ବିଦ୍ୟାଳୟ ବନ୍ଦ ଓ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗ୍ରାମବାସୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ପାଟପୁର ଗ୍ରାମର ବିଦ୍ୟାଳୟ ନେଇ ବ୍ରହ୍ମପୁର ଗ୍ରାମ ବିଦ୍ୟାଳୟକୁ ସ୍ଥାନାନ୍ତର ଏବଂ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପି.ପୁଟବଗଡ ଗ୍ରାମର ବିଦ୍ୟାଳୟକୁ ପୁଟବଗଡ ବିଦ୍ୟାଳୟକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ପାଟପୁର ଓ ପି.ପୁଟବଗଡ ଗ୍ରାମବାସୀ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉଭୟ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଗତକାଲି ପ୍ରଦାନ କରିଛନ୍ତି । ଏହାସହ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ଏହାସତ୍ୱେ ଯଦି ପ୍ରଶାସନ ପକ୍ଷରୁ ଏହି ବିଦ୍ୟାଳୟକୁ ବନ୍ଦ କରାଯାଏ ତେବେ ସମୂହ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ନୀଳକଣ୍ଠ ଦାଶ, ପାଟପୁର ଗ୍ରାମର ରବି ମହାପାତ୍ର, ରାମଚନ୍ଦ୍ର ଦାଶ, ଚିନ୍ମୟ ଦାଶ,ଶିବରାମ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ପି.ପୁଟବଗଡ ଗ୍ରାମର ଭଗବାନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ଶୁକ୍ରୁ ପ୍ରଧାନ, ସାଗର ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ସୂଚନା ଅନୁଯାଇ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ଲାଗି ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଆହୁରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନୂତନ ଭାବରେ ନାମ ଲେଖାଇବାକୁ ବାରମ୍ବାର ଅଭିଭାବକମାନେ ଚେଷ୍ଟା କରିଥିଲେ ସୁଦ୍ଧା ଏହାକୁ ଶିକ୍ଷକମାନେ ସଫଳ କରିବାକୁ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଯଦି ଏହି ବିଦ୍ୟାଳୟ ଅନ୍ୟ ଗାଁର ବିଦ୍ୟାଳୟରେ ମିଶିବ ତେବେ ଛୋଟ ଛୋଟ ପିଲାମାନେ ସେଠାକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏହାସହ ରାସ୍ତା ପାର କରି ଗଲା ବେଳେ ଦୁର୍ଘଟଣାରେ ଆହତ ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଆଜି ଉଭୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା