ବିପର୍ଯ୍ୟୟ ମୁକାବିଲାର କୌଶଳ ତଦାରଖ ନିମନ୍ତେ ୨ଦିନିଆ ଗଞ୍ଜାମ ଗସ୍ତରେ ଆନ୍ଧ୍ର ପ୍ରତିନିଧି ଦଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏପରିକି ବନ୍ୟା ଓ ବାତ୍ୟା ସହ କୋଭିଡ୍‌-୧୯ ମୁକାବିଲାକୁ ମଧ୍ୟ ଗଞ୍ଜାମ ଜିଲ୍ଲା ମୁକାବିଲା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ପ୍ରତିନିଧି ଦଳ ଶନିବାର ଗଞ୍ଜାମ ଗସ୍ତ କରି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ମୁକାବିଲାର କୌଶଳକୁ ତଦାରଖ କରିଛନ୍ତି । ଆଜି ଆନ୍ଧ୍ର ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ଡଃ.ବି.ଆର.ଆମ୍ବେଦକରଙ୍କ ନେତୃତ୍ୱରେ ଆନ୍ଧ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ସି.ନାଗରାଜୁ, ବାୟୁମଣ୍ଡଳ ବୈଜ୍ଞାନିକ ଡଃ ଏମ୍‌.ଏମ୍‌.ଅଲି ଓ ପ୍ରକଳ୍ପ ସଂଯୋଜକ ବି.ପ୍ରସାଦ ଏକ ୪ ଜଣିଆ ପ୍ରତିନିଧି ଦଳ ଦୁଇଦିନଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ୧୯୯୯ ମହାବାତ୍ୟା ପରଠୁ ଯେତେ ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଓଡିଶା ସରକାରଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଫଳତା ବଜାୟ ରଖିପାରିଛି । ଫାଇଲିନ୍‌, ହୁଡ୍‌ହୁଡ୍‌, ତିତଲି, ଜୱାଦ୍ ବାତ୍ୟାକୁ ମୁକାବିଲା କରି ଜିଲ୍ଲାରେ ଶୂନ କାଜୁଆଲଟି ରଖିପାରିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟି ଆଦି ୫ଟି ଉପକୂଳ ବର୍ତ୍ତୀ ବ୍ଲକ ରହିଛି । ମୋଟ ୬୬ କିଲୋମିଟର ଉପକୂଳ ବର୍ତ୍ତୀ ଅଞ୍ଚଳ ରହିଛି । ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପୂର୍ବରୁ ଗଞ୍ଜାମ ଜିଲ୍ଲା କିଭଳି ମୁକାବିଲା କରିପାରିଛି ଏବଂ ପରବର୍ତ୍ତୀ ସମୟରେ ବାତ୍ୟା ଓ ବନ୍ୟାରେ କ୍ଷତିପୂରଣ ହୋଇଥିବା ଫସଲ ଠାରୁ ଅନ୍ୟାନ୍ୟ ଜରୁରୀ କ୍ଷେତ୍ରରେ ଆକଳନ କରି ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି ଏହାକୁ ବିସ୍ତୃତ ଭାବେ ଗଞ୍ଜାମ ଜିଲ୍ଲାପାଳ ଆନ୍ଧ୍ର ପ୍ରଦେଶ ରାଜ୍ୟର ପ୍ରତିନିଧି ଦଳକୁ ବୁଝାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁକାବିଲା କରିବା ଲାଗି ଗ୍ରାମାଞ୍ଚଳଠୁ ଆରମ୍ଭ କରି ଜିଲ୍ଲାସ୍ତରରେ ମକଡ୍ରିଲ୍ ମାଧ୍ୟମରେ ସଚେତନତା କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସହୟତା କରିବା ଲାଗି ‘ସ୍ୱୟଂସିଦ୍ଧା’ ନାମକ ମହିଳା ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପୁଲିସ, ଫାୟାର, ଓଡ୍ରାଫ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଛି । ଜିଲ୍ଲାର ୨୦୦ ମହିଳା ଗୋଷ୍ଠୀ ଏହି ପ୍ରଶିକ୍ଷଣ ନେଇ ଗତ ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରିଛନ୍ତି । ବାତ୍ୟା ଓ ବନ୍ୟା ପୂର୍ବରୁ ଲୋକଙ୍କୁ ଥଇଥାନା, ଖାଦ୍ୟ ଏବଂ ସ୍ଥାନାନ୍ତର ଆଦି ବିଷୟରେ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ନିକଟରେ ହେଲିକେପ୍ଟର ଦ୍ୱାର ସମୁଦ୍ରରେ ନିଖୋଜ ହୋଇଥିବା ୧୧ ଜଣ ମତ୍ସ୍ୟଜୀବୀକୁ ଉଦ୍ଧାର କରାଯାଇଥିବା ମଧ୍ୟ ଏକ ଭିଡିଓ ଚିତ୍ରକୁ ପ୍ରତିନିଧି ଦଳ ଦେଖିଥିଲେ । ଏହାସହ ପ୍ରତିନିଧି ଦଳ କେତେକ ବିଷୟକୁ ଜିଲ୍ଲାପାଳଙ୍କୁ ପଚାରିଥିବା ବୁଝିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍‌ରେୟ ଭାଉସାହେବ କୋଭିଡ୍‌-୧୯ ପ୍ରଥମ ଲହରରେ କିଭଳି ଗଞ୍ଜାମ ଜିଲ୍ଲା ପ୍ରଶାସନ ମୁକାବିଲା କରି ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ପାରିଥିଲା ତାହାକୁ ବିସ୍ତୃତ ଭାବେ ଆନ୍ଧ୍ର ପ୍ରତିନିଧିଙ୍କ ଠାରେ ଉପସ୍ଥାପନା କରିଥିଲେ । ଓଡିଶା ସରକାରଙ୍କ ସହଯୋଗରେ ପ୍ରବାସୀ ଶ୍ରମିକଙ୍କୁ ସ୍ୱତନ୍ତ୍ର ରେଳ ମାଧ୍ୟମରେ ଜିଲ୍ଲାକୁ ଆଣିବା ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବା, ଖାଇବା ଏବଂ ଚିକିତ୍ସା କରି ଘରକୁ ଫେରାଇବା ଆଦି କାମକୁ କିଭଳି ସୁରୁଖୁରରେ ପରିଚାଳନା କରାଯାଇଥିବା ଏବଂ କୋଭିଡ୍‌-୧୯କୁ ମୁକାବିଲା କରିବା ପାଇଁ ଭାରତ ବର୍ଷରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ନିଆଯାଇଥିବା ପ୍ରଥମ ପଦକ୍ଷେପ ଗୁଡିକୁ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଭିଡ୍‌ରେ ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା, ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁକାଳିନ ସହାୟତା ୧୫ ଲକ୍ଷ ଏବଂ ଅନ୍ୟ ସାଧାରଣ ଲୋକଙ୍କ ମୃତ୍ୟୁ ପାଇଁ ୫୦ ହଜାୟ ଲେଖାଁଏ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆନ୍ଧ୍ର ପ୍ରଦେଶର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଥିଲେ । ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରିୟରଂଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଓସଡୋମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ, ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଆସିଷ୍ଟାଣ୍ଡ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ଏହି ପ୍ରତିନିଧି ଦଳ ଗଞ୍ଜାମ ବ୍ଲକ ପ୍ରୟାଗି ବାତ୍ୟା ଆଶ୍ରୟ ସ୍ଥଳୀକୁ ପରିଦର୍ଶନ କରି ସେଠାରେ ‘ସ୍ୱୟଂସିଦ୍ଧା’ ମହିଳା ଗୋଷ୍ଠୀ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟ ବେଳେ ମୁକାବିଲା ପାଇଁ ଚାଲିଥିବା ମକଡ୍ରିଲ୍ କାର୍ଯ୍ୟକ୍ରମକୁ ଦେଖିଥିଲେ । ସେଠାରୁ ଗଞ୍ଜାମ ବ୍ଲକ ଓଡିଆରପି କଲୋନିକୁ ପ୍ରତିନିଧଇ ଦଳ ଗସ୍ତ କରି ସେଠାରେ ହିତାଧିକାରୀଙ୍କ ବାତ୍ୟା ନିରୋଧକ ଗୃହ, କୋଠଘର, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କେନ୍ଦ୍ର ଆଦି ଅଞ୍ଚଳ ବୁଲି ଦେଖିଥିଲେ । ଏହି ପ୍ରତିନିଧି ଦଳ ରବିବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା