ବିଜେପିରୁ ହିଞ୍ଜିଳି ବିଧାନସଭା ନିମନ୍ତେ ନାମାଙ୍କନ ପତ୍ରଦାଖଲ କଲେ ଶିଶିର ମିଶ୍ର

ବ୍ରହ୍ମପୁର(ସମୃଦ୍ଧଓଡିଶା)ହିଞ୍ଜିଳିରେ ଆସନ୍ତା ମାସ ୨୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଚତୁର୍ଥଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ରୂପେ ଶ୍ରୀ ଶିଶିର ମିଶ୍ର(କୁଲୁ) ବୁଧବାର ନିଜର ନମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସକାଳ ସମୟରେ ଶ୍ରୀ ମିଶ୍ର ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ବୁରୁପଡା ସ୍ଥିତ ପ୍ରସିଦ୍ଧ ମା ଶ୍ୟାମଳେଇ ମନ୍ଦିର ଠାରେ ପୁଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା ନେଇଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ସମର୍ଥକ, ଦଳିୟ କାର୍ଯ୍ୟକର୍ତ୍ତା,ଶୁଭେଚ୍ଛୁ ଓ ମା’ଭଉଣୀଙ୍କ ଗହଣରେ ମାଙ୍କ ଦର୍ଶନ ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହିଞ୍ଜିଳି ପୋୖରାଞ୍ଚଳ ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିଜ ପ୍ରସ୍ତାବକଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଶ୍ରୀ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସହର ପରିକ୍ରମା ସମୟରେ ବହୁ ଦଳୀୟ କର୍ମୀ ଙ୍କ ସହ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ବିଜେପି ନେତା କଳାଚାନ୍ଦ ପଟ୍ଟନାୟକ ,ମାଧବ ଗୌଡ଼ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଥିବା ଦେଖାଯାଇଛି ।

ରିପୋର୍ଟ : ରଜତ ପଟ୍ଟନାୟକ