ବିଶ୍ୱ ଅଙ୍ଗଦାନ ଦିବସରେ ସ୍ୱର୍ଗତ ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ୱର୍ଗତ ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ୧୦ମାସ ତଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ମୋତେ ସାକ୍ଷାତ କରି ସୁରଜଙ୍କ ଅଙ୍ଗଦାନ ସକାଶେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସେ ଅନୁଯାୟୀ ସୁରଜଙ୍କ କିଡନୀ, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ, ଯାହାକି ୬ଟି ଲୋକଙ୍କ ଜୀବନ ବଞ୍ଚାଇ ପାରିଥିଲା । ତାଙ୍କ ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେହି ଦିନ ହିଁ ସୁରଜଙ୍କ ସ୍ମୃତିରେ ସୁରଜଙ୍କ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସୁରଜ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ଆଜି ସୂର୍ଯ୍ୟ ପରି ଅନ୍ୟମାନଙ୍କ ଜୀବନ ଓ ଜଗତକୁ ଆଲୋକିତ କରି ଚାଲିଛି । ସେବେ ଠାରୁ ଅନେକ ପରିବାର ଏହି ଭଳି ଅଙ୍ଗଦାନ କରିବା ଦିଗରେ ଆଗେଇ ଆସିଛନ୍ତି । ଆଜି ମଣିଷ ମଧ୍ୟରେ ମଣିଷ ପଣିଆ ବଞ୍ଚି ରହିଛି । ଅନ୍ୟର ଜୀବନ ବଞ୍ଚାଇବା ପରି ପୁଣ୍ୟ ଅନ୍ୟ କିଛି ନାହିଁ ବୋଲି ଜଣାଇଥିଲେ । ଆଜିର ଭଡ଼ିଓ କନଫରେନସିଂ ଜରିଆରେ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ପୌରହିତ୍ୟରେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଏହିଭଳି ପୁଣ୍ୟ କାମ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଭିଡିଓ କନଫରେନସିଂ ହଲରେ ସ୍ବର୍ଗୀୟ ପ୍ରିୟଙ୍କାରାଣୀ ପାତ୍ରଙ୍କ ସ୍ୱାମୀ ଭି. ସମୀର କୁମାର ରାଜୁ, ସମୀର କୁମାରଙ୍କ ପିତା ଭି.ଧର୍ମାରାଜୁ ଏବଂ ତାଙ୍କ ଭାଇ ଭି. ସଚିନ କୁମାରଙ୍କ ଉପସ୍ଥିତିରେ ପାଞ୍ଚ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉ କି ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ଦିନ ଏକ ସାତକ ଦୁର୍ଘଟଣାରେ ପରିବାରର ସମସ୍ତ ସଦସ୍ୟ ଆହତ ହୋଇଥିଲେ । ତନ୍ମଧ୍ୟରୁ ପ୍ରିୟଙ୍କାରାଣୀ ପତ୍ର ମୃତ୍ୟୁ ବରଣ କରିଥିଲେ । ପରିବାର ବର୍ଗ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅସ୍ତ୍ରୋପଚାର କରି ତାଙ୍କର କିଡ଼ନୀ ବାହାର କରିଥିଲେ । ଆପୋଲୋ ହସ୍ପିଟାଲରେ ହିଁ ଜଣେ ଜରୁରୀ ବ୍ୟକ୍ତିଙ୍କୁ ଗୋଟିଏ ଏବଂ ଅନ୍ୟଟି ଏସ.ସିବି ମେଡିକାଲର ଅତ୍ୟାବଶ୍ୟକ ଜଣେ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଭିଡିଓ କନଫରେନସିଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା