ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ

ଭୁବନେଶ୍ୱର,(ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି ପାଉ ଥିବାର ସୂଚନା ମିଳୁଛି । ପୋଷ୍ଟିଂଗୁଡିକ ବିରୋଧୀଙ୍କ କଲିଜା ଚିରିବା ପରିବର୍ତେର୍ ଦଳର ଦୁର୍ବଳତାକୁ ଉନ୍ମୁକ୍ତ କରୁଛି । ବିଗତ ୧୮ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଦଳରୁ ତଡା ଖାଇଥିବା ନେତାଙ୍କୁ ଟାର୍ଗେଟ୍ କରାଯାଇ ଯେଉଁ ସବୁ ବ୍ୟଂଗାତ୍ମକ ପୋଷ୍ଟିଂ ହେଉଛି ଅନେକ ସମୟରେ ସେଥିରୁ କିଛି ଅରୁଚିକର ମନେ ହେଉଛି । ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛୁ ବା ଅନ୍ୟ କିଛି ବ୍ୟାନର୍ ଏଭଳି ପୋଷ୍ଟିଂ ହେଉଥିବା ବେଳେ ଦଳର ନୀରବତା ବିଜେଡ଼ି ସୁପ୍ରିମୋ ବା ତୃତୀୟ ମହଲାର ସହମତିରେ ଏସବୁ ହେଉ ଥିବାର ଧାରଣା ସୃଷ୍ଟି କରୁଛି । ଆଗାମୀ ଦିନରେ ଏହା ଦଳର ଭାବମୂର୍ତର୍ୀକୁ କ୍ଷୁର୍ଣ୍ଣ କରିପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି ।ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ିରୁ ବହିଷ୍କାର କରାଯିବା ପରେ ତାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଫଟୋ ସମ୍ବଳିତ ବ୍ୟଙ୍ଗାତ୍ମକ ପୋଷ୍ଟିଂ ହେଉଥିଲା । ଠିକ୍ ସେହିଭଳି, ଏବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ପୂର୍ବତନ ଉପ ସଭାପତି ଡା.ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ତାଙ୍କ ବିରୋଧରେ ଫଟୋ ସହ କଟୁ ମନ୍ତବ୍ୟ ରହୁ ଥିବା ପୋଷ୍ଟ୍ ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ଦେଖିବାକୁ ମିଳୁଛି। ଏପରିକି,୧୯୯୫ ମସିହା ସାଧାରଣ ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ପରାଜିତ ହେବାର ମୁଖ୍ୟ କାରଣ ଡା. ରାଉତ ବୋଲି ଦର୍ଶାଯାଇ ଫେସ୍ ବୁକ୍ ରେ ଯେଉଁ ସବୁ ପୋଷ୍ଟ୍ ଅପ୍ ଲୋଡ୍ କରାଯାଇଛି ିସେସବୁରେ ସେତେବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଠାରେ ଘଟି ଥିବା ବାସନ୍ତୀ ବାରା ଉପାଖ୍ୟାନକୁ ତାଜା କରିଛି । ବିଜୁ ବାବୁ ‘ମା’କୁ ସମ୍ମାନ, ମାଟିକୁ ସମ୍ମାନ’ ସ୍ଲୋଗାନ ଦେଇ ୧୯୯୦ରେ ଓଡ଼ିଶାରେ କ୍ଷମତାକୁ ଆସିଥିବା ବେଳେ ତାଙ୍କ ସରକାର (୧୯୯୦-୯୫)ରେ ମନ୍ତ୍ରୀ ଥିବା ଡା. ରାଉତ କୁତ୍ରାଠାରେ ଆୟୋଜିତ ଏକ ଜନସଭାରେ ବାସନ୍ତୀ ବାରା ନାମକ ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ଅସମ୍ମାନ କରିଥିବାର ଅଭିଯୋଗ ରହିଛି । ଏହି ଅଭିଯୋଗକୁ ନେଇ ସେ ସମୟରେ ରାଜ୍ୟର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଯୋରଦାର ପ୍ରତିବାଦ କରାଯିବା ସହ ଡା. ରାଉତଙ୍କୁ ଶଂଖା, ସିନ୍ଦୁର ଉପହାର ଦିଆଯାଇ ଅପମାନିତ କରାଯାଇଥିଲା । ଡା. ରାଉତ ୨୦୦୦ରୁ ୨୦୧୮ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡ଼ି) ସରକାରରେ ମନ୍ତ୍ରୀ ପଦ ସହ ବିଭିନ୍ନ ସାଂଗଠନିକ ପଦପଦବୀରେ ଥାଇ ନବୀନଙ୍କ ସପକ୍ଷରେ ଓକିଲାତି କରୁଥିଲେ । ଏବେ ସେ ଦଳରୁ ବହିଷ୍କାର ହେବା ପରେ ନବୀନ ସମର୍ଥକ ବୋଲି କହୁଥିବା ବିଜେଡ଼ି ନେତା ଓ କର୍ମୀମାନଙ୍କୁ ବାସନ୍ତୀ ବାରା ଉପାଖ୍ୟାନ ମନେ ପଡିଲା । ବିଜେଡ଼ି ଗଠନ ସମୟରେ ଡା. ରାଉତ ଦଳକୁ କଟାକ୍ଷ କରି ‘ଏହା ଗୋଣ୍ଡା ଦଳ’ ବୋଲି କହିଥିବା କଥା ମଧ୍ୟ ଏବେ ବିଜେଡ଼ି ନେତାମାନେ ମନେ ପକାଉଛନ୍ତି । ୧୮ ବର୍ଷ ହେଲା ଏହି ନେତାମାନେ ଦାମଙ୍କ ଆବାହନ କରୁଥିଲେ । ତୃତୀୟ ମହଲା କ୍ଷମତା କେନ୍ଦ୍ରକୁ ଆକ୍ଷେପ କରି ସେ ଦଳରୁ ତଡା ଖାଇବା ଏବଂ ବିଜେଡ଼ି ସରକାର ଅମଳରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସଂପର୍କରେ ମୁହଁ ଖୋଲିବା ପରେ ସେ ନବୀନ-ସମର୍ଥକଙ୍କ ପାଇଁ ବିଷ ସଦୃଶ ହୋଇଛନ୍ତି । ଦାମଙ୍କ ସଂପର୍କରେ ପୁରାଣା କଥା ମନେ ପକାଇ ନବୀନ ସମର୍ଥକ ନେତାମାନେ ସାମାଜିକ ଗଣମାଧ୍ୟମରେ କଟାକ୍ଷ ଓ ଫଟୋ ଅପ୍ ଲୋଡ୍ କରୁଛନ୍ତି । ଏହା ପଛରେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାର ଅଲିଖିତ ନିର୍ଦେଶ ଥିବା ଅନୁମାନ କରାଯାଇପାରେ ।ତେବେ, ଡା. ରାଉତ ପୂର୍ବତନ ସାଂସଦ ବୈଜୟନ୍ତଙ୍କ ଭଳି ନରମା ବ୍ୟକ୍ତି ନୁହନ୍ତି । ତାଙ୍କ ତୁଣ୍ଡ ଓଡ଼ିଶାର ଗଣମାଧ୍ୟମ ପାଇଁ ଖବରର ସବୁ ଠାରୁ ବଡ ‘ଖୋରାକ’ ରହି ଆସିଛି । ଗଣମାଧ୍ୟମ ପ୍ରତିନିଧିମାନେ ସକାଳୁ ଉଠିଲେ ବାସୁଆ ବଳଦକୁ ଦର୍ଶନ କଲା ଭଳି ଡା. ରାଉତଙ୍କୁ ଦର୍ଶନ କରିବା ପରେ ହିଁ ଅନ୍ୟ ଖବର ପଛରେ ଧାଇଁ ଥା’ନ୍ତି । ବିଭିନ୍ନ ସମୟରେ ନିଜ ଦଳର ନେତା ବା ସରକାରଙ୍କ ସଂପର୍କରେ ନୁହେଁ, ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରି ଡା. ରାଉତ ନ୍ୟୁଜ୍ ଚ୍ୟାନେଲଗୁଡିକର ଟିଆରପି ବଢାଇଛନ୍ତି । ମୁହଁଖୋର୍ ନୀତି ଯୋଗୁ ସେ କ୍ୟାବିନେଟ୍ ମନ୍ତ୍ରୀ ଓ ଦଳର ଉପ ସଭାପତି ପଦ ହରାଇ ଥିଲେ । ଏବେ, ବିଜେଡ଼ିରୁ ତଡା ଖାଇଛନ୍ତି । ୧୮ ବର୍ଷର ବିଜେଡ଼ି ସରକାରଙ୍କ ଅମଳରେ ହୋଇଥିବା ଚିଟ୍ ଫଣ୍ଡ୍ କେଲେଂକାରୀ ଠାରୁ ଆରମ୍ଭ କରି କୃଷି, ସମବାୟ ଓ ଅନ୍ୟାନ୍ୟ ସରକାରୀ ବିଭାଗର ଶହ ଶହ କୋଟି ଟଙ୍କାର ଦୁର୍ନୀତି ସଂପର୍କରେ ମୁହଁ ଖୋଲି ଡା. ରାଉତ ଏବେ ଭୂକଂପ ସୃଷ୍ଟି କରିଛନ୍ତି । ସେ ଯାହା କଲେଣି ‘ବ୍ରହ୍ମାସ୍ତ୍ର’ର ଧମକ ଦେଇଥିବା ସ୍ୱର୍ଗତ ଅଂକଲ୍ ପ୍ୟାର ମହାପାତ୍ର ମଧ୍ୟ ତାହା କରି ପାରି ନ ଥିଲେ । ବର୍ତର୍ମାନର ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯେତେ ବିଳିବିଳେଇ ହେଲ ବି ଦାମଙ୍କ ବାଣ ଯେ ‘ଅମୋଘ’, ତାହା ସେମାନଙ୍କ ପ୍ରତିରକ୍ଷାତ୍ମକ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।ଓଡ଼ିଶାରେ ଶାସକ ବିଜେଡ଼ିରେ ଯେତେ ଗୋହି ଖୋଳାଖୋଳି ହେବ ତାହା ରାଜ୍ୟରେ ବିଜେପି ସ୍ଥିତିକୁ ସୁଦୃଢ କରିବ ଏବଂ ଦଳ ୨୦୧୯ରେ ‘ଓଡ଼ିଶା ଦଖଲ’ର ଯେଉଁ ସ୍ୱପ୍ନ ଦେଖୁଛି ତାହା ସାକାର ହେବ ବୋଲି ବିଜେପିର ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରର ନେତାମାନେ ଅନୁମାନ କରୁଛନ୍ତି । ତେଣୁ, ଦାମ-ବିଜେଡ଼ି ଲଢେଇକୁ ଦଳ ଉପଭୋଗ କରୁଛି । ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ପାରେ ବିଜେପି ଆଡକୁ ମୁହାଁଇବା ଆରମ୍ଭ କରିଥିଲେ । ଏବେ ବିଜେଡ଼ିରୁ ବହିଷ୍କୃତ ହେବା ପରେ ସେ ତୁରନ୍ତ ବିଜେପିରେ ଯୋଗ ନ ଦେଇ ଏକ ବିକଳ୍ପ ଆଂଚଳିକ ଦଳ ଗଠନର ସ୍ୱପ୍ନ ଦେଖୁଛନ୍ତି । ପୂର୍ବତନ ମନ୍ତ୍ରୀ ଡା. ରାଉତ ବିଜେଡ଼ିରୁ ବହିଷ୍କୃତ ହେବା ପରେ ବୈଜୟଂତ ତାଙ୍କୁ ଭେଟିବା ନବୀନ ସମର୍ଥକଙ୍କ ପାଇଁ ଗାତ୍ରଦାହ ହୋଇଛି । ବୈଜୟଂତ-ଦାମ ଯୋଡି ହେବା ପରେ ବିଜେପିରେ ଏକଘରିଆ ହୋଇ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ନେଇ ‘ବିଜୁ ନାମଧାରୀ’ ଆଉ ଏକ ଆଂଚଳିକ ଦଳ ଗଢିବା ଆଶଙ୍କା ତୃତୀୟ ମହଲାକୁ ଚିନ୍ତିିତ କରିଛି । ତେଣୁ, ଆରମ୍ଭ ହୋଇଯାଇଛି ସାମାଜିକ ଗଣମାଧ୍ୟମରେ ଏହି ଚାରି ନେତାଙ୍କୁ କଟାକ୍ଷ । ଗୋଳିଆ ପାଣିରୁ ମାଛ ଧରିବାରେ ଓସ୍ତାଦ ବିଜେପିର ରଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଏଭଳି ଗୋଳିଆ ପାଣି ଖୋଜୁଥିଲେ । ନିକଟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଜେପିର ଘୋଷଣା କରିଛି ‘୨୦୧୯ର ଲକ୍ଷ୍ୟ ଓଡ଼ିଶା’ । ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାରୁ ସେମାନେ ଆଗାମୀ ସାଧାରଣ ନିର୍ବାଚନର ଶଙ୍ଖ ଫୁଙ୍କିବେ ବୋଲି ସୂଚନା ଦେଇ ଥିବାରୁ ବିଜେଡ଼ିରେ ଅସ୍ଥିରତା ବଢୁଥିବା ଅନୁମାନ କରାଯାଉଛି । ପୁଣିଥରେ ବୈଜୟନ୍ତ ବିଜେଡ଼ି କ୍ଷମତା କେନ୍ଦ୍ରର ରୋଷର ଶିକାର ହୋଇଛନ୍ତି ।ଚିଲିକା ଉପରେ ହେଲିକପଟର୍ ଉଡାଇ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ ବୈଜୟନ୍ତଙ୍କ ବିରୋଧରେ ମଙ୍ଗଳବାର ପୁରୀ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ପୁରୁଖା ପାଇଲଟଙ୍କ ମତରେ, ଦେଶରେ ମୋଟ ଆଠଟି ‘ନୋ-ଫ୍ଲାଇଂ ଜୋନ୍’ ରହିଛି । ସେଥିରେ ଓଡ଼ିଶାର କୌଣସି ଅଂଚଳ ନାହିଁ । କୌଣସି ଅଂଚଳକୁ ‘ନୋ-ଫ୍ଲାଇ ଜେନ୍’ ଭାବେ ଘୋଷଣା କରିବା ଅଧିକାର ମଧ୍ୟ ରାଜ୍ୟ ସରକାରଙ୍କର ନାହିଁ । ପୁରୀ ପୁଲିସ ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା କେମିତି ବୋଲି ଓଳଟା ସେମାନେ ପ୍ରଶ୍ନ କରୁଛନ୍ତି । ହେଲିକପଟର୍ ର ‘ବ୍ଲାକ ବକ୍ସ’କୁ ଅନୁଧ୍ୟାନ କରି ଡ଼ିଜିସିଏ ଯେଉଁ ରିପୋର୍ଟ ଦେବେ ସେଥିରୁ ବାସ୍ତବ ତଥ୍ୟ ମିଳିିବ । ଚିଲିକାରେ ପକ୍ଷୀ ଅଭୟାରଣ୍ୟ ରହିଛି । ଶୀତ ଦିନେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସି ସେଠାରେ ଅବସ୍ଥାନ କରିବା ସହ ଅଣ୍ଡା ଦିଅନ୍ତି । ସେହି ସମୟରେ ଚିଲିକା ଉପରେ ହେଲିକପଟର୍ ଉଡାଇ ବା ସି-ପ୍ଲେନ୍ ଅବତରଣ କରି ପକ୍ଷୀମାନଙ୍କୁ ଭୟଭୀତ କରାଯିବା ଯଥାର୍ଥ ନୁହେଁ । ଚିଲିକାରେ ସି-ପ୍ଲେନ୍ ଅବତରଣକୁ ସେଥିପାଇଁ ରାଜ୍ୟ ସରକାର ଓ ବିଜେଡ଼ି ବିରୋଧ କରୁଛନ୍ତି । ତେବେ, ନିର୍ଦ୍ଧାରିତ ଉଚ୍ଚତାରେ ହେଲିକପଟର୍ ଉଡାଣରେ ବୋଧହୁଏ ସେଭଳି କିଛି ବିପଦ ନାହିଁ ବେଲି ପାଇଲଟଙ୍କ ମତାମତରୁ ଜଣାପଡୁଛି ।ମଙ୍ଗଳବାର ଦିନ ଚିଲିକାରେ ସି-ପ୍ଲେନ୍ ଅବତରଣ କରିଥିବା ପ୍ରଥମେ କୁହାଗଲା । ପରେ, ବୈଜୟନ୍ତଙ୍କ ‘ଇଂଫା’ ହେଲିକପଟର୍ ନିର୍ଦ୍ଧାରିତ ଉଚ୍ଚତା ଠାରୁ ତଳେ ଉଡି ମତ୍ସ୍ୟଜୀବୀଙ୍କୁ ଭୟଭୀତ କରିଥିବା ସରକାର ଦାବି କଲେ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହା ଦ୍ୱାରା ଜୈବ ବିବିଧତା ପ୍ରତି କୌଣସି ବିପଦ ସୃଷ୍ଟି ହୋଇ ନାହିଁ ବୋଲି ପ୍ରଥମେ ବିବୃତି କହିଲେ । ପରେ, ବୟାନ ବଦଳାଇ ତୃତୀୟ ମହଲାକୁ ସୁହାଇଲା ଭଳି ବିବୃତି ଦେଲେ । ପୁରୀ ପୁଲିସ ପ୍ରଥମେ ସି-ପ୍ଲେନ୍ ଅବତରଣ କରିଥିବା ସେମାନଙ୍କ ଦୃଷ୍ଟିକୁ ଆସି ନାହିଁ କହି ନିଜକୁ ମାମଲାରୁ ଦୂରେଇ ରଖି ଥିଲେ । କିନ୍ତୁ, ପରବର୍ତର୍ୀ ସମୟରେ ବୈଜୟନ୍ତଙ୍କ ହେଲକପଟର୍ ନିର୍ଦ୍ଧାରିତ ଉଚ୍ଚତା ଠାରୁ ବହୁ ତଳେ ଉଡିବା ଫଳରେ ମତ୍ସ୍ୟଜୀବୀ ଓ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହେଲା ବୋଲି ଦର୍ଶାଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଥିବା ‘ଇଂଫା’ର ହେଲିକପଟର୍ ହାଙ୍ଗରକୁ ସିଲ୍ କରିବା ସହ ବିମାନକୁ ଜବତ କଲେ । ବୈଜୟନ୍ତ ଓ ତାଙ୍କ ସହ ହେଲିକପଟର୍ ଉଡାଣ କରିଥିବା ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୁରୀ ପୁଲିସ ନିକଟରେ ହାଜର ହେବାକୁ କୁହାଯାଇଛି । ଏସବୁ ଘଟଣାକୁ ଅନୁଧ୍ୟାନ କଲେ ରାଜ୍ୟ ସରକାର କିଭଳି ବିରୋଧୀ ପ୍ରତି ଅସହିଷ୍ଣୁ ହୋଇ ପଡୁଛନ୍ତି, ତାହା ସ୍ପଷ୍ଟ ହେଉଛି । ରାଜ୍ୟ ମନ୍ତ୍ରୀ ପରିଷଦରେ ଥିବା ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ତୃତୀୟ ମହଲାର ଏଭଳି ଆଚରଣକୁ ଦେଖି ଶଂକାରେ ଥିବା ମଧ୍ୟ ମଙ୍ଗଳବାର ଘଟଣାରୁ ସ୍ପଷ୍ଟ ହେଉଛି ।ପ୍ରତି କଥାରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ରହିବା ତାଙ୍କ ପାଇଁ ପ୍ଲସ୍ ପଏଂଟ୍ । ସେହିଭଳି, ୧୮ ବର୍ଷ ଧରି ରାଜ୍ୟକୁ ଦେଇ ଥିବା ସ୍ଥିର ଶାସନ ନବୀନଙ୍କ ସଫଳତାର ଆଉ ଏକ ରହସ୍ୟ । ବୈଜୟନ୍ତ ବା ଦାମ ବାବୁଙ୍କ ବହିଷ୍କାର ସମୟରେ ହେଉ ବା ବିଭିନ୍ନ ମନ୍ତ୍ରଣାଳୟରେ ହୋଇଥିବା ଶତାଧିକ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଉପରେ ହେଉ ନବୀନ ମୁହଁ ନ ଖୋଲି ଚେଲାଚାମୁଣ୍ଡାଙ୍କ ମାଧ୍ୟମରେ ଉତ୍ ତର ଦେଇଥା’ନ୍ତି । ଦଳର କିଛି ନେତା ବାଧ୍ୟବାଧକତାରେ ହେଉ ବା ତୃତୀୟ ମହଲାର ସୁଦୃଷ୍ଟିରେ ରହିବାକୁ ହେଉ ଏହି ଏହି କାର୍ଯ୍ୟ କରନ୍ତି । କିନ୍ତୁ, ଡ଼େମୋକ୍ଲିସ୍ଂକ ଖଣ୍ଡାର ଧାର ସମସ୍ତଙ୍କ ପାଇଁ ସମାନ । ନିଜ ମୁଣ୍ଡ ଉପରେ ନ ଝୁଳିବା ଯାଏଁ କେହି ତାହାର ଧାରକୁ ଅନୁଭବ କରି ନ ଥାଏ । ବୈଜୟନ୍ତ ବାବୁ ଓ ଦାମ ବାବୁଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା । ବିରୋଧୀ ଦଳମାନେ ୧୮ ବର୍ଷ ମଧ୍ୟରେ ନବୀନଙ୍କ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ନିକଟରେ କାହାରିକୁ ଉପସ୍ଥାପିତ କରିପାରି ନାହାନ୍ତି । ତାହା ହିଁ ହେଉଛି ନବୀନ ବାବୁ ନେତୃତ୍ୱର ବଡ ସଫଳତା । ତେବେ, ନବୀନଙ୍କ ଦୁର୍ନୀତି-ବିରୋଧୀ ସ୍ୱର ପୂର୍ବଭଳି ଆଉ ଶାଣିତ ନୁହେଁ । ଦଳ ଭିତରେ ବିଭିନ୍ନ କାରଣରୁ ଅସହିଷ୍ଣୁତା ଓ ଅସହାୟତା ବଢି ଚାଲିଛି । ୨୦୧୯ ସାଧାରଣ ନିର୍ବାଚନରେ ନ ହେଲେ ବି ତାହା ପରବର୍ତର୍ୀ ସମୟରେ ନବୀନଙ୍କ ପାଇଁ ବଡ ଆହ୍ୱାନ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।