ବିଭିନ୍ନ ଦାବୀ ନେଇ ରାସ୍ତା ରୋକ କଲେ ଗ୍ରାମବାସୀ…

ଶେରଗଡ଼ (ସମୃଦ୍ଧ ଓଡ଼ିଶା) ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ଏକର ଜମିରେ ଗତ ଦଶ ଦିନ ୭ ଫୁଟର ପାଣି ଜମି ରହିଛି । ଫଳରେ ଶେରଗଡ଼ର ବଡ଼ଦାଣ୍ଡ ସାହି, କେଉଟ ସାହି ଓ ପାଟପଲି ଗ୍ରାମର ସାହି ଗୁଡିକର ପଛ ପଟେ ପାଣି ଜମି ରହିଛି । ୫୦୦ଏକର ଜମିର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ପାଣି ନିଷ୍କାସନ ନିମନ୍ତେ ଶେରଗଡ଼ ଗ୍ରାମବାସୀ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସୋମାବାର ଦିନ ଏ ପ୍ରସଙ୍ଗରେ ଲୋକମାନେ ପାଣି ନିଷ୍କାସନ ସଂଧ୍ୟା ସୁଧା ନହେଲେ ଆଜି ରାସ୍ତାରୋକ ଚେତାବନୀ ଦେଇଥିଲେ । ସେହି ଚେତାବନୀକୁ ଭିତ୍ତି କରି ମଙ୍ଗଳବାର ସକାଳେ ୫୦୦ରୁ ଅଧିକ ଗ୍ରାମବାସୀ ଏକ ଜୁଟ ହୋଇ ଶେରଗଡ଼ ଚାରି ଛକ, ବଜାର ଛକ, ତିନି ଛକ, କାକିଆ ହୋଟଲ ଛକରେ ଟାୟର ଜାଳି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ଶେରଗଡ଼ର ଦୋକାନ ବଜାର ବନ୍ଦ କରି ଦେଇଥିଲେ । ଫଳରେ ଚାଲୁଥିବା ଗାଡି ମୋଟର ବନ୍ଦ ରହିଥିଲା । ତୁରନ୍ତ ଶେରଗଡ଼ରେ ସ୍ଥାୟୀ ନାଳ ନିର୍ମାଣ ହେଉ, ନାଳକୁ ସିଧା ସମାନ ମାପରେ ନିର୍ମାଣ ହେଉ, ନାଳ ନିର୍ମାଣ ସମୟରେ ସାମୁହିକ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହାପରେ ଖବର ପାଇ ଶେରଗଡ଼ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ବିଡ଼ିଓ ସୁରଞ୍ଜନ କୁମାର ସାହୁ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଏ ନେଇ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି ।

ରିପୋର୍ଟ-ବିପ୍ଳବ ସେଠୀ