୁର୍ଷିଖମ୍ବା ଗ୍ରାମର ଦୁଇଟି ସ୍ଥାନ ରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଡଙ୍ଗରିଆ ବିକାଶ ମଞ୍ଚ ନାମରେ ଜାରି ହୋଇଥିବା ଉଲ୍ଲେଖ କରାଯାଇଛି । ଏହି ପୋଷ୍ଟରରେ ନିୟମଗିରୀ ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା ବନ୍ଦ କରିବା ନିମନ୍ତେ ଦାବି କରାଯାଇଛି । ନିୟମଗିରୀ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ କରିବା ସହ ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ ବନ୍ଦ କରିବା, ବିକାଶ ପାଇଁ ଚେଷ୍ଟିତ ଯୁବ ବର୍ଗଙ୍କୁ ମାଓବାଦୀ ନାମରେ ମୃତ୍ୟୁ ଧମକଦେବା, ରାସ୍ତା କାମରେ ନିୟୋଜିତ ଗାଡିଘୋଡାକୁ ପୋଡ଼ିଦେବା ଭଳି ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି । ନିୟମଗିରୀ ଭଳି ପଛୁଆ ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି । ବିଷମକଟକ ଥାନାର ଚାଟିକୋଣାର ମୁଖ୍ୟ ରାସ୍ତା ଓ ମୁନିଗୁଡା ଥାନା ବୁର୍ଷିଖମ୍ବାର ଯାତ୍ରୀ ବିଶ୍ରାମ ଗୃହ ସମେତ ବିଭିନ୍ନ ସ୍ଥାନରେ ଏହିଭଳି ପୋଷ୍ଟର ଲାଗିଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ରିପୋର୍ଟ : ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ